ମୁମ୍ବାଇ: ଲୋକପ୍ରିୟ ମରାଠୀ ଅଭିନେତ୍ରୀ ମଧୁ କାମ୍ବିକରଙ୍କ ପରଲୋକ ।  ୭୩ ବର୍ଷ ବୟସରେ ପୁଣେରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମଧୁ କାମ୍ବିକର । ବଲିଉଡ୍‌ର ଲୋକପ୍ରିୟ କଳାକାର ନାନା ପାଟେକରଙ୍କ ପରଲୋକ ଘଟିବାର ମାତ୍ର ୪ ଦିନ ପରେ ମଧୁ କାମ୍ବିକରଙ୍କ ନିଧନ ଖବର ସିନେ ପ୍ରେମୀଙ୍କୁ ମର୍ମାହତ କରିଛି । ନାନା ଏବଂ ମଧୁଙ୍କ ମଧ୍ୟରେ ଥିଲା ପୁଅ ଓ ମା’ର ସଂପର୍କ । ରିୟଲ୍‌ରେ ନହେଲେ ବି, ରିଲ୍‌ରେ ନାନାଙ୍କ ମା’ ହୋଇଥିଲେ ମଧୁ ।

୧୯୯୫ର ‘ହମ୍ ଦୋନୋ’ ଏବଂ ୧୯୯୭ର ‘ୟଶୱନ୍ତ’ ଫିଲ୍ମରେ  ନାନାଙ୍କ ମା’ ଭୂମିକାରେ ନଜର ଆସିଥିଲେ ମଧୁ କାମ୍ବିକର । ମଧୁ କାମ୍ବିକର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ପକ୍ଷାଘାତରେ ଆକ୍ରାନ୍ତ ହେବା ପରେ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇଥିଲା । ମରାଠୀ ସିନେମା, ଥିଏଟର, ଟେଲିଭିଜନ୍ ଏବଂ ଲୋକକଳା, ବିଶେଷକରି ତାଙ୍କର ପ୍ରସିଦ୍ଧ ‘ଲାବଣୀ’ ନୃତ୍ୟ ପ୍ରଦର୍ଶନ ପାଇଁ ସେ କଳାଜଗତରେ ବେଶ୍ ପରିଚିତ ଥିଲେ। 

 ଚଳଚ୍ଚିତ୍ରରେ ନାନା ପାଟେକରଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ସେ ବାସ୍ତବ ଜୀବନରେ ନାନା ପାଟେକରଙ୍କଠାରୁ ଦୁଇ ବର୍ଷ ସାନ ଥିଲେ। ମଧୁ କାମ୍ବିକର ନିଜର ମନମୁଗ୍ଧକର ‘ଲାବଣୀ’ ନୃତ୍ୟ ପାଇଁ ଖ୍ୟାତି ଅର୍ଜନ କରିଥିଲେ। ମହାରାଷ୍ଟ୍ରର ଏହି ପ୍ରସିଦ୍ଧ ଲୋକନୃତ୍ୟକୁ ସେ ଆପଣାର ଅଙ୍ଗଭଙ୍ଗୀ ଓ ଅଭିନୟ ଦ୍ୱାରା ଏକ ନୂଆ ପରିଚୟ ଦେଇଥିଲେ। ଏହା ବ୍ୟତୀତ ସେ ‘ହେଚ୍ ମାଝା ମାହେର’ ‘ଜପାଟଲେଲା’, ‘ଦେବୁ’ ଭଳି କେତେକ ଲୋକପ୍ରିୟ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ।

୧୯୯୫ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ‘ହମ୍ ଦୋନୋ’ରେ ନାନା ପାଟେକର, ଋଷି କପୁର ଏବଂ ପୂଜା ଭଟ୍ଟ ପ୍ରମୁଖ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୁଲ୍ ବୁଝାମଣା ଓ ଜଟିଳ ସମ୍ପର୍କ ଉପରେ ଆଧାରିତ ଥିଲା। ଏହାର ଦୁଇ ବର୍ଷ ପରେ, ୧୯୯୭ରେ ଅନିଲ ମାଟୁଙ୍କ ନିର୍ଦ୍ଦେଶନାରେ ନିର୍ମିତ କ୍ରାଇମ୍-ଡ୍ରାମା ଫିଲ୍ମ ‘ୟଶୱନ୍ତ’ରେ ମଧ୍ୟ ମା’ ଓ ପୁଅର ଭୂମିକା ନିଭାଇଥିଲେ ମଧୁ ଏବଂ ନାନା ପାଟେକର । 

ନାନା ପାଟେକରଙ୍କ ପରଲୋକ

ଏହା ପୂର୍ବରୁ ଅକ୍ଟୋବର ୮ ତାରିଖରେ ହୃଦ୍‌ଘାତରେ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ହୋଇଥିଲା। ଗୋଆର ପାନାଜୀ ନିକଟସ୍ଥ ଦୋନା ପାଉଲା ସ୍ଥିତ ନିଜ ବାସଭବନରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଭୋର ସମୟରେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ ଦେଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ନାନା ପାଟେକରଙ୍କ ପୁଅ ମହ୍ଲାର ବାପାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ପୁଣେ ଏବଂ ପରେ 'ଡୋଞ୍ଜେ' ଗ୍ରାମରେ ଥିବା ତାଙ୍କ ଫାର୍ମହାଉସକୁ ନେଇଥିଲେ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।