ଟିଟିଲାଗଡ଼: ଆମେ ଏବେ ପରିବାରରେ ପୁରୁଷ ବିହୀନ। ଯିଏ ଥିଲା ଆମ ପାଇଁ ସିଏ ନାହିଁ। ଆଗକୁ ଆମକୁ ସମୟ ଦିଅ ପୁଅ ମୃତ୍ୟୁ ରହସ୍ୟ ଉପରୁ ପରଦା ନିଶ୍ଚିତ ଉଠିବ । ବହୁ କଥା ପ୍ରଚାର ହେଉଛି ସେ ସବୁ ମିଥ୍ୟା। ମୋ ମାଆ ଯାହା ଅଭିଯୋଗ କରିଛନ୍ତି ପୂର୍ବରୁ ତାହା ହିଁ ଠିକ ତାଙ୍କ ସହ ମୁଁ ଅଛି ଆମେ ବୋହୂ ଶାଶୁ ଠିକ ଅଛୁ। କୌଣସି ବିବାଦ କିମ୍ବା କୌଣସି ମତାନ୍ତର ନାହିଁ। ବୋଲି କହୁଛନ୍ତି ଉଭୟ ହ୍ୟୁମାନଙ୍କ ସ୍ତ୍ରୀ ଓ ମାଆ। ଏକାଠି ବସି ଉଭୟ କାନ୍ଦି କାନ୍ଦି ଉଭୟଙ୍କ ଲୁହ ପୋଛି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ହ୍ୟୁମାନଙ୍କ ମାଅ ଏବଂ ସ୍ତ୍ରୀ। ଏହା ପୂର୍ବରୁ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ଟିଟିଲାଗଡ ଆସି ସ୍ବାମୀଙ୍କ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଠାରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ହେଉ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ମୁଖା ଖୋଲୁ । ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳ ଦେବା ଉଦ୍ଦେଶ୍ୟରେ ଟିଟିଲିଗଡ଼ରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ଏଥିପାଇଁ ଟିଟିଲାଗଡ଼ ଆସିଥିବା ଓଲିଉଡର କଳାକାର, ସଂଗୀତ ନିର୍ଦ୍ଦେଶକ ପ୍ରଥମେ ହ୍ୟୁମାନଙ୍କ ଘରେ ପହଞ୍ଚିଥିଲେ । ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ହ୍ୟୁମାନଙ୍କ ମାଆଙ୍କୁ ଦେଖାକରି ସମବେଦନା ଜଣାଇଥିଲେ । ପରେ ହ୍ୟୁମାନଙ୍କ କବର ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ କାନ୍ଦି ପକାଇଥିଲେ।

ଅନୁଭବ କହିଥିଲେ ହ୍ୟୁମାନ ମୋ ହୃଦୟ ଓ ମନ ଭିତରେ ଅଛନ୍ତି । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ତଦନ୍ତ ନିଶ୍ଚୟ ହେବା ଉଚିତ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଭାବେ ଜଣାଇଛି ବୋଲି କହିଛନ୍ତି ଅନୁଭବ। ସେହିପରି ହ୍ୟୁମାନଙ୍କ ମୃତ୍ୟୁ ପଛରେ ଯେଉଁମାନେ ଅଛନ୍ତି ସେମାନେ ନିଶ୍ଚିତ ସାମ୍ନାକୁ ଆସିବେ ଓ ଦଣ୍ଡ ପାଇବେ ବୋଲି କହିଛନ୍ତି ଅନୁଭବ ।

ଜଣେ ପରେ ଜଣେ ଅଭିନେତା, ସୁପରଷ୍ଟାର, ସଙ୍ଗୀତ ନିର୍ଦ୍ଦେଶକ ସମସ୍ତେ ଆଜି ଆସି ହ୍ୟୁମାନଙ୍କ କବରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସମସ୍ତ ଗୋଟିଏ ଦାବି କରିଛନ୍ତି ହ୍ୟୁମାନଙ୍କ ଅକାଳ ମୃତ୍ୟୁର ତଦନ୍ତ ହେଉ । ସାରା ଓଡ଼ିଶା ସହ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ହ୍ୟୁମାନଙ୍କ ପରିବାର ସହ ଅଛି ବୋଲି କହିଛନ୍ତି ।ଯେଉଁମାନେ ହ୍ୟୁମାନଙ୍କ ସଂପର୍କରେ ନକରାତ୍ମକ ଚର୍ଚ୍ଚା କରୁଛନ୍ତି ସେମାନେ ତାଙ୍କର ଭଲ ଜିନିଷକୁ ମନେ ପକାନ୍ତୁ । କାରଣ ହ୍ୟୁମାନ ଓଡ଼ିଶାର ଷ୍ଟାର ଥିଲେ ବୋଲି କହିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି।