ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ୍ ସହ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ଟି-୨୦ ଦଳରେ ପାଞ୍ଚ ବଡ଼ ପରିବର୍ତ୍ତନ କରିଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଟି-୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୧୫ ବର୍ଷୀୟ ଉଦୀୟମାନ ବିସ୍ଫୋରକ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ଟି-୨୦ ଦଳରେ ଚୟନ କରାଯାଇଛି। ଭାରତୀୟ ଟି-୨୦ ଦଳରେ ମୋଟାମୋଟି ୫ ବଡ଼ ପରିବର୍ତ୍ତନ କରାଯାଇଛି।

୧- ଶ୍ରେୟସ ଆୟର ଅଧିନାୟକ ଓ ତିଳକ ବର୍ମା ଉପଅଧିନାୟକ

ଆଇପିଏଲରେ ଲଗାତାର ନିଜ ଅଧିନାୟକତ୍ଵରେ ସଭିଙ୍କୁ ପ୍ରଭାବିତ କରିବା ସହ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିବା ଶ୍ରେୟସ ଆୟରଙ୍କୁ ଅଧିନାୟକ କରାଯାଇଛି। ଏହିପରି ତିନି ମାସ ତଳେ ଭାରତକୁ ଟି-୨୦ ବିଶ୍ଵକପ୍ ଜିତାଇଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେଇଛନ୍ତି ଆୟର। ଅନ୍ୟପଟେ ଅକ୍ଷର ପଟେଲଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି। ସବୁଠୁ ବଡ଼ କଥା ଅଧିନାୟକ ପଦ ହରାଇଥିବା ସୂର୍ଯ୍ୟକୁମାର ଯାଦବ ଟି-୨୦ ଦଳରୁ ବାଦ୍ ପଡ଼ିଛନ୍ତି।

Also Read: ନରଓ୍ୱେ ଚେସ୍ : ଗୁକେଶଙ୍କୁ ମାତ୍ ଦେଲେ ପ୍ରଜ୍ଞାନନ୍ଦା

୨ - ବୈଭବଙ୍କୁ ମିଳିଲା ସୁଯୋଗ

୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂରେ ସମଗ୍ର କ୍ରିକେଟ୍ ଦୁନିଆର ଧ୍ୟାନ ଆକର୍ଷିତ କରିଥିଲେ।ସେ ନିୟମିତ ଦମଦାର ପ୍ରଦର୍ଶନ କରିବା ସହିତ ଆଇପିଏଲ୍ ୨୦୨୬ରେ ଅରେଞ୍ଜ କ୍ୟାପ୍ ଜିତିଥିଲେ। ଫଳରେ ତାଙ୍କୁ ଆଉ ଦଳରୁ ଦୂରରେ ରଖିବା ଚୟନକର୍ତ୍ତାଙ୍କ ପାଇଁ ମୁସ୍କିଲ ହୋଇ ପଡ଼ିଥିଲା। ଏବେ ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ସହ ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-୨୦ ଦଳରେ ସୂର୍ଯ୍ୟବଂଶୀଙ୍କୁ ସାମିଲ୍ କରାଯାଇଛି।

୩ - ସୂର୍ଯ୍ୟକୁମାର ଯାଦବଙ୍କୁ ବହିଷ୍କାର

ଭାରତକୁ ୨୦୨୬ ଟି୨୦ ବିଶ୍ୱକପ୍ ଟାଇଟଲ୍ ଜିତାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳରୁ ବାଦ୍ ଦିଆଯାଇଛି। ତାଙ୍କୁ ଆୟରଲାଣ୍ଡ-ଇଂଲଣ୍ଡ ସିରିଜ୍ ଏବଂ ଏସୀୟ କ୍ରୀଡା ପାଇଁ ଘୋଷିତ ଦଳରେ ସାମିଲ କରାଯାଇ ନାହିଁ। ଲଗାତାର ବ୍ୟାଟିଂ ବିଫଳତା କାରଣରୁ ଏବେ ସୂର୍ଯ୍ୟ ଦଳରୁ ନିଜର ସ୍ଥାନ ହରାଇଛନ୍ତି। ଗତ ଦୁଇ ବର୍ଷ ଧରି ତାଙ୍କର ବ୍ୟାଟିଂ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଥିଲା। ଆଉ ତାର ପରିଣାମ ଖୋଦ୍ ସୂର୍ଯ୍ୟଙ୍କୁ ଏବେ ଭୋଗିବାକୁ ପଡ଼ିଛି।

Also Read: କ୍ରିକେଟ୍ ଇତିହାସର ଏମିତି ରେକର୍ଡ ଯାହାକୁ ଦେଖିଲେ ଡର ଲାଗିବ, ଜାଣନ୍ତୁ ଟପ୍ ୫ ବୋଲରଙ୍କ ବିଷୟରେ

୪- ପ୍ରିନ୍ସ ଯାଦବଙ୍କୁ ମିଳିଲା ସୁଯୋଗ

୨୦୨୬ ଆଇପିଏଲ ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପାଇଁ ଖେଳିଥିବା ପ୍ରିନ୍ସ ଯାଦବଙ୍କୁ ଆୟରଲାଣ୍ଡ ଏବଂ ଇଂଲଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଯାଦବ ଆଇପିଏଲରେ ନିଜର ଗତି ଏବଂ ଦାମଦାର ଲାଇନ୍ ଏବଂ ଲେନ୍ଥରେ ସଭିଙ୍କୁ ପ୍ରଭାବିତ କରିଥିଲେ। ଆଉ ସେ ଏବେ ଚୟନକର୍ତ୍ତାଙ୍କ ବିଶ୍ୱାସ ଭାଜନ ହୋଇ ପାରିଛନ୍ତି।

୫- ହର୍ଷିତ ରାଣା ଫେରିଲେ, ଏସୀୟ କ୍ରୀଡ଼ା ପାଇଁ ବମରାଙ୍କ ଚୟନ

ଆଘାତରୁ ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଟି୨୦ ଦଳରେ ସାମିଲ କରାଯାଇଛି। ଆଘାତ ଯୋଗୁଁ ହର୍ଷିତ ଆଇପିଏଲ୍ ୨୦୨୬ ଖେଳି ପାରି ନ ଥିଲେ। ଅନ୍ୟପଟେ ଯଶପ୍ରୀତ ବୁମରାଙ୍କୁ ଆୟରଲାଣ୍ଡ-ଇଂଲଣ୍ଡ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ୨୦୨୬ ଏସୀୟ କ୍ରୀଡା ପାଇଁ ଭାରତୀୟ ଦଳରେ ତାଙ୍କୁ ସାମିଲ୍ କରାଯାଇଛି।

Also Read: କ୍ରିକେଟ୍ ଇତିହାସର ଏମିତି ରେକର୍ଡ ଯାହାକୁ ଦେଖିଲେ ଡର ଲାଗିବ, ଜାଣନ୍ତୁ ଟପ୍ ୫ ବୋଲରଙ୍କ ବିଷୟରେ