Cuts Export Duties on Fuel: ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଉପରେ ରପ୍ତାନି ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର। ନୂଆ ହାର ଜୁନ୍ ୧ ରୁ କାର୍ଯ୍ୟକାରୀ ହେବ। ଏନେଇ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ପ୍ରଚଳିତ ଉତ୍ପାଦ ଶୁଳ୍କ ହାର ଅପରିବର୍ତ୍ତିତ ରହିଛି, ଅର୍ଥାତ୍ ଦେଶ ଭିତରେ ଇନ୍ଧନ କିଣୁଥିବା ଲୋକମାନଙ୍କୁ ଏଥିରେ କୌଣସି ଲାଭ ମିଳିବ ନାହିଁ। ବରଂ ବିଦେଶୀକୁ ରପ୍ତାନୀ କରି କମ୍ପାନୀମାନେ ଏଥିରେ ଲାଭବାନ ହେବେ।ସରକାରୀ ଘୋଷଣା ଅନୁସାରେ, କାହା ଉପରେ କେତେ କଟିଲା ଶୁଳ୍କ ଆସନ୍ତୁ ଜାଣିବା।

• ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ପ୍ରତି ଲିଟର ₹୧.୫ ସ୍ଥିର କରାଯାଇଛି।
• ଡିଜେଲ ରପ୍ତାନି ଉପରେ ଶୁଳ୍କ ପ୍ରତି ଲିଟର ₹୧୩.୫ ସ୍ଥିର କରାଯାଇଛି।
• ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଶୁଳ୍କ ପ୍ରତି ଲିଟର ₹୯.୫ ସ୍ଥିର କରାଯାଇଛି।

ସୂଚନା ଥାଉକି ଏହି ଦରଗୁଡ଼ିକ ପ୍ରତି ୧୫ ଦିନରେ ସଂଶୋଧନ କରାଯାଏ। ହୋଇଥିବା ଏହି ନୂଆ ପରିବର୍ତ୍ତନ ଗତଥର ସମୀକ୍ଷା କରି କରାଯାଇଛି। କାରଣ ଏହି ସମୟ ମଧ୍ୟରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ ଏବଂ ATFର ହାରାହାରି ଅନ୍ତର୍ଜାତୀୟ ମୂଲ୍ୟ ଅପଡାଉନ ହୋଇଛି।

ମେ ୨୫ ତାରିଖରେ ବଢ଼ିଲା ତୈଳ ଦର

ଅନ୍ତର୍ଜାତୀୟ ସ୍ତରର ଅଶୋଧିତ ତୈଳ ଦର ବଢ଼ିବାକୁ ନେଇ ଭାରତୀୟ କମ୍ପାନୀଗୁଡ଼ିକ ୪ ଥର ତୈଳ ଦର ବଢାଇ ସାରିଲେଣି। ଶେଷଥର ମେ ୨୫ ତାରିଖରେ ପେଟ୍ରୋଲର ଲିଟର ପିଛା ₹୨.୬୧ ଏବଂ ଡିଜେଲର ଲିଟର ପିଛା ₹୨.୭୧ ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ, ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ₹୧୦୨.୧୨ ଏବଂ ଡିଜେଲର ମୂଲ୍ୟ ₹୯୫.୨୦ରେ ପହଞ୍ଚିଛି। ଭୁବନେଶ୍ୱର ପେଟ୍ରୋଲ ଲିଟର ପ୍ରତି ୧୦୯ ଟଙ୍କା ଓ ଡିଜେଲ ଲିଟର ୧୦୦.୬୮ ପଇସା ରହିଛି।

ମାର୍ଚ୍ଚ ୨୭ରେ ଏକ୍ସାଇଜ ଡ୍ୟୁଟି ୧୦ ଲେଖାଏ କମାଇଥିଲେ ସରକାର

ପୂର୍ବରୁ, ୨୭ ମାର୍ଚ୍ଚରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରିବା ପାଇଁ ସରକାର ସ୍ପେଶାଲ ଏକ୍ସାଇଜ ଡ୍ୟୁଟି ଉଭୟ ତୈଳ ଉପରେ ₹୧୦ ଲେଖାଏ ହ୍ରାସ କରିଥିଲେ। ପେଟ୍ରୋଲ ଉପରେ ଶୁଳ୍କ ପ୍ରତି ଲିଟର ₹୧୩ ରୁ ହ୍ରାସ କରି ₹୩ କରାଯାଇଥିବା ବେଳେ ଡିଜେଲ ଉପରେ ଶୁଳ୍କ ₹୧୦ ରୁ ହ୍ରାସ କରି ଶୂନ୍ୟ କରାଯାଇଥିଲା। କେନ୍ଦ୍ର ସରକାର ପୂର୍ବରୁ ପ୍ରତି ଲିଟର ପେଟ୍ରୋଲ ଉପରେ ମୋଟ ₹୨୧.୯୦ ଉତ୍ପାଦ ଶୁଳ୍କ ଆଦାୟ କରୁଥିଲେ।

ସ୍ପେସାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ, ଏହାକୁ ₹୧୧.୯୦ କୁ ହ୍ରାସ କରାଯାଇଥିଲା। ସେହିପରି, ପ୍ରତି ଲିଟର ଡିଜେଲ ଉପରେ ମୋଟ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ₹୧୭.୮ ରୁ ₹୭.୮ କୁ ହ୍ରାସ କରାଯାଇଥିଲା। ଏହି ସରକାରୀ ନିଷ୍ପତ୍ତି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ସ୍ଥିର ରଖିବା ପାଇଁ ଥିଲା। ଏହି ନିଷ୍ପତ୍ତି ଯୋଗୁ, ସେତେବେଳେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇନଥିଲା।