ଭୁବନେଶ୍ୱର :  ଆଜି ରାତି ଗଲେ ପାହି ଜଳିବ ମୋ ଜୁଇ...ଦୁନିଆରୁ ଚାଲି ଯିବି ନଥିବ ମୋ ଛାଇ...ଏହି ରୋମାଣ୍ଟିକ୍ ସ୍ୟାଡ୍ ସଙ୍ଗ୍ ଗାଇ ପୂରା ଦୁନିଆକୁ କନ୍ଦେଇଥିଲେ ସେ । ଆଜି ଗୀତ ଟି ହୋଇଯାଇଛି ସତ । ଯାହା ଆଜି ତାଙ୍କ ପ୍ରଶଂସକଙ୍କ ଆଖିରେ ଭରି ଦେଇଛି ଲୁହ। ଏକଥାକୁ ବି ଟାଳି ହେବନି ଯେ, ଆଜି ତାଙ୍କ ଛାଇ ନାହିଁ ସତ କିନ୍ତୁ ତାଙ୍କ ପ୍ରଶଂସକଙ୍କ ମନରୁ ସେ ହଜି ନାହାନ୍ତି ,କି ଲିଭି ନାହାନ୍ତି। ମୋବାଇଲ୍ ର ପ୍ରତିଟି କ୍ଲିକରେ, ପ୍ରତି ଟି ଓଠରେ, ପ୍ରତିଟି ଧୁନରେ ସିଏ, ପ୍ରତି ମନରେ ସିଏ। ତାଙ୍କ ଯିବାକୁ ଆଜକୁ ବର୍ଷେ। କିନ୍ତୁ ଆଜି ବି ମଉଳିନି ତାଙ୍କ ସ୍ମୃତି। ସେ ବଞ୍ଚିଛନ୍ତି ତାଙ୍କ ଗୀତରେ । ତାଙ୍କ ଅଭୁଲା ସ୍ୱରରେ।

ଆଜି ହ୍ୟୁମାନ ସାଗରଙ୍କ ପ୍ରଥମ ପୂଣ୍ୟତିଥି । ସ୍ୱରର ସାଗରଙ୍କୁ ମନେ ପକାଉଛନ୍ତି ରାଜ୍ୟବାସୀ। ଟିଟିଲାଗଡରେ ତାଙ୍କ ସ୍ମୃତିରେ କରାଯାଉଛି କାର୍ଯ୍ୟକ୍ରମ। ଆୟୋଜିତ ହୋଇଛି ସ୍ମୃତି ସନ୍ଧ୍ୟା। କିନ୍ତୁ ବଡ଼ ଦୁଃଖର କଥା କୋଟି କୋଟି ଦର୍ଶକଙ୍କ ହୃଦୟର ବାଜିଗର ହ୍ୟୁମାନଙ୍କ କିନ୍ତୁ ବର୍ଷେ ପରେ ବି ମିଳିନି ନ୍ୟାୟ। ତାଙ୍କ ମୃତ୍ୟୁ ପଚରେ ଯେଉଁମାନେ ଦାୟୀ, ତାଙ୍କୁ ଖୋଜିବାରେ ଅକ୍ଷମ ପୋଲିସ୍। ମାମଲାର ତଦନ୍ତ ଆଗକୁ ବଢୁ ନଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ । ସେଥିପାଇଁ ମାଆ ଆଖିରେ ଅସହାୟତାର ଲୁହ। ଆଜି ବି ସେ କାନ୍ଦୁଛି ତା ପୁଅକୁ ନ୍ୟାୟ ଦେବାକୁ ସଂଘର୍ଷ କରୁଛି। ମାଆ ଶେଫାଳି ସୁନାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା ମର୍କତନଗର ଥାନା ପୋଲିସ । ପତ୍ନୀ ଶ୍ରେୟା, ସହ କଣ୍ଠଶିଳ୍ପୀ ଅର୍ପିତାଙ୍କ ସମେତ ୯ ଜଣ ଅଭିଯୁକ୍ତ ନାଁ ରେ ଦିଆଯାଇଥିଲା ଏତଲା । ସେଥିମଧ୍ୟରୁ ଦୁଇ ଜଣଙ୍କୁ ପଚରା ଉଚୁରା କରି ହାତ ବାନ୍ଧି ବସିଛି ପୋଲିସ୍ । ଆସିନି ମେଡ଼ିକାଲ୍ ରିପୋର୍ଟ କି ବ୍ୟାଙ୍କ ତଥ୍ୟ । ତେଣୁ ଦିବଂଗତ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅସ୍ବାଭାବିକ ମୃତ୍ୟୁ ଆଜି ବି ରହସ୍ୟ ଘେରରେ । ମାଆ ଶେଫାଳି ବାରମ୍ବାର ପୁଲିସକୁ ଫୋନ୍ କରି ନେହୁରା ହେଉଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଉ କହିଛନ୍ତି ନିଜ ପୁଅ ପାଇଁ ନ୍ୟାୟ ମାଗିବା ଯୁଦ୍ଧରେ ସେ ହାରି ଯାଇଛନ୍ତି ।

