ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତ ୮୫ ପଦକ ସହ ଦମଦାର ଭାବେ ନିଜର ଅଭିଯାନ ସମାପ୍ତ କରିଛି। ଭାରତ ୨୧ ସ୍ଵର୍ଣ୍ଣ, ୨୭ ରୌପ୍ୟ ଏବଂ ୩୭ କାଂସ୍ୟ ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନ ହାସଲ କରିଛି। ଭାରତ ଆଗରେ ଚୀନ, ଆୟୋଜକ ଜାପାନ ଓ ଦକ୍ଷିଣ କୋରିଆ ରହିଛନ୍ତି। ଏହା ଏସୀୟ କ୍ରୀଡ଼ାରେ ଭାରତର ଦ୍ଵିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ହଙ୍ଗଝଉ ଏସୀୟ କ୍ରୀଡ଼ା ୨୦୨୨ରେ ଭାରତ ରେକର୍ଡ ୧୦୬ ପଦକ ଜିତିଥିଲା।

ପାଖାପାଖି ୫୦୦ ଖେଳାଳିଙ୍କ ଦଳ ସହିତ ଜାପାନ ପହଞ୍ଚିଥିବା ଭାରତ ଏଥର ମଧ୍ୟ ଏସିଆର ପ୍ରମୁଖ କ୍ରୀଡ଼ା ଶକ୍ତିରେ ସାମିଲ୍ ରହିଛି। ଖାସ୍ କଥା ପଦକ ସଂଖ୍ୟାଠୁ ଅଧିକ ଚର୍ଚ୍ଚା ସେହି ଐତିହାସିକ ଉପଲବ୍ଧି ଉପରେ ହେଉଛି, ଯେଉଁଥିରେ ଭାରତୀୟ ଖେଳାଳି ଭିନ୍ନ ଭିନ୍ନ କ୍ରୀଡ଼ାରେ ସ୍ଵର୍ଣ୍ଣିମ ସଫଳତା ହାସଲ କରିଛନ୍ତି।

ହକିରେ ଡବଲ ଧମାକା

ଭାରତ ପାଇଁ ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ପୁରୁଷ ହକି ଟିମର ପ୍ରଦର୍ଶନ ରହିଛି। ହରମନପ୍ରୀତ ସିଂଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ଲଗାତାର ଦ୍ଵିତୀୟ ଥର ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।

Also Read: ପରାଜୟ ପାଇଁ ବୋଲର ଦାୟୀ, କ୍ୟାଚ୍ ଧରିପାରୁ ନାହାଁନ୍ତି ଫିଲ୍ଡର ! ଗମ୍ଭୀରଙ୍କ ଉପରେ ରାଗିଗଲେ କି ଗିଲ୍ ?

ମହିଳା ହକି ଟିମ୍ ମଧ୍ୟ ଦୀର୍ଘ ସମୟ ଅପେକ୍ଷାର ମଧ୍ୟ ଅନ୍ତ ଘଟାଇଛନ୍ତି। ଚୀନକୁ ୧-୦ରେ ହରାଇ ଭାରତୀୟ ଦଳ ଦୀର୍ଘ ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଛି। ଏହିପରି ପ୍ରଥମ ଥର ଗୋଟିଏ ସଂସ୍କରଣରେ ଭାରତର ପୁରୁଷ ଏବଂ ମହିଳା ଟିମ୍ ସ୍ଵର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ଏହା ସହ ମହିଳା  ହକି ଟିମ୍ ଆଗାମୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି।

