ଭୁବନେଶ୍ୱର, ୦୨/୧୦ :ଆଗାମୀ ଦିନରେ ୪ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଇଣ୍ଡିଆ ବ୍ଲକ୍ । ସେଥି ମଧ୍ୟରୁ ମତଦାତାଙ୍କ ଭୋଟ ଅଧିକାରର ସୁରକ୍ଷା,ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ବ ଅଧିକାର,ଶିକ୍ଷା ବ୍ୟବସ୍ଥା ଏବଂ ବନ୍ୟାପ୍ରଭାବିତ ଲୋକଙ୍କ ନ୍ୟାୟସଙ୍ଗତ ଦାବି ଗୁରୁତ୍ବ ବହନ କରିବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବହିଷ୍କାର ମୁଖ୍ୟ ଦାବି ରହିବ। ଏହା ସହିତ ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ-୨୦୨୬କୁ ତୁରନ୍ତ ରଦ୍ଦ କରିବା,ପାଠ୍ୟପୁସ୍ତକ ଯୋଗାଣରେ ଚରମ ଅରାଜକତା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ଓ ଯଥୋଚିତ କ୍ଷତିପୂରଣ ଦେବାକୁ ଇଣ୍ଡିଆ ବ୍ଳକ ଦାବି କରିବ।

ଏହି ଦାବିଗୁଡ଼ିକ ପୂରଣ କରିବା ନେଇ ଜୋଦଦାର ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତଙ୍କ ଅଧ୍ଯକ୍ଷତାରେ ଇଣ୍ଡିଆ ବ୍ଳକର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଭକ୍ତ କହିଥିଲେ,ଚଳିତ ମାସ ୨ରୁ ୮ ତାରିଖ ପର୍ଯ୍ୟନ୍ତ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ ପାଳନ କରାଯିବ। ୨ରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ,୩ରେ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ କରାଯିବ।

Also Read :- ଆସୁଛି ଅବପାତ ! ଆଣ୍ଡାମାନ ସାଗରରେ ବଢାଉଛି ଶକ୍ତି, ଦଶହରାରେ ଓଡିଶାକୁ ବିପଦ

ସେହିପରି ୩ରୁ ୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସଭା,ପଦଯାତ୍ରା ଓ ଜନଜାଗରଣ କାର୍ଯ୍ୟକ୍ରମ କରାଯିବ। ୬ରେ ପ୍ରତ୍ୟେକ ଜିଲ୍ଲାରେ ବିଶାଳ ପଦଯାତ୍ରା ଓ ଜନସଭା ହେବ । ୭ରେ ରାଜଧାନୀ ସମେତ ଜିଲ୍ଲା ଓ ବ୍ଳକ ମୁଖ୍ୟାଳୟରେ ମଶାଲ ଶୋଭାଯାତ୍ରା ହେବ। ୮ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ‘ଓଡ଼ିଶା ବନ୍ଦ ପାଳନ କରାଯିବ। ତେବେ ଅତ୍ୟାବଶ୍ୟକ ସେବା ଗୁଡିକ ବନ୍ଦରୁ ବାଦ୍ ଦିଆଯିବ ବୋଲି ଭକ୍ତ କହିଛନ୍ତି ।