ନୂଆଦିଲ୍ଲୀ ୨୬।୦୨ : ବିଶ୍ୱରେ ଯୁଦ୍ଧର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ଫୋକସ୍ ଏବେ କେବଳ ମହଙ୍ଗା ମିସାଇଲ ଉପରେ ନୁହେଁ, ବରଂ ସେଗୁଡ଼ିକର ଛୋଟ ମଡେଲର ବଡ଼ ଭଣ୍ଡାର ଉପରେ ରହିଛି। ନିକଟରେ ପିନାକା ରକେଟ୍ ସିଷ୍ଟମର ଏୟାର ଭର୍ସନ ପରୀକ୍ଷଣକୁ ଏହାର ଅଂଶ କୁହାଯାଏ। ବ୍ରହ୍ମୋସ୍ ଭଳି ଶତ ପ୍ରତିଶତ ସଠିକତା ଓ ମାରକ କ୍ଷମତା ପାଇଁ ଏହାକୁ ‘ବେବି ବ୍ରହ୍ମୋସ୍’ ମଧ୍ୟ କୁହାଯାଉଛି।

ଏ ଖବର ବି ପଢନ୍ତୁ:- ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଞ୍ଚଲ୍ୟକର ଖୁଲାସା, ବିମାନରୁ ହଜିଗଲା ବ୍ଲାକ୍‌ ବକ୍ସ!

ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ପରିବର୍ତ୍ତନକୁ ଜରୁରି ଦର୍ଶାଇ କହିଛନ୍ତି, ଯଦି ଆମ ପାଖରେ ଶସ୍ତା ଓ ଉଚ୍ଚ କୌଶଳଯୁକ୍ତ ଅସ୍ତ୍ର ରହିବ ତେବେ ଲମ୍ବା ଯୁଦ୍ଧରେ ଆମେ ଯେକୌଣସି ଶତ୍ରୁକୁ ହରାଇ ପାରିବୁ। ସଂସଦର ରକ୍ଷା ସମ୍ବନ୍ଧୀୟ ସ୍ଥାୟୀ ସମିତି ମଧ୍ୟ ନିଜର ସଦ୍ୟ ରିପୋର୍ଟରେ ଏହି ରଣନୀତିକୁ ସକାରାତ୍ମକ ବୋଲି କହିଛି। ଭୀଷଣ ଓ ଲମ୍ବା ଯୁଦ୍ଧର ସ୍ଥିତିରେ ଏଭଳି ଅସ୍ତ୍ରର ଆବଶ୍ୟକତା ଭାରତର ରହିଛି, ଯାହା ବ୍ୟାପକ ରୂପେ ଓ କମ୍ ଖର୍ଚ୍ଚରେ ଦେଶରେ ନିର୍ମିତ ହୋଇପାରିବ ବୋଲି ଏହା ସ୍ପଷ୍ଟ କରିଛି। ଏହି ନୀତି ନିମନ୍ତେ ବଜେଟ୍ରେ ଆବଣ୍ଟିତ ରାଶିର ଏକ ବଡ଼ ଅଂଶ ସ୍ୱଦେଶୀ ଅସ୍ତ୍ର କିଣା ଲାଗି ସୁରକ୍ଷିତ ରଖାଯାଇଛି। ଏହା ଦ୍ୱାରା ଯୁଦ୍ଧ ସମୟରେ ବିଦେଶୀ ଯୋଗାଣ ଶୃଙ୍ଖଳା ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ। ପିନାକା ରକେଟ୍ ଲଞ୍ଚର୍ ହାଇ-ମୋବିଲିଟି ମିଲିଟ୍ର ଟ୍ରକ୍ରେ ଫିଟ୍ ହେବ। ଏହା ଭୂପୃଷ୍ଠରୁ ନିକ୍ଷେପ ହେଉଥିବା ଏକ ରକେଟ୍ ତୋପଖାନା ପ୍ରଣାଳୀ। ଗୋଟିଏ ଲଞ୍ଚର୍ ଟ୍ରକ୍ରେ ୧୨ ରକେଟ୍ ଟ୍ୟୁବ୍ ରହିବ। ମରୁଭୂମି, ପାହାଡ଼ ଓ ପଡ଼ିଆରୁ ଏହା ଉପଯୋଗ ହୋଇପାରିବ । ରକେଟ୍ ନିକ୍ଷେପ ପରେ ତୁରନ୍ତ ସ୍ଥାନ ପରିବର୍ତ୍ତନର କ୍ଷମତା ଏହାର ରହିଛି। ନାଭିଗେସନ୍ ସିଷ୍ଟମ୍ ଯୋଗୁ ଦୂରରୁ ଦ୍ରୁତ ଓ ସଠିକ୍ ଟାର୍ଗେଟ୍ କରିବାରେ ଏହା ସକ୍ଷମ। କାରଗିଲ ଯୁଦ୍ଧ (୧୯୯୯)ରେ ଉପଯୋଗ ପରେ ଏହା ଭାରତୀୟ ସେନାରେ ସାମିଲ ହୋଇଥିଲା। ଡିଆର୍ଡିଓ ଏହାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଡିଜାଇନ୍ ଓ ନିର୍ମାଣ କରିଛି। ସ୍ୱଦେଶୀ ଶକ୍ତି ସମେତ ଭାରତ ଇସ୍ରାଏଲଠୁ ‘ଆଇରନ୍ ବିମ୍’ ଭଳି ଲେଜର୍ ଆଧାରିତ ପ୍ରଣାଳୀ ହାସଲ ପାଇଁ ପ୍ରସ୍ତୁତି ଚଳାଇଛି। ଏହି କୌଶଳ ଖୁବ୍ କମ୍ ବିଜୁଳି ଖର୍ଚ୍ଚରେ ରକେଟ୍କୁ ଆକାଶରେ ଜଳାଇଦିଏ। ଅନ୍ୟପକ୍ଷେ, ଭାରତ ଛୋଟ ଯୁଦ୍ଧାସ୍ତ୍ରର ପେଣ୍ଠସ୍ଥଳୀ ହେବା ଦିଗରେ ଆଗକୁ ବଢୁଛି। ଆର୍ମେନିଆ ପରେ ଏବେ ଫ୍ରାନ୍ସ ପିନାକା ରକେଟ୍ ସିଷ୍ଟମ୍ (ବେବି ବ୍ରହ୍ମୋସ୍)ରେ ଖାସ୍ ରୁଚି ଦେଖାଇଛି।

ଏ ଖବର ବି ପଢନ୍ତୁ:- ଭାରତ-ଜିମ୍ବାଓ୍ୱେ ମୁକାବିଲା ପୂର୍ବରୁ ସ୍ପଷ୍ଟ ହୋଇଯିବ ସେମି ଚିତ୍ର ! ଟିମ୍ ଇଣ୍ଡିଆ ପାଇଁ ଜରୁରୀ ଆଫ୍ରିକା-ଇଣ୍ଡିଜ୍ ମ୍ୟାଚ୍