ନୂଆଦିଲ୍ଲୀ ୨୧/୦୪: ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ସୁଧାରିବା ପାଇଁ ପାକିସ୍ତାନ ଇସଲାମବାଦରେ ପ୍ରଥମ ପର୍ଯ୍ୟାୟ ମିଟିଂ ଫେଲ୍‌ ମାରିଛି । ଏବେ ପୁଣି ଥରେ ଦ୍ବିତୀୟ ମିଟିଂ ବସିବା ନେଇ ସୂଚନା ଆସୁଛି । ରିପୋର୍ଟ କହୁଛି ପୁଣି ଇସଲାମାବାଦରେ ବସିବ ଶାନ୍ତି ବୈଠକ । ଇରାନର ପ୍ରତିନିଧି ଦଳ ଯିବେ ପାକିସ୍ତାନ । ଆମେରିକାର ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ମଧ୍ୟ ସାମିଲ ହେବେ । ବୁଧବାର ବୈଠକ ବସିବାର ସମ୍ଭାବନା ରହିଛି ।  ତଥାପି ଅନିଶ୍ଚିତତାରେ ଆମେରିକା-ଇରାନ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା  । ଏପଟେ ସରି ସରି ଆସୁଛି ଉଭୟ ଦେଶ ମଧ୍ୟରେ ହୋଇଥିବା ୨ ସପ୍ତାହର ଅସ୍ତ୍ରବିରତି । ବୁଧବାର ଅସ୍ଥାୟୀ ଶାନ୍ତି ଚୁକ୍ତିର ଡେଡ୍‌ଲାଇନ୍‌ । ଏବେ କେଉଁ ମୋଡ ନେବ ମଧ୍ୟପ୍ରାଚ୍ୟ ଯୁଦ୍ଧ । ଥମିବ ନା ଆହୁରି ଭୟଙ୍କର ହେବ । ବୁଧବାର ଠାରୁ ଆରମ୍ଭ ହୋଇଯିବ କି ମହାବିନାଶ ।

ଆମେରିକା ଗଣ୍ଡାଗିରି ଛାଡୁନଥିବାବେଳେ ଜିଦ୍‌ ଛାଡୁନି ଇରାନ । ଓମାନ ସାଗରରେ ଇରାନର ଜାହାଜକୁ ଆମେରିକା କବ୍‌ଜା କରିବା ପରେ ଉତ୍ତେଜନା ଆହୁରି ବଢିଛି । ଜବାବରେ ଆମେରିକାର ସାମରିକ ଜାହାଜ ଉପରେ ଡ୍ରୋନ ଆଟାକ କରିଛି ଇରାନ । ଡିଲ୍‌ ନମାନିଲେ ବହୁତ ଭୟଙ୍କର ହେବା ନେଇ ବାରମ୍ବାର ଚେତାଇ ଦେଉଛନ୍ତି ଟ୍ରମ୍ପ । କିନ୍ତୁ ଟ୍ରମ୍ପଙ୍କ ନାଲିଆଖିକୁ ଖାତିର କରୁନି ଇରାନ । ହର୍ମୁଜ ଖୋଲିବାର ଆଶା ଦେଖାଇ ପୁଣି ବନ୍ଦ କରି ଦେଇଛି । ଇରାନ କହିଛି ଧମକର ଛାୟା ତଳେ ଆମେ ଆଲୋଚନା କରିବାକୁ ଚାହୁଁନୁ । ଯଦି ଆମେରିକା ଓ ଇସ୍ରାଏଲ ପୁଣି ଯୁଦ୍ଧ ଆରମ୍ଭ କରନ୍ତି ଆମ ପାଖରେ ବି ନୂଆ ରଣନୀତି ରହିଛି ।  

ଏପରି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସମାଧାନ ଦିଗରେ ଆଶା ବି ବଢିଛି । ଟ୍ରମ୍ପ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ମୋତେ ଇରାନ ସହ ସାକ୍ଷାତ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ । ଇରାନ ନେତାଙ୍କ ସହ ମୁହାଁମୁହିଁ ବୈଠକ କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି । କହିଛନ୍ତି ସିଧାସଳଖ ଆଲୋଚନା ପାଇଁ ମୁଁ ରାଜି । ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯଦି ଇରାନ ସହ ଶାନ୍ତି ଆଲୋଚନାରେ ସଫଳତା ମିଳିପାରିବ ତେବେ ମୁଁ ଇରାନ ନେତାଙ୍କ ସହ ସାକ୍ଷାତ ପାଇଁ ଇଚ୍ଛୁକ । ସେ ଜୋର ଦେଇ କହିଛନ୍ତି ଗମ୍ଭୀର ଆଲୋଚନା ପାଇଁ ଟେବୁଲକୁ ଆସିବା ଦରକାର ।ଏସବୁ ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ନୂଆ ଧମକ ବି ସାମ୍ନାକୁ ଆସିଛି । କୁହାଯାଉଛି ଟ୍ରମ୍ପଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ଯୁଦ୍ଧ ବିରତି ଶେଷ ହେବା ପରେ କଣ ହେବ । ଉତ୍ତରରେ ଟ୍ରମ୍ପ କହିଥିଲେ ଶାନ୍ତି ବୈଠକ ନହେଲେ ବୋମା ଫୁଟିବ ।

​​​​​​​

ପ୍ରାୟ ୨ ମାସ ଧରି ଚାଲିଛି ଆମେରିକା-ଇରାନ ଯୁଦ୍ଧ । ଉଭୟ ଏହି ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛନ୍ତି । କିନ୍ତୁ ଶାନ୍ତି ଆଲୋଚନାରେ ବାଧା ସାଜୁଛି ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ  । ଉଭୟ ଦେଶ ହର୍ମୁଜ ନିକଟରେ ସାମରିକ ଶକ୍ତିକୁ ବଢାଉଛନ୍ତି । ଶାନ୍ତି ବୈଠକରେ ମଧ୍ୟ ହର୍ମୁଜ ମୁଖ୍ୟ ବିଷୟ ପାଲଟିଛି । ସେହିପରି ଇରାନର ପରମାଣୁ ଅସ୍ତ୍ର ବିବାଦର ଆଉ ଏକ କାରଣ ବୋଲି କୁହାଯାଉଛି ।

Also Read:ଶାନ୍ତି ଆଲୋଚନା ପାଇଁ ଇରାନର ଗ୍ରୀନ୍ ସିଗନାଲ, ପାକିସ୍ତାନ ଯିବେ ଖାମେନିଙ୍କ ଟିମ୍, କିନ୍ତୁ ରହିଛି ୪ ସର୍ତ୍ତ​​​​​​​