ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଲଗାତାର ନିଜ ଶକ୍ତି ବୃଦ୍ଧି କରୁଛି । ଓଡ଼ିଶା ଉପକୂଳରୁ ଲଗାତାର ସଫଳ ମିସାଇଲ୍ ପରୀକ୍ଷଣ କରି ଶତ୍ରଙ୍କୁ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି । ଏହାରି ଭିତରେ ଭାରତ ବଙ୍ଗୋପସାଗରରେ ଜୁନ୍ ୪ରୁ ୯ ମଧ୍ୟରେ ସମ୍ଭାବିତ ମିସାଇଲ୍ ପରୀକ୍ଷଣକୁ ନେଇ ନୋଟମ୍ ଏବଂ ନୌବାହାନ ଚେତାବନୀ ଜାରି କରିଛି । ଏହା ସଂକେତ ଦେଉଛି ଯେ ଭାରତୀୟ ବାୟୁ ସେନା ଏବଂ ନୌସେନା ବ୍ୟାପକ ସ୍ତରରେ ମିସାଇଲ୍ ପରୀକ୍ଷଣ କରିପାରେ । ପ୍ରଥମ ନୋଟିସ୍ ଓଡ଼ିଶା ସ୍ଥିତ ଅବଦୁଲ କଲାମ ଦ୍ୱୀପ ମିସାଇଲ୍ ପରୀକ୍ଷଣ କେନ୍ଦ୍ର ସହ ଜଡ଼ିତ । ଏହା ଅନୁସାରେ ଜୁନ୍ ୪ରୁ ୯ ଯାଏ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି ।

ସୂତ୍ର ଅନୁଯାୟୀ ଜୁନ ୪ରୁ ଜୁନ ୯ ମଧ୍ୟରେ ଏକ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇପାରେ । ବିଶାଖାପାଟଣାରେ ଥିବା ଭାରତୀୟ ନୌସେନାର ପୂର୍ବ କମାଣ୍ଡ କ୍ଷେତ୍ରରୁ ଦ୍ୱିତୀୟ ନୋଟିସ୍ ଜାରି କରାଯାଇଛି । ଜୁନ ୭ରୁ ଜୁନ୍ ୯ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ନୌସେନା ଜାହାଜ ଦ୍ୱାରା ଏକ ସମ୍ଭାବ୍ୟ ଅସ୍ତ୍ର କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷଣ ଘୋଷଣା କରାଯାଇପାରେ । ଏଥିପାଇଁ ପ୍ରାୟ ୪୭୦ କିଲୋମିଟର ଲମ୍ବା ଏକ ସମୁଦ୍ର ଅଞ୍ଚଳ ଚିହ୍ନଟ କରାଯାଇଛି ।

ଭାରତ ଦ୍ରୁତ ଗତିରେ ତାର ସାମରିକ ଶକ୍ତି ବୃଦ୍ଧି କରୁଛି । ଭାରତୀୟ ସାମରିକ ବାହିନୀ ନିୟମିତ ଭାବରେ ଆଧୁନିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛି । ପୂର୍ବରୁ ଏପ୍ରିଲ ୨୫ରୁ ମେ ୬ ପର୍ଯ୍ୟନ୍ତ "ଏୟାରମ୍ୟାନଟୁ ନୋଟିସ୍" (NOTAM) ଜାରି କରିଥିଲା । ଗତ କିଛି ମାସ ମଧ୍ୟରେ, ଭାରତ ଏହାର ରଣନୈତିକ କ୍ଷେପଣାସ୍ତ୍ର ଅସ୍ତ୍ରାଗାରର ପରୀକ୍ଷଣକୁ ତ୍ୱରାନ୍ୱିତ କରିଛି । ଅଗ୍ନି ସିରିଜ୍, ବୁଡ଼ାଜାହାଜରୁ ଉତକ୍ଷେପଣ କରାଯାଇଥିବା କେ-୪ ଏବଂ ହାଇପରସୋନିକ୍ LRAShM ସହିତ ନିଜ ଅସ୍ତ୍ରର ସଠିକ୍ କ୍ଷମତା ଯାଞ୍ଚ କରୁଛି । ୮୦୦ କିଲୋମିଟର ଦୂରଗାମୀ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ୨୦୨୭ ଶେଷ ସୁଦ୍ଧା ସେବାରେ ସାମିଲ ହେବା ନେଇ ଆଶା କରାଯାଉଛି ।