ୱାଶିଂଟନହର୍ମୁଜ ପ୍ରଣାଳୀ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିର୍ଦ୍ଦେଶ। ହର୍ମୁଜରେ କୌଣସି ବୋଟ୍ ମାଇନ୍ସ ବିଛାଉଥିଲେ ତୁରନ୍ତ ଗୁଳି କରି ମାରିଦିଅ। ଆମେରିକା ନୌସେନାକୁ ଗୁରୁବାର ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ସେ ଟ୍ରୁଥ ସୋଶାଲ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେରିକ-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଟ୍ରମ୍ପଙ୍କର ଏଭଳି ନିର୍ଦ୍ଦେଶ ଶାନ୍ତି ଭଙ୍ଗ କରିପାରେ ବୋଲି କୁହାଯାଉଛି।

ଟ୍ରୁଥ୍ ସୋଶାଲ୍‌ରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି “ହର୍ମୁଜ୍ ପ୍ରଣାଳୀର ଜଳରେ ମାଇନ୍ ପକାଉଥିବା ଯେକୌଣସି ଡଙ୍ଗା, ସେ ଛୋଟ ଡଙ୍ଗା ହେଉ ନା କାହିଁକି ଗୁଳି କରି ମାରିଦେବାକୁ ମୁଁ ଯୁକ୍ତରାଷ୍ଟ୍ର ନୌସେନାକୁ ନିର୍ଦ୍ଦେଶ ଦେଇଛି। ଏଥିରେ କୌଣସି ଦ୍ୱିଧା ରହିବା ଉଚିତ୍ ନୁହେଁ।”

ସେ ଆହୁରି କହିଛନ୍ତି ଯେ ହର୍ମୁଜରେ ଆମେରିକାର ମାଇନ୍ ସଫା କରିବା କାର୍ଯ୍ୟ ପୂର୍ବରୁ ଚାଲିଛି ଏବଂ ସେହି ପ୍ରୟାସଗୁଡ଼ିକୁ ଆହୁରି ତୀବ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରମ୍ପ କହିଛନ୍ତି " ଆମର ମାଇନ୍ସ 'ସଫେଇ କର୍ମୀମାନେ ବର୍ତ୍ତମାନ ଷ୍ଟ୍ରେଟକୁ ସଫା କରୁଛନ୍ତି। ମୁଁ ଏହି କାର୍ଯ୍ୟକୁ ଜାରି ରଖିବାକୁ ନିର୍ଦ୍ଦେଶ ଦେଉଛି, ତିନି ଗୁଣ ଅଧିକ ଦ୍ରୁତ ଗତିରେ କାମ କରିବାକୁ ନିର୍ଦ୍ଦେଶ ଦେଇଛି।"

ହର୍ମୁଜ୍ରେ ମାଇନ୍ସ ବିଛାଇ ଯାଇଥିବା ଭୟ ଓ ଇରାନ-ଆମେରିକା ନୌସେନା ମଧ୍ୟରେ ଲଢେ଼ଇ ହେବା ଭୟ ଏହି ଦୁଇ କାରଣରୁ ହର୍ମୁଜ ଖୋଲିବାରେ ବିଳମ୍ବ ହେଉଛି। ସେପଟେ ଇରାନ ତାର ସ୍ଥିତି ସ୍ପଷ୍ଟ କରିଛି। ଯେପର୍ଯ୍ୟନ୍ତ ଆମେରିକା ଯୁଦ୍ଧବିରତି ଉଲ୍ଲଂଘନ ଜାରି ରଖିଛ, ସେପର୍ଯ୍ୟନ୍ତ ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଖୋଲିବ ନାହିଁ।

Alos Read- ଭାରତ ଏକ ନର୍କ, ସେମାନେ ଆମେରିକା ଆସି ଆମ ଦେଶକୁ ଅଳିଆ ଡବା କରି ଦେଉଛନ୍ତି: ଡୋନାଲ୍ଡ ଟ୍ରମ୍ପ
ଦୁଇ ଦେଶର ଜିଦରେ ସାରା ବିଶ୍ୱ ସମସ୍ୟା ଭୋଗୁଛି। ବିଶ୍ୱର ୨୦ ପ୍ରତିଶତ ତୈଳ ବହନ କରୁଥିବା ହର୍ମୁଜ ଜଳପଥ ବନ୍ଦ ରହିବା ଦ୍ୱାରା ଗ୍ୟାସ, ତୈଳ ପରିବହନ ହୋଇପାରୁ ନାହିଁ। ଫଳରେ ଏସିଆ ସମେତ ୟୁରୋପ ରପାଷ୍ଟ୍ରଗୁଡ଼ିକରେ ଇନ୍ଧନ ସଂକଟ ଦେଖା ଦେଇଛି। ଏଥିପାଇଁ ପୂର୍ବରୁ ତେଲ ଏବଂ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଏହା ବିଶ୍ୱ ବଜାରକୁ ଦୋହଲାଇ ଦେଇଛି।

ହର୍ମୁଜରେ ମାଇନ୍ସ ବିଛାଇଥିଲା ଇରାନ

ମିଡିଆ ରିପୋର୍ଟ ଅନୁସାରେ ଇରାନ ଯୁଦ୍ଧ ସମୟରେ ହର୍ମୁଜରେ ଏକାଧିକ ମାଇନ୍ସ ବିଛାଇଥିଲା। କିଛି ମାଇନ୍ସ ଛୋଟ ଡଙ୍ଗା ବ୍ୟବହାର କରି ବିଛାଯାଇଥିଲା, କିନ୍ତୁ ସେମାନଙ୍କର ସଠିକ୍ ସ୍ଥିତି ରେକର୍ଡ କରାଯାଇ ନପାରିବାରୁ ଏଗୁଡ଼ିକୁ ହଟାଇବାକୁ ସମସ୍ୟାରେ ପଡ଼ିଥିଲା ଇରାନ। ସେହିପରି ଅନ୍ୟଗୁଡ଼ିକୁ ଭାସିଯିବା ପାଇଁ ଡିଜାଇନ୍ କରାଯାଇଥିଲା, ଯାହା ଫଳରେ ସେଗୁଡ଼ିକୁ ଟ୍ରାକ୍ କରିବା ଏବଂ ହଟାଇବା ଆହୁରି କଷ୍ଟକର ହୋଇଯାଇଥିଲା ବୋଲି ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଥିଲା। ଏଥିପାଇଁ ହର୍ମୁଜ ଖୋଲିବା ଇରାନ ପାଇଁ କଷ୍ଟକର ହୋଇପଡ଼ିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଆମେରିକା ନୌସେନା ହର୍ମୁଜରେ ମାଇନ୍ସ ସଫେଇ କାମରେ ଲାଗିଛି।