ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ନିକଟରେ ନିଜର ନୂଆ ୟୁଜରନେମ୍ ଫିଚର୍ ଲଞ୍ଚ୍ କରିଛି । ଏହି ଫିଚର୍ ଜରିଆରେ ଏବେ ଲୋକମାନେ ନିଜ ମୋବାଇଲ୍ ନମ୍ୱର ନ ଦେଇ ମଧ୍ୟ ଅନ୍ୟ ୟୁଜର୍ସଙ୍କ ସହ କଥା ହୋଇପାରିବେ । କମ୍ପାନିର କହିବା କଥା ଏପରି କରିବା ଦ୍ୱାରା ୟୁଜର୍ସଙ୍କ ଗୋପନୀୟତା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ । କିନ୍ତୁ ଭାରତ ସରକାର ଏହି ଫିଚର୍ସଙ୍କୁ ନେଇ ସତର୍କ ହୋଇଛନ୍ତି । ସରକାରଙ୍କ ଆଶଂକା ଯଦି ଏହାର ଭୁଲ ବ୍ୟବହାର ହୁଏ, ତେବେ ଅଇନଲାଇନ୍ ଫ୍ରଡ୍ ଏବଂ ଫେକ୍ ଆଇଡି ସଂଖ୍ୟା ବୃଦ୍ଧି ପାଇବ ।

ଆଜତକ୍ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରର ଗୋପନୀୟତା ଏବଂ ସୁରକ୍ଷା ଦିଗକୁ ଯାଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ଫିଚର ସାଇବର ଅପରାଧୀଙ୍କ ପାଇଁ ଯେପରି ନୂଆ ଅସ୍ତ୍ର ପାଲଟିବନି ସରକାର ସେହି ଭରସା ଚାହୁଁଛନ୍ତି । ଯଦି ଯାଞ୍ଚ ବେଳେ ବଡ଼ ତ୍ରୁଟି ସାମନାକୁ ଆସେ ତେବେ ହ୍ୱାଟ୍ସଆପର ପେରେଣ୍ଟ କମ୍ପାନି ମେଟାକୁ ନୋଟିସ୍ ମଧ୍ୟ ପଠାଯିବ ।

ଏହି ହ୍ୱାଟ୍ସଆପ୍ ଫିଚର୍ ଟେଲିଗ୍ରାମ୍ ପରି କାମ କରେ । ପୂର୍ବରୁ, ହ୍ୱାଟ୍ସଆପ୍‌ରେ କାହା ସହିତ ଚାଟ୍ କରିବା ପାଇଁ ସଂପୃକ୍ତ ୟୁଜରଙ୍କ ମୋବାଇଲ୍ ନମ୍ବର ଆବଶ୍ୟକ ହେଉଥିଲା । ଏବେ, ୟୁଜର କେବଳ ସେମାନଙ୍କର ୟୁଜରନେମ୍ ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରିପାରିବେ । ଏହାର ସବୁଠୁ ବଡ଼ କଥା ହେଉଛି, ଆପଣଙ୍କ ମୋବାଇଲ୍ ନମ୍ବର ଅନ୍ୟ ବ୍ୟକ୍ତିଙ୍କୁ ଦେଖାଯିବ ନାହିଁ । କମ୍ପାନି କହିଛି ଯେ ଏହା ଗୋପନୀୟତାକୁ ଉନ୍ନତ କରିବ ଏବଂ ଅଜଣା ଲୋକଙ୍କ ସହିତ ଆପଣଙ୍କ ନମ୍ବର ସେୟାର କରିବାର ଆବଶ୍ୟକତାକୁ ଦୂର କରିବ ।

ତେବେ ସରକାରଙ୍କ ଏହାକୁ ନେଇ ଅନ୍ୟ ଚିନ୍ତା ରହିଛି । ଅଧିକାରୀଙ୍କ ମତ, ଯଦି କେହି ଅନ୍ୟ କାହାର ନାଁ ସହିତ ସମାନ ଏକ ୟୁଜରନେମ୍ ତିଆରି କରନ୍ତି କିମ୍ବା ନିଜର ପ୍ରକୃତ ପରିଚୟ ଲୁଚାଇ ଲୋକଙ୍କ ସହିତ ଯୋଗାଯୋଗ କରନ୍ତି, ତେବେ ଅନଲାଇନ୍ ଠକେଇର ନୂଆ ଅସ୍ତ୍ର ପାଲଟିବ ।

ଟେଲିଗ୍ରାମରେ ନକଲି ୟୁଜରନେମ୍ ଏବଂ ଠକେଇର ଅନେକ ମାମଲା ସାମ୍ନାକୁ ଆସିଛି । ଏହି କାରଣରୁ ସରକାର ହ୍ୱାଟ୍ସଆପର ନୂତନ ଫିଚର ସମ୍ପର୍କରେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି । ସୋସିଆଲ ମିଡିଆରେ କିଛି ଲୋକ ଏହି ଫିଚର ବିଷୟରେ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି । ସେପଟେ କମ୍ପାନି କହିଛି ଯେ ପ୍ରତ୍ୟେକ ୟୁଜରନେମ୍ ଭିନ୍ନ ହେବ ଏବଂ କିଛି ହାଇ-ପ୍ରୋଫାଇଲ୍ ନାଁକୁ କପି ନକରିବା ପାଇଁ ପୂର୍ବରୁ ସୁରକ୍ଷିତ ରଖାଯିବ । ଏହା ସହିତ, ହ୍ୱାଟ୍ସଆପ୍ କୌଣସି ପ୍ରକାରର ସାର୍ବଜନୀନ ୟୁଜରନେମ୍ ଡାଇରେକ୍ଟୋରୀ ତିଆରି କରୁନାହିଁ । ଅର୍ଥାତ୍ ଯଦି ଆପଣ ପୂର୍ବରୁ କାହାର ୟୁଜରନେମ୍ ଜାଣିଛନ୍ତି ତେବେ ଆପଣ କେବଳ ତାହା ବ୍ୟବହାର କରିପାରିବେ ।