ନୂଆଦିଲ୍ଲୀ: କାହିଁକି ବଳମ୍ବ ହେଉଛି ଭାରତର ବହୁ ପ୍ରତୀକ୍ଷିତ ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ? ଏଥିପାଇଁ ଭାରତ ସରକାରଙ୍କ ଉଦାସିନତାକୁ ଦାୟୀ କରିଛନ୍ତି ଜାପାନର ପୂର୍ବତନ ନ୍ୟାୟ ମନ୍ତ୍ରୀ ହିଡେକି ମାକିହାରା। ଏହା ସମ୍ପୂର୍ଣ୍ଣ ବେପରୁଆପଣ ବୋଲି କହି ବଡ଼ ଅଭିଯୋଗ ଆଣିଛନ୍ତି ଜାପାନର ପୂର୍ବତନ ମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରକଳ୍ପରେ ବିଳମ୍ବ ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତ ପକ୍ଷ ଦାୟୀ। ଜାପାନର ଶିକାନସେନ ବୁଲେଟ ଟ୍ରେନ ପାଇଁ ଭାରତୀୟ ଅଧିକାରୀମାନେ ବାରମ୍ବାର ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିନଥିଲେ ଏବଂ ଆଲୋଚନା ସମୟରେ କେବଳ ନିଜ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ ବୋଲି ସେ କହିଛନ୍ତି।

ମାକିହାରାଙ୍କ ପ୍ରତିକ୍ରିୟା ଆସିବା ପୂର୍ବରୁ ଜାପାନ ବିଜେନେଶ ନ୍ୟୁଜ ପୋର୍ଟାଲ୍ Toyo Keizai Onlineରେ ଏନେଇ ଏକ ମତାମତ ପ୍ରବଦନ୍ଧ ପ୍ରକାଶ ପାଇଥିଲା। ରେଳ ବିଶେଷଜ୍ଞ ଇସାଓ ତ୍ସୁଜିମୁରା ଏହାକୁ ଲେଖିଥିଲେ। ଏଥିରେ ସେ ଭାରତ ସହିତ ହୋଇଥିବା ଶିକାସେନ ମଡେଲ୍ ଏବେ ମୂଳ ସ୍ଥିତିରେ ନ ରହି ବଦଳିଯାଇଛି ବୋଲି କହିଥିଲେ। ଦିଲ୍ଲୀରେ ରହୁଥିବା ତ୍ସୁଜିମୁରା ଲେଖିଛନ୍ତି ଯେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମୂଳ ଜାପାନୀ ଶିଙ୍କାନସେନ ମଡେଲ୍ଠାରୁ ଅନେକ ଦୂରକୁ ଚାଲିଯାଇଛି। ୨୦୨୩ ମସିହାରେ ବୁଲେଟ ଟ୍ରେନ୍ ସେବା ଆରମ୍ଭ କରିବା ଲକ୍ଷ୍ୟ ଅବାସ୍ତବ ବୋଲି ଭାରତୀୟ ଅଧିକାରୀମାନେ ପୂର୍ବରୁ ଜାଣିଥିଲେ ବୋଲି ସେ ଲେଖିଛନ୍ତି।

ଏହି ପ୍ରବନ୍ଧ ପ୍ରକାଶ ପାଇବା ପରେ ମାକିହାରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜୁଲାଇ ୧୫ରେ ସାମାଜିକ ମାଧ୍ୟମ ଏକ୍ସରେ ପୋଷ୍ଟ କରି ମାକିହାରା କହିଛନ୍ତି ଯେ, ଭାରତରେ ଶିଙ୍କାନସେନ (Shinkansen) ପ୍ରକଳ୍ପ ସହ ସେ ନିଜେ ଜଡିତ ଥିଲେ। ସେହି ଅନୁଭବ ଆଧାରରେ କହିଛନ୍ତି ଯେ, ଆନ୍ତର୍ଜାତୀୟ ବୈଠକ ଓ ଆଲୋଚନାରେ ଭାରତୀୟ ପକ୍ଷର ଆଚରଣ ଅତ୍ୟନ୍ତ ଅବ୍ୟବସ୍ଥିତ ଥିଲା।

ସେ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ଅଧିକାରୀମାନେ ପ୍ରତିଶ୍ରୁତି ଦେଇ ପରେ ତାହାକୁ ପାଳନ କରୁନଥିଲେ। ଏପରିକି ସେତେବେଳର ଦାୟିତ୍ୱରେ ଥିବା ଭାରତୀୟ ମନ୍ତ୍ରୀଙ୍କ ଆଚରଣ ମଧ୍ୟ ନିରାଶାଜନକ ଥିଲା ବୋଲି ସେ ମତ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, "ଏହି ପ୍ରକଳ୍ପ ଆଗକୁ ବଢ଼ିପାରିନଥିବାର କାରଣ ସମ୍ପୂର୍ଣ୍ଣ ଭାରତୀୟ ପକ୍ଷ।"

