ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳକୁ ୦-୨ରେ ଏକ ଅପମାନଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଟି-୨୦ ବିଶ୍ୱକପ୍ ୨୦୨୬ ଜିତିବା ପରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏକ ଶକ୍ତିଶାଳୀ ସ୍କ୍ୱାଡ୍ ସହ ଆୟର୍ଲ୍ୟାଣ୍ଡ ଗସ୍ତ କରିଥିଲା । କିନ୍ତୁ ବେଲଫାଷ୍ଟରେ ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା । ଆୟର୍ଲ୍ୟାଣ୍ଡ କ୍ରିକେଟ୍ ଇତିହାସରେ ଭାରତ ବିପକ୍ଷରେ ଏହା ସେମାନଙ୍କର ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ ବିଜୟ ଥିଲା ।

ଭାରତର ଏହି ଅକଳ୍ପନୀୟ ପରାଜୟ ପରେ ସୋସିଆଲ ମିଡିଆରେ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ପ୍ରବଳ ସମାଲୋଚନା ଓ ଟ୍ରୋଲ୍ କରାଯାଉଛି । ତେବେ ନିଜର ବ୍ୟଙ୍ଗାତ୍ମକ ପୋଷ୍ଟ ପାଇଁ ଜଣାଶୁଣା 'ଆଇସଲ୍ୟାଣ୍ଡ କ୍ରିକେଟ୍'ର ଅଫିସିଆଲ୍ ଆକାଉଣ୍ଟ ଏକ୍ସରେ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କରି ଏକ ପୋଷ୍ଟ କରିଛି । ସେହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଆଇସଲାଣ୍ଡ କ୍ରିକେଟ୍ ଲେଖିଛି, "ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଆମେ ଗୌତମ ଗମ୍ଭୀରଙ୍କୁ ଆମର କୋଚିଂ ଷ୍ଟାଫରେ ସାମିଲ କରିବାକୁ ଚାହୁଁନାହୁଁ । ନିଶ୍ଚିତ ଭାବେ ତାଙ୍କ ପାଖରେ ପ୍ରତିଭା ଅଛି । ଏଭଳି ପ୍ରତିଭାବାନ ଭାରତୀୟ ଖେଳାଳିମାନଙ୍କୁ ନେଇ ଆୟର୍ଲ୍ୟାଣ୍ଡରେ ଏଭଳି ପରିଣାମ ଦେବା ପାଇଁ ସତରେ ଏକ ଅସାଧାରଣ ପ୍ରତିଭା ଆବଶ୍ୟକ ।"

ଏହି ଗସ୍ତରେ ସଞ୍ଜୁ ସାମସନ୍, ଇଶାନ କିଷାନ ଏବଂ ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ୧୫ ବର୍ଷର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ନ ମିଳିବା ନେଇ ମଧ୍ୟ ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠିଛି । ୨୦୨୪ରେ ଗମ୍ଭୀର କୋଚ୍ ଦାୟିତ୍ୱ ନେବା ପରେ ଭାରତ ପ୍ରଥମ ଥର ପାଇଁ କୌଣସି ଟି-୨୦ ସିରିଜ୍ ହାରିଛି । ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରିବା ଏବଂ ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ଗମ୍ଭୀରଙ୍କ ଉପରେ ଚାପ ଆହୁରି ବଢ଼ିଛି ।