ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଜଳରାଶିରେ ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇଥିବା ପାକିସ୍ତାନ ନୌସେନାର ଜାହାଜ "ଗୁରୁତର କ୍ଷତିଗ୍ରସ୍ତ" ହୋଇଛି । ଏହା ପରେ ଜାହାଜଟି ପାକିସ୍ତାନ ବନ୍ଦରକୁ ଫେରାଇ ନିଆଯାଇଥିବା ଜଣାପଡ଼ିଛି ।

ସେପ୍ଟେମ୍ବର ୧୫ ସନ୍ଧ୍ୟାରେ ଉତ୍ତର ଆରବ ସାଗରରେ ଏହି ଘଟଣା ଘଟିଥିଲା । ଭାରତୀୟ ନୌସେନାର ଏକ ଯୁଦ୍ଧପୋତ ନିୟମିତ ପାଟ୍ରୋଲିଂ ମିଶନରେ ଥିବା ସମୟରେ ଏକ ପାକିସ୍ତାନୀ ନୌସେନା ଜାହାଜ ଦ୍ରୁତ ଗତିରେ ତାହା ଆଡ଼କୁ ମାଡ଼ି ଆସିଥିଲା । ପାକିସ୍ତାନୀ ଜାହାଜର ଏହିପରି ଚଳାଚଳକୁ ଭାରତ "ଅପରିପକ୍ୱ ଏବଂ ଅସୁରକ୍ଷିତ" ବୋଲି କହିଛି ।

ଏହାକୁ ନେଇ ଭାରତ ନୂଆଦିଲ୍ଲୀସ୍ଥିତ ପାକିସ୍ତାନର ଚାର୍ଜ ଡି'ଆଫେୟାର୍ସଙ୍କୁ ସମନ କରିବା ସହ ଦୃଢ଼ ବିରୋଧ ଦର୍ଶାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନୀ ଜାହାଜର ଏଭଳି ଆଚରଣ "ଅଗ୍ରହଣୀୟ" ଏବଂ ଏହା ୧୯୯୧ର ଦ୍ୱିପାକ୍ଷିକ ଚୁକ୍ତିର ସିଧାସଳଖ ଉଲ୍ଲଂଘନ ।

ଚୁକ୍ତିନାମାର ଧାରା ୧୦ରେ ଉଲ୍ଲେଖ ଅଛି ଯେ, "ଅନ୍ତର୍ଜାତୀୟ ଜଳରାଶିରେ କାର୍ଯ୍ୟ କରିବା ସମୟରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅନ୍ୟ ଦେଶର ନୌସେନା ଜାହାଜ ଏବଂ ବୁଡ଼ାଜାହଜଗୁଡ଼ିକ ପରସ୍ପରଠାରୁ ତିନି ନଟିକାଲ୍ ମାଇଲରୁ ଅଧିକ ନିକଟତର ହେବେ ନାହିଁ ।"

Also Read: ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା

ଏହି ଧକ୍କାରେ ନୂଆଦିଲ୍ଲୀର ଯୁଦ୍ଧପୋତର କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ କିମ୍ୱା କେହି ଆହତ ହୋଇନାହାନ୍ତି । ଏହାର କାର୍ଯ୍ୟକ୍ଷମତାରେ ବି କୌଣସି ହ୍ରାସ ହୋଇନାହିଁ ଏବଂ ଏହା ନିଜର ମିଶନ ଜାରି ରଖିଛି । ଏହାସହ ଭାରତୀୟ ନୌସେନାର କ୍ୟାପ୍ଟେନ୍ ସଂଯମତା ରଖିଥିବା କୁହାଯାଇଛି । ସୂତ୍ର ଅନୁସାରେ, "ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଭାରତୀୟ ନୌସେନାର କ୍ୟାପ୍ଟେନ୍ ଅତ୍ୟନ୍ତ ଧୈର୍ଯ୍ୟ ରଖି ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପଦକ୍ଷେପ ନେଇଥିଲେ, ଯାହା ଫଳରେ ଜୀବନହାନି ଏବଂ ବଡ଼ ଧରଣର କ୍ଷତିରୁ ରକ୍ଷା ମିଳିଥିଲା ।"