ଲଣ୍ଡନ: କ୍ରିକେଟ ଜଗତର ସର୍ବକାଳୀନ ମହାନ ଅଲରାଉଣ୍ଡର ସାର୍ ଗାରଫିଲ୍ଡ ସୋବର୍ସଙ୍କ ପରଲୋକରେ ସାରା କ୍ରିକେଟ୍ ଜଗତ ଆଜି ସ୍ତବ୍ଧ। ଗତ ଶୁକ୍ରବାର ଦିନ ୮୯ ବର୍ଷ ବୟସରେ ଏହି କିମ୍ବଦନ୍ତୀ ଖେଳାଳିଙ୍କ ନିଧନ ଘଟିଛି। ରବିବାର ଦିନ ଐତିହାସିକ ଲର୍ଡସ ମଇଦାନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳର ଖେଳାଳି ଏବଂ ମ୍ୟାଚ୍ ଅଧିକାରୀମାନେ ପଡ଼ିଆରେ ସୋବର୍ସଙ୍କ ସ୍ମୃତିରେ ଏକ ମିନିଟର ନୀରବ ପ୍ରାର୍ଥନା କରିଛନ୍ତି। ଏଥିସହିତ ସମ୍ମାନ ଜଣାଇ ସମସ୍ତେ ହାତରେ କଳା ପଟି ବାନ୍ଧିଥିବା ଦେଖିବାକୁ ମିଳିଛି।

ଲର୍ଡସ ଦର୍ଶକଙ୍କ ସମ୍ମାନ ଓ ଭାବପ୍ରବଣ ମାହୋଲ

ଏହି ଶ୍ରଦ୍ଧାଞ୍ଜଳି ସମୟରେ କେବଳ ଖେଳାଳି ନୁହନ୍ତି ବରଂ ଲର୍ଡସ ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଦର୍ଶକ ମଧ୍ୟ ସମ୍ପୂର୍ଣ୍ଣ ନୀରବ ରହି ଏହି ମହାନ କ୍ରିକେଟରଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଛନ୍ତି। ବାରବାଡୋସରେ ଜନ୍ମିତ ସୋବର୍ସ ୧୯୫୪ ରୁ ୧୯୭୪ ପର୍ଯ୍ୟନ୍ତ ନିଜର ଆନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ବିଶ୍ୱ କ୍ରିକେଟରେ ନିଜର ଏକ ଅପ୍ରତିଦ୍ୱନ୍ଦ୍ୱୀ ପରିଚୟ ସୃଷ୍ଟି କରିଥିଲେ। ସେ ନିଜର ୯୩ଟି ଟେଷ୍ଟ ମ୍ୟାଚ୍ରେ ୫୭.୭୮ର ଏକ ଚମତ୍କାର ହାରରେ ୮,୦୩୨ ରନ୍ ସଂଗ୍ରହ କରିବା ସହ ୨୩୫ଟି ୱିକେଟ୍ ଏବଂ ୧୦୯ଟି କ୍ୟାଚ୍ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା ମାରିବାର ବିଶ୍ୱ ରେକର୍ଡ ମଧ୍ୟ ପ୍ରଥମେ ସେ ୧୯୬୮ ମସିହାରେ କରିଥିଲେ।

Also Read: ନୂଆ ସସପେନ୍ସ : ଲର୍ଡସରେ ଶେଷ ମ୍ୟାଚ୍ ଖେଳିବେ ବିରାଟ କୋହଲି ! ଧମକ ଦେଲେ ପାକିସ୍ତାନୀ କ୍ରିକେଟର

ମ୍ୟାଚ୍ ପୂର୍ବରୁ ଇଂଲଣ୍ଡର ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଗଣମାଧ୍ୟମ ସହ କଥା ହେବା ବେଳେ ବେଶ୍ ଭାବପ୍ରବଣ ହୋଇପଡ଼ିଥିଲେ। ଆର୍ଚର କହିଥିଲେ, ୱେଷ୍ଟଇଣ୍ଡିଜ୍ କ୍ରିକେଟ ଜଗତ ପାଇଁ ସେ ଜଣେ ଜୀବନ୍ତ କିମ୍ବଦନ୍ତୀ ଥିଲେ। କିଛି ମାସ ପୂର୍ବରୁ ମୁଁ ବାରବାଡୋସରେ ତାଙ୍କ ଘରେ ତାଙ୍କୁ ଭେଟିଥିଲି ଏବଂ ସେ ଖୁବ୍ ଭଲରେ ଚଲାବୁଲା କରୁଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି।"

ଟେଷ୍ଟ କ୍ରିକେଟରେ ବିରଳ ଡବଲ୍ ରେକର୍ଡ

ୱେଷ୍ଟଇଣ୍ଡିଜ୍ ପାଇଁ ୩୯ଟି ଟେଷ୍ଟ ମ୍ୟାଚ ଅଧିନାୟକତ୍ଵ କରିଥିବା ସାର୍ ଗାରଫିଲ୍ଡ ସୋବର୍ସଙ୍କ ନାମରେ ଏକ ବିରଳ ରେକର୍ଡ ରହିଛି। ବିଶ୍ୱ କ୍ରିକେଟରେ ସେ ଏବଂ ଦକ୍ଷିଣ ଆଫ୍ରିକାର ଜାକ୍ କାଲିସ୍ ହେଉଛନ୍ତି ମାତ୍ର ଦୁଇଜଣ ଖେଳାଳି, ଯେଉଁମାନେ ଟେଷ୍ଟ ମ୍ୟାଚ୍ରେ ୮,୦୦୦ ରନ୍ ଏବଂ ୨୦୦ ୱିକେଟ୍ର 'ଡବଲ୍' ହାସଲ କରିଛନ୍ତି। ଅନ୍ୟପଟେ ଇଂଲଣ୍ଡର ଯୁବ ଖେଳାଳି ଜାକବ୍ ବେଥେଲ୍ ମଧ୍ୟ ସୋବର୍ସଙ୍କୁ ମନେପକାଇ କହିଛନ୍ତି ଯେ, ସେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ନମ୍ର ବ୍ୟକ୍ତିତ୍ୱର ମଣିଷ ଥିଲେ ଏବଂ ଇଂଲଣ୍ଡ ପାଇଁ ଖେଳିବାରେ ତାଙ୍କର ବହୁତ ବଡ଼ ପ୍ରେରଣା ଥିଲେ।