ନୂଆଦିଲ୍ଲୀ: ଭାରତର ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ସେବା ଏବେ ଗ୍ରୀସରେ ଆରମ୍ଭ ହୋଇଛି। ଏଥେନ୍ସ ସ୍ଥିତ ୟୁରୋବ୍ୟାଙ୍କ (Eurobank) ମୁଖ୍ୟାଳୟରେ ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ ଲିମିଟେଡ୍ (NIPL) ଏବଂ ୟୁରୋବ୍ୟାଙ୍କର ସହଭାଗିତାରେ ଏହି ସେବାର ଏକ ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଛି।

ଭାରତର କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଗ୍ରୀସ ଗସ୍ତ ସମୟରେ ଏହି ସେବାର ଲାଇଭ୍ ଡେମୋ ପ୍ରଦର୍ଶନ କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସୂଚନା ଦେଇ କହିଛନ୍ତି, ବିଦେଶରେ UPIର ଗ୍ରହଣୀୟତା ପ୍ରମାଣିତ କରୁଛି ଯେ, ଭାରତର ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ୱର ଭରସା ବଢ଼ିବାରେ ଲାଗିଛି। ଗ୍ରୀସରେ ଏହା ଲାଇଭ୍ ହେବା ଯୋଗୁ ଗ୍ରାହକମାନେ ପାରମ୍ପରିକ ଅନ୍ତର୍ଜାତୀୟ ଟ୍ରାନ୍ସଫର ତୁଳନାରେ ବହୁତ କମ୍ ଖର୍ଚ୍ଚ ଏବଂ ସୁରକ୍ଷିତ ଭାବେ ତୁରନ୍ତ ଟଙ୍କା ପଠାଇପାରିବେ।

ଏବେ ୧୦ଟି ଦେଶରେ ମିଳିବ UPI ସୁବିଧା

ଗ୍ରୀସ ଏହି ନେଟୱର୍କରେ ସାମିଲ ହେବା ପରେ ଏବେ ଦୁନିଆର ମୋଟ ୧୦ଟି ଦେଶରେ ଭାରତୀୟମାନେ UPI ବ୍ୟବହାର କରିପାରିବେ। ଏଥିରେ ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ QR- କୋଡ୍ ଭିତ୍ତିକ ମର୍ଚ୍ଚାଣ୍ଟ ପେମେଣ୍ଟ ଠାରୁ ଆରମ୍ଭ କରି କ୍ରସ୍-ବର୍ଡର ରେମିଟାନ୍ସ (ଟଙ୍କା ପଠାଇବା) ପର୍ଯ୍ୟନ୍ତ ସୁବିଧା ପ୍ରଦାନ ରହିଛି। ଗ୍ରୀସ ପୂର୍ବରୁ କାମ୍ବୋଡିଆ UPI ଆପଣାଇବାରେ ୯ମ ଦେଶ ହୋଇଥିଲା। ବର୍ତ୍ତମାନ ସୁଦ୍ଧା UPIକୁ ସ୍ୱୀକୃତି ଦେଇଥିବା ୧୦ ଦେଶ ହେଉଛନ୍ତି, ଗ୍ରୀସ, ସିଙ୍ଗାପୁର, ୟୁଏଇ (UAE), ଫ୍ରାନ୍ସ, ମରିସସ, ନେପାଳ, ଭୁଟାନ, କତର, ଶ୍ରୀଲଙ୍କା ଏବଂ କମ୍ବୋଡିଆ।

Also Read: ସର୍ବକାଳୀନ ରେକର୍ଡ ସ୍ତରରୁ ପ୍ରାୟ ୫୦,୦୦୦ ଟଙ୍କା ଶସ୍ତା ହେଲା ସୁନା, ଆହୁରି କମିବ କି ?

ବିଦେଶରେ କେମିତି କାମ କରେ UPI?

ଭାରତୀୟ ଯାତ୍ରୀମାନେ ବିଦେଶରେ ଇଣ୍ଟରନ୍ୟାସନାଲ ରୋମିଂ କିମ୍ବା ନିଜର ଆକ୍ଟିଭ୍ ଥିବା UPI ଆପ୍ ଜରିଆରେ ସେହି ଦେଶର ସ୍ଥାନୀୟ QR କୋଡ୍ (ଯେପରି ଗ୍ରୀସରେ ୟୁରୋବ୍ୟାଙ୍କ ମର୍ଚ୍ଚାଣ୍ଟ ନେଟୱର୍କ କିମ୍ବା କମ୍ବୋଡିଆରେ KHQR) କୁ ସ୍କାନ କରି ସିଧାସଳଖ ନିଜ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କରିପାରିବେ। ଏହାଦ୍ୱାରା ସେମାନଙ୍କୁ ବିଦେଶୀ କରେନ୍ସି ଏକ୍ସଚେଞ୍ଜ କରିବାର ଆବଶ୍ୟକ ପଡ଼ୁନାହିଁ।

National Payments Corporation of India (NPCI) ଦ୍ୱାରା ବିକଶିତ ଏହି ବ୍ୟବସ୍ଥାର ବୈଶ୍ୱିକ ସମ୍ପ୍ରସାରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦେଶ ଭ୍ରମଣ କରୁଥିବା ଭାରତୀୟଙ୍କ ପାଇଁ କ୍ରେଡିଟ୍/ଡେବିଟ୍ କାର୍ଡ କିମ୍ବା ନଗଦ ଟଙ୍କା ଉପରେ ନିର୍ଭରଶୀଳତା କମାଇବା ଏବଂ କ୍ରସ୍-ବର୍ଡର ଟ୍ରାନ୍ସଫର ଖର୍ଚ୍ଚକୁ ହ୍ରାସ କରିବା।