କଟକ ୨୧।୧୨ : ଥାନାରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଦ୍ୱାରସ୍ଥ ହେଲେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରିଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମାଆ ଶେଫାଳୀ ।

ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଥିଲା । ଯାହାପରେ କିଛି ଦିନ ଧରି ବାଦବିବାଦ ଲାଗିରହିଥିଲା । ଏପିରିକି ହ୍ୟୁମାନଙ୍କ ମ୍ୟାନେଜର ନାଁରେ ସାଙ୍ଗାତିକ ଅଭିଯୋଗ ଆଣିଥିଲେ ତାଙ୍କ ମାଆ । ପରେ ମାମଲାରେ ଅନେକ ସାଥୀ କଳାକାରଙ୍କ ନାଁ ମଧ୍ୟ ଆସିଥିଲା । ଇତିମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଏକ ମାସ ପୂରିଗଲାଣି । ଏବେ ପୁଣି ଥରେ ଏହି ମାମଲା ଚର୍ଚ୍ଚାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପୁଅ ହ୍ୟୁମାନଙ୍କୁ ଜାଣିଶୁଣି ମାରି ଦିଆଯାଇଛି । ତାର ମୃତ୍ୟୁ ହୋଇନାହିଁ । ତେଣୁ ଏହି ଘଟଣାର ପୁରା ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ହ୍ୟୁମାନଙ୍କ ଫୋନ୍‌ ଡିଟେଲ୍‌, କଟକ ସ୍ଥିତ ବାସଭବନର ସିସିଟିଭିକୁ ସବୁକୁ ଯାଞ୍ଚ କରିବାକୁ କହିଛନ୍ତି । ଏହାସହିତ ହ୍ୟୁମାନଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି ଶେଫାଳୀ ସୁନା ।