ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଉଦାରୀକରଣ ଏକ ବଡ଼ ଅଧ୍ୟାୟ। ଯାହା ପାଇଁ ଭାରତ ଆଜି ଏକ ପ୍ରଗତିଶୀଳ ଅର୍ଥନୀତି ହୋଇପାରିଛି। ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିବା ସମୟରେ ୯୦ ଦଶକରେ ହୋଇଥିବା ଉଦାରୀକରଣ ନୀତି ବିଭିନ୍ନ ଇଣ୍ଡଷ୍ଟ୍ରୀ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ସରକାରୀ କଟକଣା ହଟାଇ ସ୍ୱଦେଶୀ ଓ ବିଦେଶୀ ବ୍ୟବସାୟ ପାଇଁ ଏକ ମୁକ୍ତ ବଜାର ଖୋଲିଥିଲା। ଏଥିରେ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀକୁ ମଧ୍ୟ ନାଟକୀୟ ଢଙ୍ଗରେ ଫାଇଦା ମିଳିଥିଲା।

ଏହି ସ୍ପେଶାଲ୍ ରିପୋର୍ଟରେ ଆମେ ସିନେମା ସାଇଟ୍ରୁ ଭାରତୀୟ ଉଦାରୀକରଣ ନୀତିକୁ ଦେଖିବା। ୧୯୯୧ ମସିହାରେ ହୋଇଥିବା ଉଦାରୀକରଣ ଯୋଗୁ ଭାରତୀୟ ସିନେମା କେଉଁଠୁ ଆସି ଆଜି କେଉଁଠି ପହଞ୍ଚି ସେ ବିଷୟରେ ଜାଣିବା। ପଢ଼ନ୍ତୁ ସ୍ପେଶାଲ୍ ରିପୋର୍ଟ।

ସିନେମା ଇଣ୍ଡଷ୍ଟ୍ରୀରେ ଉଦାରୀକରଣର କିଭଳି ପ୍ରଭାବ ପକାଇଥିଲା, ତାର ଏକମାତ୍ର ବଳିଷ୍ଠ ଉଦାହରଣ ଶାହରୁଖ ଖାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଲିବେରାଲିଜମର ପୋଷ୍ଟର ବୟ ଶାହରୁଖ। ୧୯୮୦ ଦଶକର ଶେଷ ଭାଗରେ ଶାହରୁଖ ନା ଥିଲେ କିଂ ଖାନ ନା ଥିଲେ ବାଦଶାହ। ସେତେବେଳେ ଦିଲ୍ଲୀର ଏହି ଯୁବକ ଟେଲିଭିଜନ୍ ଧାରାବାହିକରେ ଅଭିନୟ କରୁଥିଲେ। କିନ୍ତୁ ୧୯୯୨ରେ ତାଙ୍କ ପ୍ରଥମ ବଡ଼ ଫିଲ୍ମ ‘ଦିୱାନା’ ରିଲିଜ୍ ହେବା ପରେ ତାଙ୍କ କ୍ୟାରିୟର୍ର ପ୍ରକୃତ ଯାତ୍ରା ଆରମ୍ଭ ହୋଇଥିଲା।

Also Read- Global Food Prices Rise: ସାରା ବିଶ୍ୱରେ ମହଙ୍ଗା ମାଡ଼, ୨୦୨୨ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଫୁଡ୍ ପ୍ରାଇସ୍ ଇଣ୍ଡେକ୍ସ

