ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି ଇଂଲଣ୍ଡ ମାଟିରେ ଆଉ ଏକ ରେକର୍ଡ କରିଛନ୍ତି। ଦିନିକିଆ କ୍ରିକେଟର ଏହି ମହାନ ଖେଳାଳି ଏବେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ଏକ ବଡ଼ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। କାର୍ଡିଫଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ (ODI) ମ୍ୟାଚ୍‌ରେ ବିରାଟ କୋହଲି ଏହି ସଫଳତା ହାସଲ କରିଛନ୍ତି। ସେ ଏବେ ଇଂଲଣ୍ଡ ମାଟିରେ ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଏବଂ ଟି-୨୦) ମିଶାଇ ଭାରତ ପକ୍ଷରୁ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟର ହୋଇଛନ୍ତି।

ପୂର୍ବରୁ ରାହୁଲ ଦ୍ରାବିଡ଼ ୨,୬୪୫ ରନ୍ ସହ ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିଲେ। ବିରାଟ କୋହଲି ଦ୍ୱିତୀୟ ଦିନିକିଆରେ ୨,୬୪୬ ରନ୍ ଅତିକ୍ରମ କରିବା ପରେ ଦ୍ରାବିଡ଼ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ୨,୬୨୬ ରନ୍ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ସୂଚୀର ଶୀର୍ଷ ୫ ଜଣଙ୍କ ମଧ୍ୟରେ ରୋହିତ ଶର୍ମା (୨,୩୦୮ ରନ୍) ଏବଂ ସୌରଭ ଗାଙ୍ଗୁଲି (୧,୯୪୯ ରନ୍) ମଧ୍ୟ ସାମିଲ ।

ଇଂଲଣ୍ଡ ମାଟିରେ ବିରାଟ କୋହଲିଙ୍କ ବ୍ୟାଟିଂ ପ୍ରଦର୍ଶନ ସବୁବେଳେ ଚମତ୍କାର ରହିଆସିଛି ।
ଦିନିକିଆ (ODI): ୩୪ଟି ମ୍ୟାଚ୍‌ରୁ ୫୦ ଆଭରେଜରେ ମୋଟ ୧,୩୫୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ ରହିଛି।

ଟେଷ୍ଟ କ୍ରିକେଟ୍: ୧୭ଟି ଟେଷ୍ଟ ମ୍ୟାଚ୍‌ର ୩୩ଟି ପାଳିରୁ ୩୩ ହାରାହାରିରେ ୧,୦୯୬ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ରହିଛି।

ଟି-୨୦ (T20I): ୭ଟି ପାଳିରୁ ୧୯୨ ରନ୍ ସଂଗ୍ରହ କରିଛନ୍ତି ବିରାଟ କୋହଲି।

ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ
ଆହତ ସମସ୍ୟାରୁ ସୁସ୍ଥ ହୋଇ ଦଳକୁ ଫେରିବା ପରେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୬୫ ରନ୍‌ର ଏକ ଦମଦାର ପାଳି ଖେଳିଛନ୍ତି।
ଏହି ଅର୍ଦ୍ଧଶତକୀୟ ପାଳି ସହିତ ବିରାଟ କୋହଲି କ୍ୟାରିୟରରେ ୧୩୨ତମ  ୫୦+  (ଅର୍ଦ୍ଧଶତକ କିମ୍ବା ଶତକ) ର ସୀମା ପାର୍ କରିଛନ୍ତି। ଏହା ସହିତ ସେ ଇଂଲଣ୍ଡ ମାଟିରେ ସର୍ବାଧିକ ୩୩ ଥର ପଚାଶରୁ ଅଧିକ ରନ୍‌ର ପାଳି ଖେଳିଥିବା ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର ୩୨ଟି ଏଭଳି ପାଳି ସହ ପ୍ରଥମ ସ୍ଥାନରେ ଥିଲେ।