ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟ ଅଭିମୁଖେ ଗତି କରୁଛି ଭାରତ। ପ୍ରଥମ ପାଳିରେ ୧୭୮ ରନ୍ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ପରେ ଭାରତୀୟ ଦଳ ଦ୍ୱିତୀୟ ପାଳିରେ ୧୯୩ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ଘରୋଇ ଶ୍ରୀଲଙ୍କା ସମ୍ମୁଖରେ ୩୭୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍ ଇଣ୍ଡିଆ। ଜବାବରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ୮୪ ରନରେ ୪ଟି ମୂଲ୍ୟବାନ ୱିକେଟ୍ ହରାଇ ଚାପରେ ରହିଛି। ଷ୍ଟମ୍ପସ ଅପସାରଣ ବେଳକୁ ଅଧିନାୟକ ଧନଞ୍ଜୟ ଡି'ସିଲଭା ୩୧ (୭୩ ବଲ୍) ଏବଂ ସୋନଲ ଦିନୁଶା ୨୫ (୩୬ ବଲ୍) ରନ୍ କରି ଅପରାଜିତ ଅଛନ୍ତି।

ମ୍ୟାଚ୍‌ର ଅନ୍ତିମ ତଥା ପଞ୍ଚମ ଦିନରେ ଶ୍ରୀଲଙ୍କାକୁ ଜିତିବା ପାଇଁ ଆଉ ୨୮୮ ରନ୍ ଆବଶ୍ୟକ ହେଉଥିବା ବେଳେ, ଭାରତକୁ ଏହି ଟେଷ୍ଟ କବଜା କରିବା ପାଇଁ ଶେଷ ୬ଟି ୱିକେଟ୍ର ଆବଶ୍ୟକତା ରହିଛି। ଗାଲେର ସ୍ପିନ୍ ଅନୁକୂଳ ପିଚରେ ଭାରତୀୟ ବୋଲରଙ୍କ ସାମ୍ନା କରି ଶ୍ରୀଲଙ୍କା ପାଇଁ ଏହି ଲକ୍ଷ୍ୟ ହାସଲ କରିବା ପ୍ରାୟତଃ ଅସମ୍ଭବ ମନେହେଉଛି।

ମାନବ ସୁଥାରଙ୍କ ସ୍ପିନ୍ ଜାଲରେ ଛନ୍ଦି ହେଲେ ଶ୍ରୀଲଙ୍କା ବ୍ୟାଟର

୩୭୨ ରନର ପିଛା କରୁଥିବା ଶ୍ରୀଲଙ୍କାର ଆରମ୍ଭ ଅତ୍ୟନ୍ତ ନିରାଶାଜନକ ରହିଥିଲା। ଓପନର ନିଶାନ ମଧୁଶଙ୍କା ମାତ୍ର ୬ ରନ୍ କରି ପବିଲିୟନ ଫେରିଥିଲେ। ଏହାପରେ ଦିନେଶ ଚାନ୍ଦିମଲଙ୍କ ବଦଳ (କନକସନ ସବଷ୍ଟିଚ୍ୟୁଟ୍) ଭାବେ ଆସିଥିବା ପାସିନ୍ଦୁ ସୂର୍ଯ୍ୟବନ୍ଦାରା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। କାମିଣ୍ଡୁ ମେଣ୍ଡିସ୍ ମଧ୍ୟ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ।

Also Read: ଗାଲେ ଟେଷ୍ଟରେ ଭୟଙ୍କର ଅଘଟଣ, ମ୍ୟାଚ୍ ମଝିରୁ ହସ୍ପିଟାଲ୍ ଗଲେ ଶ୍ରୀଲଙ୍କାର ଏହି କ୍ରିକେଟର; କାନ୍ଧ ଓ ବେକରେ ଲାଗିଲା ଆଘାତ

ମାତ୍ର ୨୧ ରନ୍ରେ ୩ଟି ୱିକେଟ୍ ହରାଇବା ପରେ ଅଧିନାୟକ ଧନଞ୍ଜୟ ଡି'ସିଲଭା ଓ ଲାହିରୁ ଉଦାରା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦୁହିଁଙ୍କ ମଧ୍ୟରେ ୨୬ ରନ୍ର ଭାଗୀଦାରୀ ହୋଇଥିଲା। ହେଲେ ଯୁବ ସ୍ପିନର ମାନବ ସୁଥାର ଉଦାରାଙ୍କୁ (୧୬) ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ। ୪୭ ରନ୍ରେ ଦଳ ୪ଟି ୱିକେଟ୍ ହରାଇବା ପରେ ସୋନଲ ଦିନୁଶା ଏବଂ ଡି'ସିଲଭା ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଭାରତ ପକ୍ଷରୁ ମାନବ ସୁଥାର ଚମତ୍କାର ବୋଲିଂ କରି ୩୦ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଛନ୍ତି। ସେହିପରି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।

ଦ୍ଵିତୀୟ ପାଳିରେ ୧୯୩ ରନରେ ଅଲଆଉଟ୍ ଭାରତ

ଚତୁର୍ଥ ଦିନରେ ଭାରତୀୟ ଦଳ ଦ୍ୱିତୀୟ ପାଳିରେ ୧୯୩ ରନରେ ସୀମିତ ରହିଥିଲା। ଦଳ ପାଇଁ ୱିକେଟକିପର ବ୍ୟାଟର ରିଷଭ ପନ୍ତ ସର୍ବାଧିକ ୬୬ ରନ୍ର ଆକ୍ରମଣାତ୍ମକ ପାଳି ଖେଳିଥିଲେ। ଏହି ବିସ୍ଫୋରକ ପାଳି ବଳରେ ପନ୍ତ ଟେଷ୍ଟ କ୍ରିକେଟରେ ନିଜର ୧୦୦ଟି ଛକା ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଭାରତର ପ୍ରଥମ ବ୍ୟାଟର ଭାବେ ଟେଷ୍ଟରେ ୧୦୦ଟି ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି।

Also Read: ପାକିସ୍ତାନୀ ଅମ୍ପାୟାରଙ୍କ ଉପରକୁ ବଲ୍ ଫିଙ୍ଗିଲେ ସିରାଜ୍ ! ହସିହସି ଗଡିଗଲେ ଜାଡେଜା...

ପ୍ରଥମ ପାଳିରେ ଶତକ ହାସଲ କରିଥିବା ଦେବଦତ୍ତ ପଡିକ୍କଲ ଦ୍ୱିତୀୟ ପାଳିରେ ୪୪ ରନ୍ କରିଥିବା ବେଳେ କେ.ଏଲ. ରାହୁଲ ୩୫ ରନ୍ର ଯୋଗଦାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜାଇସ୍ୱାଲ (୦), ଅଧିନାୟକ ଶୁଭମନ ଗିଲ (୮), ଧ୍ରୁବ ଜୁରେଲ (୭), ରବୀନ୍ଦ୍ର ଜାଡେଜା (୯) ଓ ମାନବ ସୁଥାର (୯) ନିରାଶ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଅସିଥା ଫର୍ନାଣ୍ଡୋ ୪ଟି, ପ୍ରଭାତ ଜୟସୂର୍ଯ୍ୟ ୩ଟି ଏବଂ ଲାହିରୁ କୁମାରା ୨ଟି ୱିକେଟ୍ ନେଇଥିଲେ।