ନୂଆଦିଲ୍ଲୀ, ୧୯/୧୨: ସୁପ୍ରିମକୋର୍ଟଙ୍କ କଲେଜିୟମ ବିଭିନ୍ନ ହାଇକୋର୍ଟର ୫ ଜଣ ବିଚାରପତିଙ୍କୁ ମୁଖ୍ୟ ବିଚାରପତି ପଦ ପାଇଁ ନାମାଙ୍କିତ କରିଛନ୍ତି । ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ଖାଲି ଥିବା ପଦକୁ ପୂରଣ ପାଇଁ କଲେଜିୟମ ଏହି ପଦକ୍ଷେପ ନେଇଛନ୍ତି । କାରଣ ଅନେକ ଉଚ୍ଚ ନ୍ୟାୟାଳୟରେ ବଦଳି ଏବଂ ଅବସର କାରଣରୁ ବିଚାରପତି ପଦବୀ ଖାଲି ରହିଛି ।

ଡିସେମ୍ବର ୧୮ ତାରିଖରେ କଲେଜିୟମର ବୈଠକ ବସିଥିଲା । ୫ ଜଣ ବରିଷ୍ଠ ବିଚାରପତି କେନ୍ଦ୍ର ସରକାରଙ୍କୁ ନୂତନ ନିଯୁକ୍ତି ପାଇଁ ବିଚାରପତିଙ୍କ ନାଁ ପଠାଇଛନ୍ତି । କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ଦେବା ପରେ ରାଷ୍ଟ୍ରପତି ମୋହର ଲଗାଇବେ ।

ଜଷ୍ଟିସ ମନୋଜ କୁମାର ଗୁପ୍ତାଙ୍କ କହିବାନୁସାରେ, ଆଲହାବାଦ ହାଇକୋର୍ଟର ଜଣେ ବିଚାରପତିଙ୍କ ନାଁ ଉତ୍ତରଖଣ୍ଡର ମୁଖ୍ୟ ବିଚାରପତି ହେବା ପାଇଁ ପ୍ରସ୍ତାବ ଦିଆଯାଇଛି । ୨୦୨୬ ଜାନୁଆରୀ ୯ରେ ଉତ୍ତରାଖଣ୍ଡ ହାଇକୋର୍ଟର ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଗୁହାନାଥନ ନରେନ୍ଦ୍ର ଅବସର ଗ୍ରହଣ କରିବେ । ସେହିପରି ବମ୍ବେ ହାଇକୋର୍ଟର ଜଷ୍ଟିସ ରେବତୀ ପି ବୋହିତେ ଡେରେଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ପ୍ରସ୍ତାବ ରହିଛି । ବମ୍ବେ ହାଇକୋର୍ଟର ଜଷ୍ଟିସ ଏମଏସ ସୋନକଙ୍କୁ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଝାଡଖଣ୍ଡଡର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ତାରଲୋକ ସିଂ ଚୌହାନ ଆସନ୍ତା ଜାନୁଆରୀ ୮ରେ ଅବସର ନେବେ ।

ଅନ୍ୟ ଦିଗରେ କଲେଜିୟମ କେରଳ ହାଇକୋର୍ଟର ଜଷ୍ଟିସ ମହମ୍ମଦ ମୁସ୍ତାକଙ୍କୁ ସିକିମ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ପ୍ରସ୍ତାବ ଦେଇଛନ୍ତି । ଓଡିଶା ହାଇକୋର୍ଟର ବିଚାରପତି ସଂଗ୍ରାମ କୁମାର ସାହୁଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ମଧ୍ୟ ପ୍ରସ୍ତାବ ରହିଛି ।

ଅନ୍ୟ ଦିଗରେ ସୁପ୍ରିମକୋର୍ଟ କଲେଜିୟମ ମେଘାଳୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ସୌମେନ୍ ସେନଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ନିତିନ ଜାମଦାର ଜାନୁଆରୀ ୯ ତାରିଖରେ ଅବସର ଗ୍ରହଣ କରିବେ ।

ଜଜଷ୍ଟିସ ସେନ୍ ୨୦୨୫ ଅକ୍ଟୋବର ମାସରେ ମେଘାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ । ପୂର୍ବରୁ ସେ କୋଲକାତା ହାଇକୋର୍ଟର ଦାୟିତ୍ୱ ସମ୍ଭାଳୁଥିଲେ ।