ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ଏବେ ପ୍ରଶ୍ନ ଉଠୁଛି । ସୁରକ୍ଷା ବିତର୍କ ମଧ୍ୟରେ, ସରକାରଙ୍କ ପ୍ରାଥମିକ ଚିନ୍ତା ହେଉଛି ଯେ ଏହି ଫିଚର ଦ୍ୱାରା ଠକେଇ ବଢିପାରେ । ନକଲି ପରିଚୟ ଏବଂ ଅନଲାଇନ୍ ଠକେଇର ସମ୍ଭାବନା ବିଷୟରେ ଚିନ୍ତିତ ସରକାର ହ୍ୱାଟ୍ସଆପକୁ ନୋଟିସ ଜାରି କରି ଏହି ଫିଚର ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ।

କେନ୍ଦ୍ର ସରକାର ନୋଟିସରେ କହିଛନ୍ତି, 'ୟୁଜରନେମ୍' ଫିଚର୍ ଅନଲାଇନ୍ ଠକେଇ, ଫିସିଂ ଏବଂ ଡିଜିଟାଲ୍ ଗିରଫଦାରୀ ସହିତ ଜଡିତ ସାଇବର ଅପରାଧର ଘଟଣାଗୁଡ଼ିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିପାରେ । ନୋଟିସ୍ ଅନୁଯାୟୀ, ଏହି ଫିଚର୍ ଜରିଆରେ ସାଇବର ଠକ ଲୋକଙ୍କୁ ସହଜରେ ଠକିପାରିବାର ଆଶଂକା ରହିଛି ।

ନୋଟିସରେ ମେଟାକୁ ଏହି ନୂଆ ଫିଚର ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ ସହିତ ତିନି ଦିନ ମଧ୍ୟରେ ଏକ ବିସ୍ତୃତ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିଷୟ ଉପରେ ସମସ୍ତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଭାରତରେ ହ୍ୱାଟସଆପର 'ୟୁଜରନେମ୍' ଫିଚର ଆରମ୍ଭ ନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Also Read:ଅଇନ୍‌ଲାଇନ୍ ଫ୍ରଡ୍ ଆଶଂକା, ହ୍ୱାଟ୍ସଆପ୍ Username ଫିଚର୍‌ର ଯାଞ୍ଚ କରିବେ ସରକାର

ସରକାରଙ୍କ ଭୟ ଯେ ଏହି ନୂଆ ହ୍ୱାଟ୍ସଆପ୍ ଫିଚର ଅନଲାଇନ୍ ଠକେଇ ମାମଲା ବୃଦ୍ଧି କରିପାରେ । ସୂତ୍ର ଅନୁଯାୟୀ, ସରକାର ଜାତୀୟ ସୁରକ୍ଷା ଏବଂ ସାଧାରଣ ସୁରକ୍ଷା ସହିତ କୌଣସି ପ୍ରକାରେ ସାଲିସ କରିବେ ନାହିଁ । ସରକାର ଏହି ଫିଚରର ଆଇନଗତ ଢାଞ୍ଚା ଏବଂ ସମ୍ବନ୍ଧିତ ବ୍ୟବସ୍ଥା ସମୀକ୍ଷା କରୁଛନ୍ତି । ସରକାର ଏହି ଫିଚରର ପ୍ରଭାବ, ସୁରକ୍ଷା ପଦକ୍ଷେପ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ହ୍ୱାଟ୍ସଆପ୍ ଠାରୁ ସ୍ପଷ୍ଟୀକରଣ ଲୋଡିବେ । ଭାରତରେ ହ୍ୱାଟ୍ସଆପର ପ୍ରାୟ ୫୦ କୋଟି ୟୁଜର ଅଛନ୍ତି । ସେହିପରି, ହ୍ୱାଟ୍ସଆପ୍ ଦାବି କରୁଛି ଯେ ଏହି ଫିଚର ୟୁଜରଙ୍କ ଗୋପନୀୟତା ବୃଦ୍ଧି କରିବା ଲକ୍ଷ୍ୟରେ ବିକଶିତ କରାଯାଇଛି ।