ନୂଆଦିଲ୍ଲୀ: JioHotstar ୟୁଜରଙ୍କୁ ଝ । ଜିଓ ହଟଷ୍ଟାରରେ ଭାରତୀୟ ଟି-୨୦ ବିଶ୍ବକପ୍ର ମ୍ୟାଚ୍ ଦେଖିପାରିବେ ନାହିଁ। ବିଶ୍ବକପକୁ ୩ ମାସ ବାକି ଥିବା ବେଳେ ମୁଖ୍ୟ ବ୍ରଡକାଷ୍ଟର ଜିଓ ହଟଷ୍ଟାର୦ ପଛକୁ ହଟିଯାଇଛି । ପ୍ରବଳ କ୍ଷତି ହେଉଛି ବୋଲି କହିବା ସହ କମ୍ପାନି ଏହି ବଡ଼ ନିଷ୍ପତ୍ତି ନେଇଛି । ବିଶ୍ବକପକୁ କମ୍ ଦିନ ବାକି ଥିବା ବେଳେ ଜିଓର ଏଭଳି ନିଷ୍ପତ୍ତି କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ତାସହ ଆଇସିସି ନୂଆ ବ୍ରଡକାଷ୍ଟର ଖୋଜୁଛି । ଆଇସିସି ସୋନି, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ସହ ଆଲୋଚନା କରିଥିବା ନେଇ ସୂଚନା ମିଳିଛି । ହେଲେ ରାଇଟ୍ସ ପାଇଁ ଥିବା ଉଚ୍ଚ ମୂଲ୍ୟ ଯୋଗୁଁ କୌଣସି ବ୍ରଡକାଷ୍ଟର ରାଜି ହେଉନାହାନ୍ତି ।

ଭାରତ-ଶ୍ରୀଲଙ୍କାରେ ହେବାକୁ ଥିବା ପୁରୁଷ T20 ବିଶ୍ୱକପ୍ ହେବାର ତିନି ମାସ ପୂର୍ବରୁ, ପ୍ରସାରକ ଜିଓ ହଟଷ୍ଟାର ମ୍ୟାଚ୍ ପ୍ରସାରଣରୁ ଓହରି ଯାଇଛି । କ୍ଷତି ହେଉଥିବା ଯୋଗୁଁ ଜିଓ ଏଭଳି ନିଷ୍ପତ୍ତି ନେଇଛି । ୨୦୨୩ ମସିହାରେ ICC ୪ ବର୍ଷ ପାଇଁ (୨୦୨୪ ରୁ ୨୦୨୭) ଭାରତରେ ଏହାର ସମସ୍ତ ଟୁର୍ଣ୍ଣାମେଣ୍ଟ ପ୍ରସାରଣ ରାଇଟ୍ସ ଜିଓ ହଟଷ୍ଟାରକୁ (ସେତେବେଳେ ଷ୍ଟାର ଇଣ୍ଡିଆ)କୁ ବିକ୍ରି କରିଥିଲା। ଏହି ଚୁକ୍ତି ପ୍ରାୟ ୨୫,୦୦୦ କୋଟିରେ ଚୂଡ଼ାନ୍ତ ହୋଇଥିଲା। ଏହାର ଅର୍ଥ ହେଉଛି, ଜିଓ ହଟଷ୍ଟାର ଆଇସିସିକୁ ବାର୍ଷିକ ହାରାହାରି ୬,୦୦୦ କୋଟି ଦେଉଥିଲା ।

ଏବେ କ୍ରିକେଟ୍ କଭରେଜ୍ ରୁ ଜିଓ ହଟଷ୍ଟାରର ରାଜସ୍ୱ ଯଥେଷ୍ଟ ହ୍ରାସ ପାଇଛି। ଡ୍ରିମ ଇଲେଭେନ୍ ଭଳି ଗେମିଂ ଆପ୍ ଉପରେ ପ୍ରତିବନ୍ଧକ ପରେ, ବିଜ୍ଞାପନରୁ ରାଜସ୍ୱ ମଧ୍ୟ କମିଛି। ଗତ ବର୍ଷ (୨୦୨୩-୨୪) କମ୍ପାନୀ କହିଥିଲା , ‘ଆଇସିସି ଚୁକ୍ତିରୁ ଆମେ ପ୍ରାୟ ୧୨,୩୧୯ କୋଟି ଟଙ୍କାର କ୍ଷତି ସହିବୁ । ସେହିଭଳି ୨୦୨୪-୨୫ରେ କ୍ଷତି ଆହୁରି ବୃଦ୍ଧି ପାଇଛି ଏବଂ ମୋଟ କ୍ଷତି ଏବେ ୨୫,୭୬୦ କୋଟି ଟଙ୍କାରେ ପହଞ୍ଚିଛି ।

