ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀ ଯୋଗୁଁ ଲୋକଙ୍କ ଆୟୁଷ ଧୀରେ ଧୀରେ କମୁଥିବା କୁହାଯାଉଛି । କମ୍‌ ବୟସରୁ ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଲୋକଙ୍କ ଜୀବନ ଚାଲିଯାଇଛି । ଖାଦ୍ୟପେୟ, ଚାଲିଚଳନ ଏବଂ କାର୍ଯ୍ୟ ଚାପ ମଣିଷର ଆୟୁଷ ଉପରେ ପ୍ରଭାବ ପକାଉଛି । ଶତାୟୁ ବ୍ୟକ୍ତିଙ୍କ ସଂଖ୍ୟା କମୁଛି । ଦେଶ ବା ବିଦେଶର କେଉଁ କୋଣରେ ଯଦି, ଜଣେ ଶତାୟୁ ବ୍ୟକ୍ତି ଜୀବିତ ଥିବା କଥା ଜଣାପ​‌ଡ଼େ ତେବେ ତାକୁ ନେଇ ଚର୍ଚ୍ଚା ହୁଏ । ଦୀର୍ଘ ବର୍ଷ ବଞ୍ଚିବାର ରାଜ୍‌ ଖୋଜିବାକୁ ସସସ୍ତେ ଲାଗିପଡ଼ନ୍ତି । କିନ୍ତୁ ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି, ଯେତେ​‌ ଯାହା କଲେ ବି ମଣିଷ ସର୍ବାଧିକ ୧୫୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ । 

'npj Aging' ପତ୍ରିକାରେ ପ୍ରକାଶିତ ଏହି ଗାଣିତିକ ମଡେଲ୍ ଅନୁଯାୟୀ, ଯଦି ବାର୍ଦ୍ଧକ୍ୟ ସୃଷ୍ଟି କରୁଥିବା ସମସ୍ତ ପୁନରୁଦ୍ଧାରଯୋଗ୍ୟ  କାରଣଗୁଡ଼ିକୁ ସମ୍ପୂର୍ଣ୍ଣ ସୁସ୍ଥ କରାଯାଏ, ତଥାପି ଏହି ସୀମା ପାର୍ ହେବା ଅସମ୍ଭବ। ସେଲଗୁଡ଼ିକରେ ଜମା ହେଉଥିବା ଜୈବିକ କ୍ଷତିକୁ ଆଧାର କରି ଗବେଷକମାନେ ପ୍ରଥମ ଥର ପାଇଁ ମାନବ ଆୟୁଷର ଏକ ସ୍ପଷ୍ଟ ସୀମାରେଖା ନିର୍ଦ୍ଧାରଣ କରିଛନ୍ତି। 

ଶରୀରରେ ବୟସ ବୃଦ୍ଧି ସହ କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ଠିକ କରିବା ଲାଗି ବର୍ତ୍ତମାନ କୌଣସି ଚିକିତ୍ସା ନାହିଁ। ଯକୃତ (liver) ପରି ଅଙ୍ଗଗୁଡ଼ିକର କୋଷ ନିରନ୍ତର ବଦଳୁଥିବାରୁ ସେଗୁଡ଼ିକ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହି କ୍ଷତି ସହିପାରନ୍ତି। ମାତ୍ର ନ୍ୟୁରନ୍ (ମସ୍ତିଷ୍କ କୋଷ) ଏବଂ କାର୍ଡିଓମାୟୋସାଇଟ୍‌ସ (ହୃତପିଣ୍ଡ କୋଷ) ପୁନର୍ବାର ସୃଷ୍ଟି ହୋଇପାରେ ନାହିଁ। ଫଳରେ ଏଗୁଡ଼ିକ ବାର୍ଦ୍ଧକ୍ୟ ରୋକିବାରେ ମୁଖ୍ୟ ବାଧକ ସାଜନ୍ତି। 

ବୈଜ୍ଞାନିକଙ୍କ ମତରେ, ଯଦି ବାର୍ଦ୍ଧକ୍ୟ ଆଣୁଥିବା ସବୁ ଫ୍ୟାକ୍ଟରକୁ ଠିକ୍‌ କରିଦିଆଯାଏ, ତାପରେ ବି ମଣିର ଆୟୁଷ ୧୪୬ରୁ ୧୯୬ ବର୍ଷ ମଧ୍ୟ ରହିବ । ଭବିଷ୍ୟତରେ ଆଣ୍ଟି-ଏଜିଂ (anti-ageing) ଚିକିତ୍ସା ଯେତେ ଉନ୍ନତ ହେଲେ ବି ଜିନୋମିକ୍ କ୍ଷତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନକଲେ ମାନବ ଆୟୁଷ ୧୫୬ ବର୍ଷର ସୀମା ଅତିକ୍ରମ କରିପାରିବ ନାହିଁ ।ସୂଚନାଯୋଗ୍ୟ, କାଳ୍ପନିକ ମଡେଲ ଅନୁସାରେ, ଯଦି ବୟସାଧିକ୍ୟ ମୃତ୍ୟୁ କାରଣ ନହୁଏ, ତେବେ ଜଣେ ମଣିଷ ୧୭୫୯ ବର୍ଷ ବଞ୍ଚିବାର ସମ୍ଭାବନା ରହିଛି । କିନ୍ତୁ ସୋମାଟିକ ମ୍ୟୁଟେସନ (କୋଷ ବିଭାଜନ) ଯୋଡ଼ିବା ପରେ ଏହି ହାରାହାରି ବୟସ ୧୫୬ ବର୍ଷକୁ ଖସିଆସିଥିଲା ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ତେବେ ବୈଜ୍ଞାନିକମାନେ ଏହା ଉପରେ ଅଧିକ ଅଧ୍ୟୟନ କରୁଥିବା ଜଣାପଡ଼ିଛି ।