ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୧୦ ମେ,୨୦୨୬) ସମସ୍ତ ଭାରତୀୟ ନାଗରିକଙ୍କୁ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କମ୍ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ବହୁ ପରିମାଣରେ ଇନ୍ଧନ ଆମଦାନୀ କରେ । ତେଣୁ ପେଟ୍ରୋଲ,ଡିଜେଲ ଏବଂ ଗ୍ୟାସକୁ ଭାବିଚିନ୍ତି ବ୍ୟବହାର କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ବର୍ତ୍ତମାନ ସମୟରେ ପେଟ୍ରୋଲ,ଡିଜେଲ ଏବଂ ଗ୍ୟାସ ଭଳି ସାମଗ୍ରୀକୁ ସଞ୍ଜମତାର ସହ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଆମେ କେବଳ ଆବଶ୍ୟକତା ଅନୁସାରେ ଆମଦାନୀ ହୋଇଥିବା ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବା ଉଚିତ। ଏହା କେବଳ ବୈଦେଶିକ ମୁଦ୍ରା ସଞ୍ଚୟ କରିବ ନାହିଁ ବରଂ ଯୁଦ୍ଧର ନକାରାତ୍ମକ ପ୍ରଭାବକୁ ମଧ୍ୟ ହ୍ରାସ କରିବ।’

ମୁଖ୍ୟତଃ ୪ଟି ସାମଗ୍ରୀର ସ୍ବଳ୍ପ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୦୨୬ ଆର୍ଥିକ ବର୍ଷରେ ଏହି ୪ ସାମଗ୍ରୀ ଆମଦାନୀ ପାଇଁ ୨୪୦ ବିଲିୟନ ଡଲାର (୨.୪ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ କରିଥିଲା ଭାରତ । ବିଦେଶୀରୁ ସାମଗ୍ରୀ ଆମଦାନୀ କଲେ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଉଛି । ବିଦେଶୀ ମୁଦ୍ରା ଭଣ୍ଡାର ପ୍ରଭାବିତ ନହେବା ପାଇଁ ମୋଦୀ ଏହି ଖାସ ଅପିଲ କରିଛନ୍ତି । ତେବେ ସେ ଯେଉଁ, ୪ଟି ସାମଗ୍ରୀ ଉପରେ ବେଶି ଗୁରୁତ୍ବ ଦେଇଛନ୍ତି ସେଗୁଡ଼ିକ ହେଉଛି, ଅଶୋଧିତ ତୈଳ, ସୁନା, ଖାଇବା ତେଲ ଏବଂ ସାର । ଏହା ଦେଶର ମୋଟ ଆମଦାନୀ ବିଲ୍ ୭୭୫ ବିଲିୟନ ଡଲାରର ୩୧.୧ ପ୍ରତିଶତ। ଅଶୋଧିତ ପେଟ୍ରୋଲିୟମ୍ ସର୍ବାଧିକ ଆମଦାନୀ କରିଥିଲା ଭାରତ , ଯାହା ୧୩୪.୭ ବିଲିୟନ ଡଲାର ଥିଲା । ସୁନା ଆମଦାନୀ ରେକର୍ଡ ୭୨ ବିଲିୟନ ଡଲାରରେ ପହଞ୍ଚିଥିଲା ବେଳେ ଖାଇବା ତେଲ ଆମଦାନୀ ୧୯.୫ ବିଲିୟନ ଡଲାର ଏବଂ ସାର ଆମଦାନୀ ୧୪.୫ ବିଲିୟନ ଡଲାର ରହିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ମେ’ ୧୦ରେ ଏହି ୪ ସାମଗ୍ରୀକୁ କମ ବ୍ୟବହାର କରିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ । ଏହି ସମୟରେ ସେ, ଭାରତୀୟ ନାଗରିକଙ୍କୁ ବିଦ୍ୟୁତ୍ ଯାନବାହନ ବ୍ୟବହାର, ସାର୍ବଜନୀନ ପରିବହନ, କାରପୁଲିଂ ଏବଂ ରେଳବାଇରେ ମାଲ ପରିବହନ ଉପରେ ଗୁରୁତ୍ବାରୋପ କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଅନୁରୋଧ କରିଥିଲେ। ଚାଷୀମାନଙ୍କୁ ଡିଜେଲ ଚାଳିତ ପମ୍ପଗୁଡ଼ିକୁ ସୌରଶକ୍ତିରେ ପରିବର୍ତ୍ତନ କରିବାକୁ ଏବଂ ରାସାୟନିକ ସାର ବ୍ୟବହାର ୫୦ ପ୍ରତିଶତ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି ମୋଦୀ । ପରିବାରଗୁଡ଼ିକୁ ରନ୍ଧନ ତେଲ ବ୍ୟବହାର ହ୍ରାସ କରିବାକୁ ମଧ୍ୟ ସେ କହିଛନ୍ତି ।

ସେପଟେ ସୁନା କ୍ରୟକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି ମୋଦୀ । ହାଇଦ୍ରାବାଦରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ସଙ୍କଟ ସମୟରେ ଦେଶକୁ ପ୍ରାଥମିକତା ଦେଇ ଆମକୁ କିଛି ସଂକଳ୍ପ ନେବାକୁ ପଡିବ । ପେଟ୍ରୋଲ ଏବଂ ଡିଜେଲକୁ ଭାବିଚିନ୍ତି ବ୍ୟବହାର କରିବାର ଆବଶ୍ୟକତା ରହିଛି । ମୋଦୀଙ୍କ ଅପିଲରେ ବିଶେଷ ଧ୍ୟାନ ସୁନା ଏବଂ ସାର ଉପରେ ଥିଲା । ଆର୍ଥିକ ବର୍ଷ ୨୦୨୫ ରେ ସୁନା ଆମଦାନୀ ୫୮ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୨୬ ରେ ୭୨ ବିଲିୟନ ଡଲାର ହୋଇଛି । ଏହି ସମୟରେ, ସାର ଆମଦାନୀ ୭୭ ପ୍ରତିଶତ ବୃଦ୍ଧି ପାଇ ୧୪.୬ ବିଲିୟନ ଡଲାର ହୋଇଛି। ଯଦିଓ ୨୦୨୫ ରେ ଅଶୋଧିତ ତୈଳ ଆମଦାନୀ ୧୪୩.୧ ବିଲିୟନ ଡଲାରରୁ ହ୍ରାସ ପାଇଛି, ତଥାପି ଭାରତର ମୋଟ ଆମଦାନୀର ୧୭.୪ ପ୍ରତିଶତ ଥିଲା। ଖାଇବା ତେଲ ୨.୫ ପ୍ରତିଶତ ଥିଲା। ଏହି ଚାରୋଟି ସାମଗ୍ରୀର ମୋଟ ଆମଦାନୀ ବିଲ୍ ଆର୍ଥିକ ବର୍ଷ ୨୧ରେ ୧୧୨ ବିଲିୟନ ଡଲାରରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୬ରେ ୨୪୦.୭ ବିଲିୟନ ଡଲାର ହୋଇଛି । ଏହା ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ଘରୋଇ ଚାହିଦାକୁ ପ୍ରତିଫଳିତ କରେ ।