ସରଳ ଭାଷାରେ କହିବାକୁ ଗଲେ, ଜିଓ ହଟଷ୍ଟାର ୨୫ ହଜାର କୋଟିରେ ରାଇଟ୍ସ କିଣିଥିଲା, କିନ୍ତୁ ଏବେ ଏହି ଟଙ୍କା ଆଦାୟ କରିପାରିବ ନାହିଁ । ତେଣୁ, କମ୍ପାନୀ ଏବେ ଏହି ଚୁକ୍ତିରୁ ଓହରି ଯିବାକୁ ଚାହୁଁଛି । ଜିଓ ଓହରିଯିବା ପରେ ଆଇସିସି ସୋନି, ଆମାଜନ୍ ପ୍ରାଇମ ଭିଡିଓ ଭଳି ପ୍ଲାଟଫର୍ମ ସହ ସଂପର୍କ କରିଛି । କିନ୍ତୁ ଅତ୍ୟଧିକ ରାଇଟ୍ସ ମୂଲ୍ୟ ଯୋଗୁଁ ଏହି ସବୁ ପ୍ଲାଟଫର୍ମ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ଆଇସିସି ଲାଗି ଏହା ବଡ଼ ଆହ୍ବାନ ସୃଷ୍ଟି କରିଛି ।

ଭାରତରେ ଏବେ ଅଧିକ ବିଳକ୍ପ ନାହିଁ । ମର୍ଜର ପରେ ଏବେ ଦୁଇଟି ପ୍ଲାଟଫର୍ମ ଜିଓ ହଟଷ୍ଟାର ଏବଂ ସୋନି ଉପରେ ନିର୍ଭରତା ବଢ଼ିଛି । ତେଣୁ ଆଇସିସି ପାଖରେ ଅନ୍ୟ ଚୟସ୍ ନାହିଁ । ସୋନି ୧୭୦ ନିୟୁତ ଡଲାରରେ ଏସୀୟ କ୍ରିକେଟ ପରିଷଦ, ୧୦୦ ନିୟୁତ ଡଲାରରେ ନ୍ୟୁଜିଲାଣ୍ଡ କ୍ରିକେଟ ଏବଂ ୨୦୦ ନିୟୁତ ଡଲାରରୁ ଅଧିକ ଡଲାରରେ ଇଂଲଣ୍ଡ ବୋର୍ଡର ରାଇଟ୍ସ ହାସଲ କରିଛି, କିନ୍ତୁ ICC ଚୁକ୍ତିରୁ ଦୂରେଇ ରହିଛି । ସେହିଭଳି Netflix କ୍ରିକେଟ୍ ଠାରୁ ଦୂରରେ ରହିଛି । ବଡ଼ କଥା ହେଉଛି, ଯଦି ଆଇସିସିକୁ ବିଳକ୍ପ ନମିଳେ ତେବେ ଚୁକ୍ତି ଅନୁସାରେ କ୍ଷତି ହେଲେ ମଧ୍ୟ ଜିଓ ହଟଷ୍ଟାର ମ୍ୟାଚ୍ ପ୍ରସାରଣ କରିବ । ଆଇସିସି ଟି-୨୦ ବିଶ୍ବକପ୍ ଫେବ୍ରୁଆରୀ ୮ରୁ ଆରମ୍ଭ ହେବାକୁ ଯାଉଛି । ଗ୍ରୁପ୍ ପର୍ଯ୍ୟାୟରେ ୨୯ ଦିନରେ ୫୫ଟି ମ୍ୟାଚ୍ ଖେଳାଯିବ । ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ।