କୋଲମ୍ୱୋ: ଭାରତ ବିପକ୍ଷ ଗାଲେ ଟେଷ୍ଟର ଚତୁର୍ଥ ଦିନରେ ଶ୍ରୀଲଙ୍କାକୁ ଲାଗିଛି ବଡ଼ ଝଟକା । ଅଭିଜ୍ଞ ବ୍ୟାଟର ଦିନେଶ ଚାନ୍ଦିମାଲ୍ ବାଉଣ୍ଡ୍ରି ରୋକିବା ବେଳେ ଡିପ୍ ମିଡ୍ ୱିକେଟରେ ଗୁରୁତର ଭାବେ ପଡ଼ିଯାଇଥିଲେ । ଚାନ୍ଦିମାଲ୍ ଫୁଲ୍-ଲେନ୍ଥ ଡାଇଭ୍ ମାରିଥିଲେ, କିନ୍ତୁ ଏହାପରେ ତଳେ ପଡ଼ି ରହିଥିଲେ ଆଉ ଉଠିପାରି ନଥିଲେ । ତାଙ୍କ ଡାହାଣ କାନ୍ଧ ଓ ବେକରେ ଆଘାତ ଲାଗିବାରୁ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା ଏବଂ ସ୍କାନ୍ ପାଇଁ ହସ୍ପିଟାଲକୁ ପଠାଯାଇଥିଲା ।

ଏହି ଘଟଣା ଭାରତର ଦ୍ୱିତୀୟ ଇନିଂସର ଚତୁର୍ଥ ଓଭର ଶେଷରେ ଘଟିଥିଲା । ସେତେବେଳେ ଶ୍ରୀଲଙ୍କା ଖେଳାଳିମାନେ ଭାରତୀୟ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିବା ସହ ଆଟାକିଂ ଫିଲ୍ଡିଂ କରୁଥିଲେ । କେ.ଏଲ୍. ରାହୁଲଙ୍କ ବ୍ୟାଟରୁ ବାହାରିଥିବା ଏକ ଜୋରଦାର ଶଟ୍ ଡିପ୍ ମିଡ୍ ୱିକେଟ୍ ଆଡ଼କୁ ଯାଉଥିଲା । ଡିପ୍ ସ୍କୋୟାର ଲେଗରେ ଫିଲ୍ଡିଂ କରୁଥିବା ୩୬ ବର୍ଷୀୟ ଚାନ୍ଦିମାଲ୍ ବଲକୁ ବାଉଣ୍ଡ୍ରି ପାର୍ ହେବାରୁ ରୋକିବା ପାଇଁ ପୂରା ଶକ୍ତି ଲଗାଇ ଦେଇଥିଲେ ।

 

ଚାନ୍ଦିମାଲ ଦ୍ରୁତ ଗତିରେ ଦୌଡ଼ି ବାଉଣ୍ଡ୍ରି ନିକଟରେ ଫୁଲ୍-ଲେନ୍ଥ ଡାଇଭ୍ ମାରି ବଲକୁ ରୋକି ଦେଇଥିଲେ । ତାଙ୍କର ଏହି ଚେଷ୍ଟା ଯୋଗୁଁ ଶ୍ରୀଲଙ୍କା ଦୁଇଟି ଗୁରୁତ୍ୱପୂର୍ଣ୍ଣ ରନ୍ ବଞ୍ଚାଇ ପାରିଥିଲା । ବଲ୍ ରୋକିବା ପରେ ସେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲେ ଏବଂ ଆହତ ହୋଇଥିଲେ ।

ପଡ଼ିଯିବା ମାତ୍ରେ ଚାନ୍ଦିମାଲ୍ ଯନ୍ତ୍ରଣାରେ କଲବଲ ହେଉଥିବା ଦେଖାଯାଇଥିଲା । ସେ ଅନେକ ସମୟ ଧରି ମାଟିରେ ପଡ଼ିରହି ନିଜ ମୁଣ୍ଡ, ବେକ ଓ ଡାହାଣ କାନ୍ଧ ନିକଟରେ ହାତ ଦେଉଥିଲେ । ତାଙ୍କ ଅବସ୍ଥା ଦେଖି ପଡ଼ିଆରେ ଥିବା ଶ୍ରୀଲଙ୍କା ମେଡିକାଲ୍ ଷ୍ଟାଫ୍ ଓ ଟିମ୍ ଫିଜିଓ ତୁରନ୍ତ ସାହାଯ୍ୟ ପାଇଁ ପହଞ୍ଚିଥିଲେ । ପଡ଼ିଆରେ ଚାନ୍ଦିମାଲଙ୍କ ପ୍ରାଥମିକ ଯାଞ୍ଚ କରାଯାଇଥିଲା । ଏହାପରେ ତାଙ୍କୁ ଧୀରେ ଧୀରେ ଉଠାଯାଇଥିଲା ଏବଂ ସେ ପ୍ରବଳ ଯନ୍ତ୍ରଣା ସହ ପଡ଼ିଆ ବାହାରକୁ ଯାଇଥିଲେ ।