ନୂଆଦିଲ୍ଲୀ, ୦୩/୧୦ :ଚଳିତ ଏସିଆନ ଗେମ୍ସର ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଶନିବାର ଫାଇନାଲ୍ ତଥା ସ୍ବର୍ଣ୍ଣ ପଦକ ମୁକାବିଲା ଖେଳାଯିବ। ଏଥିରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ୱୀ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହେବେ। ଉଭୟ ଦଳ ପ୍ରଥମ ଥର ଏସିଆଡରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି।

Also Read :-'ପରମାଣୁ ଅସ୍ତ୍ର ପକାଇଦେବି' : ୟୁରୋପକୁ ଧମକ ଦେଲେ ପୁଟିନ, କହିଲେ...

ଆଜି ସକାଳ ୧୦.୩୦ରୁ ଏହି ହାଇ ଭୋଲଟେଜ୍ ମୁକାବିଲା ଆରମ୍ଭ ହେବ। ସେହିପରି ବ୍ରୋଞ୍ଜ ପଦକ ଲଢ଼େଇରେ ଶ୍ରୀଲଙ୍କା ଓ ବାଂଲାଦେଶ ସାମ୍ନାସାମ୍ନି ହେବେ। ସକାଳ ୫.୩୦ରୁ ମ୍ୟାଚ୍ ଆରମ୍ଭ ହେବ। ରେକର୍ଡ ଓ ପ୍ରଦର୍ଶନକୁ ଦେଖୁଲେ ଭାରତର ପଲା ଭାରି ରହିବା ସ୍ବାଭାବିକ। ଟି-ଟ୍ୱେଣ୍ଟି ଫର୍ମାଟରେ ଉଭୟ ଦଳ ୧୭ଥର ସାମ୍ନାସାମ୍ନି ହୋଇଛନ୍ତି। ଏଥିରେ ଭାରତ ୧୪ଟି ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ ୩ଟିରେ ବିଜୟ ହାସଲ କରିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ଦୁଇଟି ସେମି ଫାଇନାଲରେ ଭାରତ ୧୨୪ରନରେ ଶ୍ରୀଲଙ୍କାକୁ ଏବଂ ପାକିସ୍ତାନ ୬ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା।

ପାକିସ୍ତାନ ତୁଳନାରେ ଭାରତ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି। ପାକିସ୍ତାନ ଏକ ଯୁବ ଦଳ ନେଇ ଖେଳୁଛି। ମାତ୍ର ଭାରତ ପୂର୍ଣ୍ଣାଙ୍ଗ ଦଳ ସହ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିଥିବା ଇଶାନ କିଷନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବ ମ୍ୟାଚରେ ବିଫଳ ହୋଇଥିବା ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଫର୍ମକୁ ଫେରିଲେ ଦଳର ବିଜୟ ସହଜ ହେବ। ସେହିପରି ବୋଲିଂ ବିଭାଗ ଦୃଢ଼ ରହିଛି। ପେସ୍ ବୋଲର ଯଶପ୍ରୀତ ବୁମରା,ସ୍ପିନର ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ପାକିସ୍ତାନ ବ୍ୟାଟରଙ୍କ ପାଇଁ ଆହ୍ବାନପୂର୍ଣ ହେବେ।

ଓପନର ସାହିବଜାଦା ଫରହାନଙ୍କ ନେତୃତ୍ୱରେ ପାକିସ୍ତାନ ମଇଦାନକୁ ଓହ୍ୱାଇବ । ଏସିଆଡରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଗତ ଏସିଆ କପରେ ସେ ଭାରତ ବିପକ୍ଷରେ ୩ଟି ମ୍ୟାଚ୍ ଖେଳି ଯଥାକ୍ରମେ ୫୭,୫୮,୪୦ରନ୍ ସଂଗ୍ରହ କରିଥିଲେ । ସେହିପରି ଦଳରେ ସାଏମ୍ ଆୟୂବ,ଅବଦୁଲ ସମଦଙ୍କ ଭଳି ଦକ୍ଷ ବ୍ୟାଟର ରହିଛନ୍ତି। ସ୍ପିନର ଅବରାର ଅହମ୍ମଦ ଭାରତୀୟ ବ୍ୟାଟରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି।