ଭୁବନେଶ୍ୱର ୨୧।୦୩ : ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଦେଖାଯାଉଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ୩ ଦିନ ପରେ (ପରବର୍ତ୍ତୀ ୪ଦିନରେ) ପାରଦ ବଢ଼ିବା ସମ୍ଭାବନା ଅଛି । ସେତେବେଳକୁ ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ ଦେଖାଇଛି ।

Also Read:- Pakhala: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶାର ପ୍ରିୟ ଖାଦ୍ୟ ‘ପଖାଳ’

ସେହିପରି ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ତୁଳନାରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨ ପର୍ଯ୍ୟନ୍ତ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଧିକ ରହିଛି। ଯଦି ଏଭଳି ହୁଏ, ତେବେ ମାର୍ଚ୍ଚ ଶେଷ ସପ୍ତାହ ଏବ ଏପ୍ରିଲ ଆଗମନ ସମୟରେ ମଧ୍ୟ ଗ୍ରୀଷ୍ମ ପ୍ରକୋପ କମ୍‌ ରହିପାରେ। ଶୁକ୍ରବାର ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୫-୩୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ସୁନ୍ଦରଗଡ଼, ବାରିପଦା, ଦାରିଙ୍ଗିବାଡ଼ି ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଅନୁମାନ କରାଯାଉଛି, ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ଏବଂ କୁଆପଥର ମାଡ଼ ହୋଇପାରେ। ଏପରିକି ସ୍ଥାନେ ସ୍ଥାନେ ପବନର ବେଗ ୫୦-୬୦ କିମି ପର୍ଯ୍ୟନ୍ତ ରହିପାରେ । କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ବର୍ଷା, ଘଡ଼ଘଡ଼ି ସହ ୩୦-୪୦ କିମି ପବନ ଆଶଙ୍କା ନେଇ ସତର୍କ କରାଯାଇଛି । ଏଭଳି କାଳବୈଶାଖୀ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେବ । ଏହାପରେ ବି ପ୍ରତିଦିନ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।