Also Read- ରେଳବାଇ ସଂସ୍କାର ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, 'ସେକେଣ୍ଡ କ୍ଲାସ୍ ଯାତ୍ରୀ' ଶବ୍ଦ ଉପରେ ଆପତ୍ତି; ମହିଳାଙ୍କୁ ମିଳିଲା ୮ ଲକ୍ଷ କ୍ଷତିପୂରଣ

ଭାରତର ପ୍ରଥମ ହାଇ-ସ୍ପିଡ୍ ରେଳ କରିଡରର ପ୍ରଥମ ଅଂଶ, ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ (MAHSR) ୧୫ ଅଗଷ୍ଟ ୨୦୨୭ରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମୁମ୍ବାଇ-ଅହମ୍ମଦାବାଦ କରିଡର ଜାପାନର ଶିଙ୍କାନସେନ୍ ଟେକ୍ନୋଲୋଜୀ ବ୍ୟବହାର କରୁଛି। ଏବଂ ଆଂଶିକ ଭାବରେ ଜାପାନ ସରକାରଙ୍କ ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍ସି (JICA) ଦ୍ୱାରା ପାଣ୍ଠି ଯୋଗାଇ ଦିଆଯାଉଛି।

ମାକିହାରା ଭାରତ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରି ଟ୍ୱିଟ୍ କରି ଲେଖିଛନ୍ତି "ମୁଁ ବ୍ୟକ୍ତିଗତ ଭାବରେ ଭାରତରେ ଶିଙ୍କାନସେନ ପ୍ରକଳ୍ପରେ ଜଡିତ ଥିଲି, କିନ୍ତୁ ଅନ୍ତର୍ଜାତୀୟ ବୈଠକ ଏବଂ ଆଲୋଚନା ସମୟରେ ମୋତେ ସବୁଠାରୁ ଅଧିକ ଆଘାତ ଦେଇଥିଲା ଭାରତୀୟ ପକ୍ଷର ସମ୍ପୂର୍ଣ୍ଣ ଅବହେଳା, ବୈଠକ ଏହା ବାରମ୍ବାର ପରିଲକ୍ଷିତ ହେଉଥିଲା।"

ମାକିହାରା ୨୦୨୪ରେ ଜାପାନର ନ୍ୟାୟ ମନ୍ତ୍ରୀ ଥିଲେ। ଭାରତୀୟ ଅଧିକାରୀଙ୍କ ବିଷୟରେ ସେ କହିଛନ୍ତି “ ସେ ଯାହା ହେଇଯାଉ ପଛେ ସେମାନେ ପ୍ରତିଶ୍ରୁତି ପାଳନ କରନ୍ତି ନାହିଁ। ଆଉ ଯଦିବା ସେମାନେ କୌଣସି ପ୍ରତିଶ୍ରୁତି ଦିଅନ୍ତି ତେବେ ତାକୁ ତୁରନ୍ତ ପଲଟେଇ ଦିଅନ୍ତି।”

ଭାରତୀୟ କର୍ତ୍ତୃପକ୍ଷ କେବଳ ନିଜ ସ୍ୱାର୍ଥ ପାଇଁ ଆଲୋଚନା କରୁଥିବା ଅଭିଯୋଗ ଲଗାଇ ମାକିହାରା କହିଛନ୍ତି “ସେମାନେ ଶେଷ ପର୍ଯ୍ୟନ୍ତ ନିଜର ସ୍ୱାର୍ଥକୁ ଗୁରୁତ୍ୱ ଦେଇଥିଲେ। ଦାୟିତ୍ୱରେ ଥିବା ମନ୍ତ୍ରୀ ତ ବହୁତ ଖରାପ ଥିଲେ। ଯଦି ଉପରିସ୍ଥ ବ୍ୟକ୍ତି ଏପରି ହେବେ, ତେବେ କୌଣସି ଭଲ ଡିଲ୍ କରିବାର କୌଣସି ଉପାୟ ଦେଖାଯାଏ ନାହିଁ। ଏଥିରେ ମନଯୋଗ ଦେଇ କାମ କରିଥିବା ସମସ୍ତ ଜାପାନୀ ଲୋକଙ୍କ ସମ୍ମାନ ପାଇଁ, ମୁଁ ଏହା କହିବାକୁ ବାଧ୍ୟ ଯେ ଏହି ପ୍ରକଳ୍ପ ଆଗକୁ ନ ବଢ଼ିବାର କାରଣ ସମ୍ପୂର୍ଣ୍ଣ ଭାବରେ ଭାରତ ପକ୍ଷ ବୋଲି ମୁଁ ୧୦୦% ଅନୁଭବ କରୁଛି।

