ନୂଆଦିଲ୍ଲୀ: ଦେଶର ଅନେକ ଭାଗରେ, ବିଶେଷ କରି ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ସମୟରେ ମୌସୁମୀ ଚରମ ସୀମାରେ ରହିଛି । ସେଠାରେ ମୁଷଳଧାରାରେ ବର୍ଷା ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ଉତ୍ତର ପ୍ରଦେଶ, ପଶ୍ଚିମ ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଓ ମିଜୋରାମରେ ପ୍ରବଳ ବର୍ଷା (୭-୧୧ ସେମି) ରେକର୍ଡ କରାଯାଇଛି । ଆଇଏମଡିର କହିବା ଅନୁଯାୟୀ, ଉତ୍ତର ପ୍ରଦେଶରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସମେତ ପାଖାପାଖି ରାଜ୍ୟଗୁଡ଼ିକର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି ।

ଆଇଏମଡି ସଦ୍ୟ ରିପୋର୍ଟ ଅନୁସାରେ, ଗୋଟିଏ ପଟେ ସାଇକ୍ଲୋନିକ୍ ସିଷ୍ଟମ୍ ଓ ଟ୍ରଫ୍ ଲାଇନ୍ ସକ୍ରିୟ ଥିବା ବେଳେ ଅନ୍ୟପଟେ ବଙ୍ଗୋପସାଗରରେ ଏକ ନୂଆ ସିଷ୍ଟମ୍ ସୃଷ୍ଟି ହେବାକୁ ଯାଉଛି । ଏହା ଯୋଗୁଁ ଆଗାମୀ କିଛି ଦିନରେ ଦେଶର ଭିନ୍ନ ଭିନ୍ନ ଭାଗରେ ପ୍ରବଳ ବର୍ଷାର ପର୍ଯ୍ୟାୟ ଦେଖିବାକୁ ମିଳିପାରେ । ପାଣିପାଗ ବିଭାଗ କହିଛି ଯେ ସେପ୍ଟେମ୍ବର ୧୨ରୁ ୧୪ ମଧ୍ୟରେ ପଶ୍ଚିମ ମଧ୍ୟ ପ୍ରଦେଶରେ ଏବଂ ସେପ୍ଟେମ୍ବର ୧୦-୧୪ ମଧ୍ୟରେ ଛତିଶଗଡ଼ ଓ ପୂର୍ବ ମଧ୍ୟ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି । ଆଇଏମଡି କହିଛି ଯେ ସେପ୍ଟେମ୍ବର ୮-୧୧ ମଧ୍ୟରେ ପଶ୍ଚିମ ମଧ୍ୟ ପ୍ରଦେଶରେ, ସେପ୍ଟେମ୍ବର ୮-୯ ମଧ୍ୟରେ ଛତିଶଗଡ଼ ଓ ପୂର୍ବ ମଧ୍ୟ ପ୍ରଦେଶରେ, ଏବଂ ସେପ୍ଟେମ୍ବର ୮-୧୪ ମଧ୍ୟରେ ବିଦର୍ଭର କେତେକ ସ୍ଥାନରେ ବର୍ଷା ସହିତ କାଳବୈଶାଖୀ, ଝଡ଼-ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ନୂଆ ‘ଭିଲେନ୍’

ପାଣିପାଗ ବିଭାଗ ଅନୁସାରେ, ସେପ୍ଟେମ୍ବର ୧୧ ଆଖପାଖରେ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର (ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପ୍ରବଳ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦେଶର ଅନେକ ରାଜ୍ୟରେ ବର୍ଷାର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆଇଏମଡି କହିଛି ଯେ ଓଡ଼ିଶାରେ ସେପ୍ଟେମ୍ବର ୧୦ରେ ଏବଂ ଅରୁଣାଚଳ ପ୍ରଦେଶରେ ସେପ୍ଟେମ୍ବର ୧୨ରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି । ଏହା ବ୍ୟତୀତ ଛତିଶଗଡ଼, ଉପକୂଳ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ସେପ୍ଟେମ୍ବର ୧୧ରୁ ୧୪ ମଧ୍ୟରେ ଏବଂ ମଧ୍ୟ ପ୍ରଦେଶରେ ସେପ୍ଟେମ୍ବର ୧୩ରୁ ୧୪ ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଲର୍ଟ ରହିଛି ।

ଦିଲ୍ଲୀ-ଏନସିଆରରେ ପାଣିପାଗର ‘ୟୁ-ଟର୍ଣ୍ଣ’

ଦିଲ୍ଲୀ-ଏନସିଆର ଲୋକଙ୍କୁ ଗତ ୨୪ ଘଣ୍ଟାରେ ଅଚାନକ ବୃଦ୍ଧି ପାଇଥିବା ତାପମାତ୍ରା ଅସୁବିଧାରେ ପକାଇଥିଲା । ତାପମାତ୍ରାରେ ୫ ରୁ ୬ ଡିଗ୍ରୀ ସେଲସିୟସର ବଡ଼ ବୃଦ୍ଧି ରେକର୍ଡ କରାଯାଇଥିଲା। କିନ୍ତୁ ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର ମଧ୍ୟ ରହିଛି । ଆଇଏମଡି କହିଛି ଯେ ସେପ୍ଟେମ୍ବର ୮ ରୁ ୧୦ ମଧ୍ୟରେ ଆକାଶରେ ଆଂଶିକ ମେଘୁଆ ପରିବେଶ ରହିବ । ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ଅତି ହାଲୁକା ବର୍ଷାର ସମ୍ଭାବନା ରହିବ । ଏହି ସମୟରେ ତାପମାତ୍ରା ୩୪ ଡିଗ୍ରୀ ଓ ୩୬ ଡିଗ୍ରୀ ମଧ୍ୟରେ ରହିବ ।