କୋଲକାତା : ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବାସନ୍ତୀ ଅଞ୍ଚଳରୁ ଶନିବାର ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ କାର୍ତ୍ତୁସ୍ ଜବତ ପରେ ତୃଣ ମୂଳ କଂଗ୍ରେସ (ଟିଏମସି)ର ୨ ଜଣ ସ୍ଥାନୀୟ ନେତାଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ସୌକତ ଗାୟେନ ଓ ଜଫର ଶେଖ ରୂପେ ଚିହ୍ନଟ କରାଯାଇଛି। ପୋଲିସ ସୂଚନା ଅନୁସାରେ ବାସନ୍ତୀ ଥାନା ପୋଲିସ ଓ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ମିଳିତ ଅଭିଯାନରେ ତଲାସୀ ଅଭିଯାନ ଚଳାଯାଇଥିଲା।

ଏହି ଅଭିଯାନ କାଳରେ ସୌକତଙ୍କ ପୋଖରୀରୁ ୧୪ଟି ଦୂରଗାମୀ ଅସ୍ତ୍ର ଓ ୯୫ ରାଉଣ୍ଡ କାର୍ତ୍ତୁସ ଜବତ ହୋଇଥିଲା। ସ୍ଥାନୀୟ ସୂତ୍ର ଅନୁସାରେ ସୌକତଙ୍କ ପୁଅ ରେଜାଉଲ ଗାୟେନ ବାସନ୍ତୀ କନ୍ଥଲବେରିୟା ଗ୍ରାମପଞ୍ଚାୟତରୁ ଟିଏମସି ଟିକେଟରେ ପଞ୍ଚାୟତ ସଦସ୍ୟ ନିର୍ବାଚିତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଟିଏମସି ନେତା ରାଜା ଗାଜୀଙ୍କ ନିକଟତମ ମନେ କରାଯାଏ। ପୋଲିସର ଏହି ଚଢଉ କାଳରେ ଟିଏମସିର ଗିରଫ ନେତା ଶେଖ ଶାହାଜାହାଁଙ୍କ ଘରର ମଧ୍ୟ ତଲାସୀ ନେଇଥିଲା । ଏଠାରେ ମଧ୍ୟ ଏକ ପୋଖରୀରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହି ମାମଲାରେ ଚରବିଦ୍ୟା ଗାଁର ରମଜାନ ଶେଖକୁ ଗିରଫ କରାଯାଇଥିଲା।

ତଦନ୍ତକାରୀ ସଂସ୍ଥାଙ୍କ ଅନୁସାରେ ରମଜାନ ଶେଖର ସମ୍ପର୍କ ସାଉକତ ମୌଲା ଓ ଶେଖ ଶାହାଜାହାଁଙ୍କ ସହଥିଲା। ସାଉକତ ମୌଲାଙ୍କୁ ନିକଟରେ ଏକ ବୋମା ବିସ୍ଫୋରଣ ମାମଲାରେ ଏନଆଇଏ ଗିରଫ କରିଥିଲା। ତେବେ ଶେଖ ଶାହଜହାଁଙ୍କୁ ପୂର୍ବରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଏସଟିଏଫ କିଛିଦିନ ପୂର୍ବରୁ ରମଜାନ ଶେଖଙ୍କ ଘରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ପଚରା ଉଚରା କାଳରେ ସେ ଦେଇଥିବା ସୂଚନା ଅନୁସାରେ ବସନ୍ତୀ କ୍ଷେତ୍ରର ବିଭିନ୍ନ ସ୍ଥାନରୁ ବିପୁଳ ଅସ୍ତ୍ରଶସ୍ତ୍ର ମିଳିବାରେ ଲାଗିଛି।

ରମଜାନକୁ ପଚରାଉଚରା କାଳରେ ସୌକତ ଗାୟେନଙ୍କ ଘର ପଛପାଖ ପୋଖରୀ ସିଡି ତଳେ ଅସ୍ତ୍ରଶସ୍ତ୍ର ଓ କାର୍ତ୍ତୁସ ଲୁଚାଇ ରଖାଯାଇଥିବା କହିଥିଲା। ସେହି ଅନୁସାରେ ଶନିବାର ଚଢଉ କାଳରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ବେଳେ ମାମଲରେ ସୌକତ ଗାୟେନ ଓ ଜଫର ଶେଖଙ୍କୁ ଗିରଫ କରାଯାଇଛି।