ମାକିହାରା ତ୍ସୁଜିମୁରାଙ୍କ ଲେଖାକୁ ଉଲ୍ଲେଖ କରିଛନ୍ତି। ଏବଂ କହିଛନ୍ତି ଯେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ଜୁଲାଇ ୨୦୨୬ ରେ ନୂଆଦିଲ୍ଲୀ ଗସ୍ତ ମଧ୍ୟ ଏହି ପ୍ରସଙ୍ଗରେ ଅର୍ଥପୂର୍ଣ୍ଣ ପ୍ରଗତି ଆଣିପାରି ନାହିଁ। ତେବେ ମାହିକାରା ବୁଲେଟ ଟ୍ରେନ୍ ପ୍ରକଳ୍ପରେ ସତରେ ସାମିଲ ଥିଲେ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ ମାହିକାରଙ୍କର ପ୍ରକଳ୍ପ ସହ ଜଡ଼ିତ ରହିବାର କୌଣସି ପ୍ରମାଣ ମିଳିପାରି ନାହିଁ।

ଭାରତ ସରକାରଙ୍କ ପ୍ରତିକ୍ରିୟା

ଅନ୍ୟପକ୍ଷରେ, ଏଏନଆଇ ସୂତ୍ର ଅନୁସାରେ ଭାରତ ସରକାର କହିଛନ୍ତି ଯେ, ଭାରତ-ଜାପାନ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ନେଇ ଆଲୋଚନା ସୁଚାରୁ ଭାବେ ଚାଲିଛି ଏବଂ ଉଭୟ ଦେଶ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ କାମ କରୁଛନ୍ତି। ସରକାରୀ ସୂତ୍ର ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ହାଇସ୍ପିଡ୍ ଟ୍ରେନ୍ ସେଟ୍ ସହିତ ସେବା ଆରମ୍ଭ ହେବ। ପରେ ୨୦୩୦ ଦଶକର ଆରମ୍ଭରେ ଜାପାନର ନୂଆ ଇ-୧୦ ସିରିଜ୍ ଶିଙ୍କାନସେନ ଟ୍ରେନ୍ ଯୋଗାଇ ଦିଆଯିବ। ବୁଲେଟ ଟ୍ରେନ୍ ପାଇଁ ଭିତ୍ତିଭୂମି କାମ ଜାରି ରହିଛି।

କଂଗ୍ରେସର ଟାର୍ଗେଟ୍

ମାକିହାରାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ସାଂସଦ ପବନ ଖେଡ଼ା ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ, ଭାରତ-ଜାପାନ ଶିଙ୍କାନସେନ ପ୍ରକଳ୍ପ ସହ ସିଧାସଳଖ ଜଡିତ ଥିବା ଜାପାନର ପୂର୍ବତନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ଦ୍ରୁତ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ

ଏହି ସମାଲୋଚନା ସତ୍ତ୍ୱେ ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନେକ ଭାୟାଡକ୍ଟ, ଷ୍ଟେସନ୍ ଓ ଟନେଲ୍ର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସରକାରୀ ଯୋଜନା ଅନୁସାରେ, ୨୦୨୭ ଅଗଷ୍ଟ ୧୫ରୁ ଗୁଜରାଟର ସୁରତ-ବିଲିମୋରା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ୫୦୮ କିଲୋମିଟର ଲମ୍ବା କରିଡରରେ ସେବା ବିସ୍ତାର କରାଯିବ।

ଏହି ପ୍ରକଳ୍ପରେ ଜାପାନର ଶିଙ୍କାନସେନ ପ୍ରଯୁକ୍ତି, ସିଗ୍ନାଲିଂ ବ୍ୟବସ୍ଥା, ସୁରକ୍ଷା ମାନଦଣ୍ଡ ଓ ଟ୍ରେନ୍ ପ୍ରଯୁକ୍ତି ବ୍ୟବହାର କରାଯାଉଛି। Japan International Cooperation Agency (JICA) ପକ୍ଷରୁ ଦୀର୍ଘମିଆଦୀ ସହଜ ଋଣ ମାଧ୍ୟମରେ ଏହି ପ୍ରକଳ୍ପକୁ ଆର୍ଥିକ ସହଯୋଗ ମିଳୁଛି।

ଯଦିଓ ଜାପାନର ପୂର୍ବତନ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ପ୍ରକଳ୍ପକୁ ନେଇ କିଛି ମତଭେଦର ସଙ୍କେତ ଦେଇଛି, ତଥାପି ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପ୍ରକଳ୍ପ ଯୋଜନା ଅନୁଯାୟୀ ଆଗକୁ ବଢ଼ୁଛି ଏବଂ ଜାପାନ ସହ ସହଯୋଗ ଜାରି ରହିଛି।