ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଆନ୍ଦୋଳନକାରୀଙ୍କ ବିରୋଧରେ ହେଉଥିବା ହିଂସାକୁ ଭାରତ କଡ଼ ନିନ୍ଦା କରିଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଛନ୍ତି ଯେ ଆମେ ମାମଲା ଉପରେ ନଜର ରଖୁଛୁ। ପିଓକରେ ହେଉଥିବା ଆନ୍ଦୋଳନ ସମ୍ପର୍କିତ ଏକାଧିକ ଗୁଜବ ନ୍ୟୁଜ ଓ ଭିଡିଓ ସାମ୍ନାକୁ ଆସୁଛି। ମାନବାଧିକାର ଉଲ୍ଲଂଘନ ରୋକିବାରେ ପାକିସ୍ତାନ ସରକାର ଏହାର ବିଫଳତା ଲୁଚାଇବା ପାଇଁ ଏପରି ବୃଥା ଚେଷ୍ଟା କରୁଛି ବୋଲି ଜୟସ୍ୱାଲ କହିଛନ୍ତି। ମଙ୍ଗଳବାର ମାମଲା ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଜୟସ୍ୱାଲ। ଏହି ବିକ୍ଷୋଭକୁ ଦମନ କରିବା ପାଇଁ ପାକିସ୍ତାନ ପକ୍ଷରୁ ମିଥ୍ୟା ଖବର ଏବଂ ଭିଡିଓ ପ୍ରଚାର କରାଯାଉଛି ବୋଲି ଜୟସ୍ୱାଲ କହିଛନ୍ତି।

ସୂଚନା ଥାଉକି ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳ ତେଜିଛି। ହେଲେ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନୀ ସୁରକ୍ଷାକର୍ମୀ ଅତ୍ୟଧିକ ବଳ ପ୍ରୟୋଗ କରୁଥିବା ଖବର ସାମ୍ନାକୁ ଆସିଛି। ଏନେଇ ଜୟସ୍ୱାଲ କହିଛନ୍ତି, "ପିଓକେରେ ପୋଲିସର ବର୍ବରତା ସମ୍ପର୍କରେ ରିପୋର୍ଟ ରହିଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆମେ ଆଶା କରୁଛୁ ଯେ ଆନ୍ତର୍ଜାତୀୟ ସମୁଦାୟ ପାକିସ୍ତାନର ଏହି ଅପକର୍ମ ଏବଂ ଅତ୍ୟାଚାର ପାଇଁ ତାକୁ ଉତ୍ତରଦାୟୀ କରିବେ।"

Also read- ପ୍ରଥମ ଥର ‘ରେଡି ଟୁ ଫାୟାର’ ମୋଡ୍ରେ ଭାରତର ପରମାଣୁ ମିସାଇଲ୍, ଅସ୍ତ୍ର ଭଣ୍ଡାରରେ ବି ବୃଦ୍ଧି: ରିପୋର୍ଟ

ବିକ୍ଷୋଭକାରୀ ଏବଂ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ହିଂସାତ୍ମକ ସଂଘର୍ଷ ଯୋଗୁଁ PoKରେ ଉତ୍ତେଜନା ଲାଗି ରହିଛି। ରବିବାର ରାତିରେ ହୋଇଥିବା ସଂଘର୍ଷରେ ଅତି କମରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନେକ ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି। ରାୱଲାକୋଟ ଏବଂ ମୁଜଫରାବାଦରେ ହିଂସା ପରେ ଯୋଗାଯୋଗ ସେବା (Internet/Communication) ବାଧାପ୍ରାପ୍ତ ହୋଇଛି। ଭିମ୍ବର ଏବଂ କୋଟଲି ସମେତ ଅନେକ ସହରରେ ବିକ୍ଷୋଭ ବ୍ୟାପିବାରେ ଲାଗିଛି, ଯେଉଁଠାରେ ଶହ ଶହ ଲୋକ ସରକାର ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇଛନ୍ତି।

ଏହି ଅଶାନ୍ତି ଏବେ ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିଛି। ବ୍ରିଟେନର ୫୦ରୁ ଅଧିକ ସାଂସଦ ବ୍ରିଟିଶ ବୈଦେଶିକ ସଚିବ ଇଭେଟ କୁପରଙ୍କୁ ଏକ ଚିଠି ଲେଖିଛନ୍ତି। ସେମାନେ PoKରେ ଯୋଗାଯୋଗ ବ୍ଲାକଆଉଟ୍, ଗିରଫଦାରୀ ଏବଂ ବଢୁଥିବା ଉତ୍ତେଜନାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ବ୍ରିଟିଶ ସାଂସଦମାନେ କହିଛନ୍ତି ଯେ, ବ୍ରିଟେନରେ ଥିବା କାଶ୍ମୀରୀମାନେ ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାରେ ସଂଘର୍ଷ କରୁଛନ୍ତି ଏବଂ ଏହି ଯୋଗାଯୋଗ କଟକଣା ପରିସ୍ଥିତିକୁ ଆହୁରି ଅଧିକ ବିଗାଡ଼ି ଦେବାର ଆଶଙ୍କା ରହିଛି।