ହରାରେ: ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟିଂ ଜାରି ରହିଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ଭାରତୀୟ ବ୍ୟାଟରମାନେ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ ବିଶାଳ ସ୍କୋର ଛିଡ଼ା କରିଛନ୍ତି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୯ ରନ୍ ସଂଗ୍ରହ କରିଛି। ଏହା ସହିତ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୯ମ ଥର ପାଇଁ ୨୦୦ରୁ ଅଧିକ ରନ୍ ସ୍କୋର କରି ଭାରତ ନିଜର ହିଁ ବିଶ୍ୱ ରେକର୍ଡକୁ ସମକକ୍ଷ କରିଛି।

ଇଶାନ-ତିଲକଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଭଲ ନଥିଲା। ମାତ୍ର ୨୯ ରନ ଭିତରେ ଦଳ ଦୁଇ ଓପନରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଏହାପରେ ଇଶାନ କିଷାନ ଏବଂ ତିଲକ ବର୍ମା ଜିମ୍ବାୱେ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଇଶାନ କିଷାନ ମାତ୍ର ୩୧ ବଲରେ ଅର୍ଦ୍ଧଶତକ ପୂରଣ କରିବା ପରେ ଆକ୍ରାମକ ରୂପ ଧାରଣ କରିଥିଲେ। ସେ ମୋଟ ୪୪ ବଲରୁ ୮୧ ରନର ଏକ ଦମଦାର ପାରି ଖେଳିଥିଲେ।

Also Read: ୨୦୨୭ ବିଶ୍ଵକପ୍ ଖେଳିବେ କି ରୋହିତ ଶର୍ମା ? ସବୁ ସସପେନ୍ସର ଅନ୍ତ ଘଟାଇଲା BCCI

ଅନ୍ୟପଟେ ତିଲକ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ୬୦ ରନ୍ କରି ଅପରାଜିତ ରହିଥିଲେ। ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଶେଷ ୫ ଓଭରରେ ୬୧ ରନ୍ ସଂଗ୍ରହ କରି ଜିମ୍ବାୱେ ସମ୍ମୁଖରେ ୨୨୦ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ନିଜ ରେକର୍ଡ ନିଜେ ସମକକ୍ଷ କଲା ଭାରତ

ଟି-୨୦ ଆନ୍ତର୍ଜାତୀୟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସବୁଠାରୁ ଅଧିକ ଥର ୨୦୦ରୁ ଅଧିକ ରନ୍ ସ୍କୋର କରିବାର ବିଶ୍ୱ ରେକର୍ଡ ଭାରତ ନାଁରେ ରହିଛି। ଭାରତ ଏହି କାରନାମା ପ୍ରଥମେ ୨୦୨୪ ମସିହାରେ (୯ ଥର) କରିଥିଲା। ବର୍ତ୍ତମାନ ଏହି ବର୍ଷ ମଧ୍ୟ ଭାରତୀୟ ଦଳ ୯ମ ଥର ପାଇଁ ୨୦୦+ ସ୍କୋର କରି ନିଜ ପୁରୁଣା ରେକର୍ଡର ସମକକ୍ଷ ହୋଇଛି। ଏହାପୂର୍ବରୁ ୨୦୨୩ରେ ଭାରତ ୭ ଥର ୨୦୦+ ରନ୍ କରିଥିଲା। କ୍ରିକେଟ୍ ଇତିହାସରେ ଭାରତ ବ୍ୟତୀତ ଅନ୍ୟ କୌଣସି ଦଳ ଗୋଟିଏ ବର୍ଷରେ ଏତେ ଅଧିକ ଥର ୨୦୦ରୁ ଅଧିକ ରନ୍ କରିବାର ସଫଳତା ହାସଲ କରିପାରି ନାହାନ୍ତି।