କ୍ରିକେଟ୍- କବାଡ଼ିରେ ମଧ୍ୟ ଗୋଲ୍ଡ ମେଡାଲ୍

ଭାରତ କ୍ରିକେଟ୍ ମଇଦାନରେ ମଧ୍ୟ ନିଜର ପ୍ରଭୁତ୍ଵ ଜାହିର କରିଛି। ଉଭୟ ଭାରତ ଓ ମହିଳା ଟିମ୍ କ୍ରିକେଟରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଟିମ୍ ଫାଇନାଲରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୧୯ ରନରେ ହରାଇ ଗୋଲ୍ଡ ନିଜ ନାଁରେ  କରିଛି। ଆଉ କବାଡ଼ିରେ ମଧ୍ୟ ଭାରତ ପ୍ରଦର୍ଶନ ଚମତ୍କାର ରହିଛି। ଏଥର ବ ପୁରୁଷ ଓ ମହିଳା ଦଳ ପ୍ରଶଂସକଙ୍କୁ ନିରାଶ କରି ନାହାନ୍ତି। ଉଭୟ ଟିମ୍ ଫାଇନାଲରେ ଇରାନକୁ ହରାଇ ଗୋଲ୍ଡ ଜିତିବାରେ ସଫଳ ହୋଇଛନ୍ତି।

Also Read: ଇତିହାସ ରଚିଲା ଭାରତୀୟ ହକି ଟିମ୍, ଏସୀୟ କ୍ରୀଡ଼ାରେ ଜିତିଲା ୫ମ ଗୋଲ୍ଡ, ଅଲିମ୍ପିକ୍ସ ପାଇଁ କ୍ଵାଲିଫାଏ

ତୀରନ୍ଦାଜୀରୁ ଆସିଲା ୫ ସ୍ଵର୍ଣ୍ଣ

ତୀରନ୍ଦାଜୀ ଭାରତ ପାଇଁ ସବୁଠୁ ସଫଳ କ୍ରୀଡ଼ା ରହିଛି ଏବଂ ଦଳ ଏଥିରୁ ୫ ସ୍ଵର୍ଣ୍ଣ ନିଜ ନାଁରେ କରିଛି। ୧୭ ବର୍ଷୀୟ କୁମକୁମ ଅନିଲ ମୋହୋଡ ମହିଳା ବ୍ୟକ୍ତିଗତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ସେ ଏହି ପ୍ରତିଯୋଗିତାରେ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା। ଏହି ସଫଳତା ସହ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ କୁମକୁମ ଅଙ୍କିତା ଭକତ ଓ କୀର୍ତ୍ତି ଶର୍ମାଙ୍କ ସହ ମହିଳା ରିକର୍ଭ ଟିମରେ ଦେଶକୁ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।

ଗୋଲ୍ଫରେ ପ୍ରଣବୀ ଶରଥ ଉର୍ସ ମଧ୍ୟ ଇତିହାସ ରଚିଛନ୍ତି। ସେ ୧୫-ଅଣ୍ଡର  ୨୬୫ ସ୍କୋର ସହିତ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ପ୍ରଣବୀ ଏସୀୟ କ୍ରୀଡ଼ାରେ  ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା। ମହିଳା ଦଳଗତ ପ୍ରତିଯୋଗିତାରେ ପ୍ରଣବୀ, ଆଦିତି ଅଶୋକ ଓ ଦୀକ୍ଷା ଡାଗର ରୌପ୍ୟ ପଦକ ଜିତିଛନ୍ତି।

ସୁଟିଂରେ ଭାରତକୁ ୧୫ ପଦକ ମିଳିଛି। ନୀରୁ ଢାଣ୍ଡା ମହିଳା ବ୍ୟକ୍ତିଗତ ବର୍ଗରେ ସ୍ଵର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। କମଲଜିତ ଓ ସୁରୁଚି ସିଂ ମିଶ୍ରିତ ବର୍ଗରେ ୧୦ ମିଟର ଏୟାର ପିସ୍ତଲରେ ଗୋଲ୍ଡ ନିଜ ନାଁରେ କରିଛନ୍ତି। ସେହିପରି ଆଥଲେଟିକ୍ସରୁ ଭାରତକୁ ସର୍ବାଧିକ ୨୪ ପଦକ ମିଳିଛି।

Also Read: ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ ୫.୫ ଲକ୍ଷ; ବିଜେତା ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