ହ୍ୟୁମାନଙ୍କ ମୃତ୍ୟୁ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ସେ କହିଛନ୍ତି ହ୍ୟୁମାନଙ୍କ ମୃତ୍ୟୁକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ହ୍ୟୁମାନ ତାଙ୍କ ଜୀବନ ରେ ଅନେକ ଟଙ୍କା କମାଇଥିଲେ ସୁଦ୍ଧା ଟଙ୍କାଟିଏ ବି ମାଙ୍କ ପାଖରେ ନାହିଁ। ତେଣୁ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ହିଁ, ହ୍ୟୁମାନକୁ ନ୍ୟାୟ ମିଳିବ। ଯଦି ହ୍ୟୁମାନ ପ୍ରେମୀ ମାନେ ହ୍ୟୁମାନଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ସମସ୍ତେ ଗୋଟିଏ ଗୋଟିଏ ମେଲ୍ ଓ ପୋଷ୍ଟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କରନ୍ତୁ। ଏମିତି ହେଲେ ହ୍ୟୁମାନକୁ ନ୍ୟାୟ ମିଳିବା ପାଇଁ ଗୋଟେ ବାଟ ଫିଟିବ ବୋଲି ଆଶା କରିଛନ୍ତି ପ୍ରେମାନନ୍ଦ।

Also Read- ବାତ୍ୟା ପାଇଁ ମାଲକାନଗିରିରେ ସ୍କୁଲ୍ ଛୁଟି, ୧୯ ଓ ୨୦ରେ ଶିକ୍ଷାନୁଷ୍ଠାନ ବନ୍ଦ

ଏସବୁ ଭିତରେ ଅନେକ ପ୍ରଶ୍ନ ହ୍ୟୁମାନଙ୍କ ଫ୍ୟାନ୍ସଙ୍କ ମନରେ। ଏତେ ବଡ଼ ଷ୍ଟାର ତଥା ପି କାହିଁକି ରହସ୍ୟ ଘେରରେ ତାଙ୍କ ମୃତ୍ୟୁ। ସତ ସାମ୍ନାକୁ ନ ଆସିବାକୁ କାହାର ଚାପ ପଡ଼ୁଛି। ନା ସତକୁ ଚାପି ଦିଆ ଯାଉଛି। ସନ୍ଦେହର କାରଣ ଅନେକ ପ୍ରଶ୍ନ। ହ୍ୟୁମାନଙ୍କ ମୃତ୍ୟୁ ପଛରେ ଥିଲା କି ଷଡ଼ଯନ୍ତ୍ର। ଚିକିତ୍ସା ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଇଥିଲା କି। ଚିକିତ୍ସା ଖର୍ଚ୍ଚ ନାଁରେ ତାଙ୍କ ଟଙ୍କା ହଡ଼ପ କରାଯାଇଥିଲା କି। କାରଣ ହ୍ୟମାନ ତ ଚାଲି ଯାଇଛନ୍ତି। କିନ୍ତୁ ତାଙ୍କ ମୃତ୍ୟୁ ପାଇଁ ଯାହା ନାଁ ରେ ଅଭିଯୋଗ ହୋଇଥିଲେ। ସେମାନେ ସମସ୍ତେ ଖୁଲମଖୁଲା ବେଶ୍ ଆରାମରେ ଦିନ କାଟୁଛନ୍ତି। ତେଣୁ ତଦନ୍ତରେ ସ୍ୱଚ୍ଛତା ଆସୁ, ସତ ସାମ୍ନାକୁ ଆସୁ ଏବଂ ଯଦି କେହି ଦୋଷୀ ଥାଆନ୍ତି, ତେବେ ଆଇନ ଅନୁଯାୟୀ ଦଣ୍ଡ ପାଆନ୍ତୁ ଏହାହିଁ ସମସ୍ତଙ୍କ ଇଚ୍ଛା । ଦୋଷୀ ଦଣ୍ଡ ପାଇଲେ, ପୁତ୍ର ହରା ମାର ମନ ବୁଝିବ। ହ୍ୟୁମାନଙ୍କ ଆତ୍ମାକୁ ଶାନ୍ତି ମିଳିବ।