ଭୁବନେଶ୍ଵର: ହର୍ମୁଜ ଖୋଲୁନି, ସେପଟେ ଦିନକୁ ଦିନ ବଢ଼ି ଚାଲିଛି ଗ୍ୟାସ୍ ଟେନସନ। ହୋଟେଲ, ଦୋକାନୀ ବ୍ୟବସାୟୀଙ୍କୁ କମର୍ସିଆଲ ଗ୍ୟାସ ମିଳୁନି। ଧିରେ ଧିରେ ସାଧାରଣ ଉପଭୋକ୍ତଙ୍କ ପାଇଁ ବଢ଼ିଲାଣି ସଙ୍କଟ। ଗ୍ୟାସ ମିଳୁନଥିବାର ଅଭିଯୋଗ ଏବେ ଗାଁରୁ ସହର ସବୁଠି ଦେଖାଦେଲାଣି।

ଗ୍ୟାସ ଟେନସନରେ ଆକ୍ତାମାକ୍ତା ହେଲାଣି ଉପଭୋକ୍ତା। ବୁକିଂ କରି ବି ଗ୍ୟାସ ମିଳୁନି। ଦିନ ପରେ ଦିନ ଗଡୁଛି, ଖାଲି ଟାଙ୍କି କିନ୍ତୁ ବଦଳୁନି। ସେପଟେ ଗ୍ୟାସ କମ୍ପାନି ମେସେଜ ପଠାଉଛି ଥ୍ୟାଙ୍କ ୟୁ ଫର ୟୋର ପେସେନ୍ସ। ବାରମ୍ବାର କଲ୍ କରନ୍ତୁନି । ଧୈର୍ଯ୍ୟ ହରାଇଲେଣି ଲୋକେ। ବଡ଼ କଥା ହେଉଛି ବ୍ଲାକ ମିଳୁଛି କିନ୍ତୁ ବିତରକଙ୍କ ପାଖରୁ ମିଳୁନି। ଏ ହେଉଛି ଦିଗପହଣ୍ଡି ଦୃଶ୍ୟ। ଗ୍ୟାସ ସିଲିଣ୍ଡର ୨୦୦୦ ଟଙ୍କା କିମ୍ବା ୨୫୦୦ ଟଙ୍କାରେ ବ୍ଲାକ୍ରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଲୋକେ କିନ୍ତୁ ଦିନ ପରେ ଦିନ ବିତରକଙ୍କ ପାଖରେ ଲାଇନ ଦେଇ ଫେରୁଛନ୍ତି ।

Also Read: ପେଟ୍ରୋଲ ପମ୍ପରେ ବି ମିଳିବ କିରୋସିନି, ହେଲେ ରହିଛି ସର୍ତ୍ତ

ବଢି ଚାଲିଛି କଳାବଜାରୀ

ବଡମ୍ବା ଝାଜିଆ ଗାଁରେ ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାରୀ ଚାଲିଥିବା ବେଳେ ଆଠଗଡ଼ ଯୋଗାଣ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ । ଗ୍ୟାସ କଳାବଜାରୀ କରୁଥିବା ଦୋକାନରେ ଚଢ଼ାଉ କରି ୩୭ଟି ସିଲିଣ୍ଡର ଜବତ କରିଛି। ସେ ମଧ୍ୟରେ ୧୩ ଟି ଗ୍ୟାସ ଭର୍ତ୍ତି ଓ ୨୪ଟି ଖାଲି ସିଲିଣ୍ଡର ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଉତ୍କଟ ହେଲାଣି l ଜିଲ୍ଲାର ବିଭିନ୍ନ ଗ୍ୟାସ ଏଜେନସିରେ ଗ୍ୟାସ ପାଇଁ ଦେଖିବାକୁ ମିଳିଛି ଲମ୍ବା ଲାଇନ l ଟାଇଁ ଟାଇଁ ଖରା ସତ୍ତ୍ବେ ସକାଳୁ ଆସି ଲାଇନରେ ଠିଆ ହେଉଛନ୍ତି ଗ୍ରାହକ। ଏମିତିକି ନିଜ ପିଲାଛୁଆଙ୍କୁ ଧରି ମହିଳାମାନେ ଠିଆ ହେଉଛନ୍ତି ।

ବଢିଲା କମର୍ସିଆଲ ଗ୍ୟାସ୍ ରେଟ୍

ସେହିପରି କଣ୍ଟାବାଞ୍ଜିରେ ସମାନ ଦୃଶ୍ୟ । ଏଠିବି ସମାନ କଥା- ଗ୍ୟାସ ମିଳୁନି। ଗ୍ରାହକ ହତାଶ ହେଉଛନ୍ତି କଟକରେ କିନ୍ତୁ ବିତରକଙ୍କ ପାଖରେ ରହିଛି ଅଜବ ସଫେଇ। ଇଣ୍ଟରନେଟ ସ୍ଲୋ ରହୁଛି, ତେଣୁ ଏଲପିଜି ବିତରଣରେ ସମସ୍ୟା ହେଉଛି। ଲାଇନରେ ଠିଆ ହୋଇଥିବା ଲୋକେ ଫୋନରେ ଇଣ୍ଟରନେଟ ଚେକ୍ କରୁଛନ୍ତି ଓ କାନମୁଣ୍ଡା ଆଉଁସି ଫେରୁଛନ୍ତି।

Also Read: ଯୁଦ୍ଧରେ ଥରହର ଇରାନ ଦେଲା ଭାରତକୁ ବିପୁଳ ତେଲ

ମାସିକିଆ ଦର ନିର୍ଦ୍ଧାରଣରେ ଆଜି ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୫ଟଙ୍କା.୫୦ ପଇସା ବଢ଼ିଛି। ଯେଉଁଠି ଘରୋଇ ସିଲିଣ୍ଡର ବ୍ଲାକ୍ରେ ୨ ହଜାର ଟଙ୍କାରେ ବିକ୍ରି ହେଉଛି ସେଠାରେ ଗ୍ରାହକ ଅନୁରୋଧ କରୁଛନ୍ତି ବିତରକ ଯେମିତି ବି ହେଉ ଆବଶ୍ୟକତା ପୂରଣ କରନ୍ତୁ।