ଅର୍ନୀତିରେ ସୁଧାର ପରେ ଭାରତ ବିଶ୍ୱର ଆର୍ଥିକ ମାନଚିତ୍ରରେ ଧୀରେ ଧୀରେ ଉପରକୁ ଉଠୁଥିଲା, ଶାହରୁଖ ମଧ୍ୟ ବି-ଟାଉନ୍ର ଜଣେ ବଡ଼ ସୁପରଷ୍ଟାର୍ ହେବାର ରାସ୍ତାରେ ଆଗକୁ ବଢ଼ୁଥିଲେ। ‘ଡର୍’, ‘ଅଞ୍ଜାମ୍’, ‘ୟେସ୍ ବସ୍’ ଏବଂ ‘ଡୁପ୍ଲିକେଟ୍’ ଭଳି ତାଙ୍କ ଅନେକ ହିଟ୍ ଫିଲ୍ମ ସେତେବେଳର ସାଧାରଣ ହିନ୍ଦୀ ସିନେମାଠାରୁ ଭିନ୍ନ ଥିଲା। ‘ଡର୍’ ଏବଂ ‘ଅଞ୍ଜାମ୍’ରେ ସେ ଖଳନାୟକ ଭୂମିକାରେ ଦମଦାର ଅଭିନୟ କରିଥିଲେ। ଏପରିକି ‘ବାଜିଗର୍’ରେ ବି ସେ ହିରୋ ଅନ୍ଦାଜବାଲା ଭିଲେନ ସାଜିଥିଲେ। ଏହି ସିନେମାରେ ଶାହରୁଖ ଏଭଳି ଅଭିୟନ କଲେ ଯେ ସେତେବେଳେ ତାଙ୍କୁ ଦର୍ଶକଙ୍କ ଖୁବ୍ ଭଲପାଇବା ମିଳିଥିଲା।

ପରବର୍ତ୍ତୀ ସମୟରେ ତାଙ୍କ ରୋମାଣ୍ଟିକ୍ ଓ ପାରିବାରିକ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ଏବଂ ‘କୁଛ୍ କୁଛ୍ ହୋତା ହୈ’ ଭଳି ଚଳଚ୍ଚିତ୍ର ଭାରତୀୟ ସିନେମା ପାଇଁ ବିଦେଶୀ ବଜାରର ଦ୍ୱାର ଖୋଲି ଦେଇଥିଲା। ବାସ ଏଇଠୁ ଆରମ୍ଭ ହୋଇଥିଲା ଭାରତୀ ସିନେମାର ପାନ ୱାର୍ଲ୍ଡ ମୁଭୀର ଯାତ୍ରା।

ବିଦେଶୀ ବଜାରରେ ଶାହରୁଖଙ୍କ ପ୍ରଭାବ

୨୦୧୨ ମସିହା ପାଖାପାଖି ପର୍ଯ୍ୟନ୍ତ, ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସିନେମା ବିଦେଶେ ଯେତେକି ଆୟ କରୁଥିଲେ ସେଥିରେ ଶାହରୁଖଙ୍କ ଅଭିନୀତି ଫିଲ୍ମର ଯୋଗଦାନ ଥିଲା ଅଧାରୁ ଅଧିକ। ଗତ ପ୍ରାୟ ୩୫ ବର୍ଷ ମଧ୍ୟରେ ଭାରତୀୟ ସିନେମା ଶିଳ୍ପରେ ଯେଉଁ ପ୍ରମୁଖ ପରିବର୍ତ୍ତନ ଆସିଛି, ଶାହରୁଖଙ୍କ କ୍ୟାରିୟର୍ ମଧ୍ୟ ସେହି ପରିବର୍ତ୍ତନ ସହ ସମାନ୍ତରାଳ ଭାବେ ଆଗକୁ ବଢ଼ିଛି। ୧,୦୦୦ ସିଟ୍‌ର ସିଙ୍ଗଲ୍-ସ୍କ୍ରିନ୍ ଥିଏଟର୍ ସମୟ ଠାରୁ ଆରମ୍ଭ କରି ସାଟେଲାଇଟ୍ ଟିଭି, ମଲ୍ଟିପ୍ଲେକ୍ସ ଏବଂ ବର୍ତ୍ତମାନର ଷ୍ଟ୍ରିମିଂ ଯୁଗ ପର୍ଯ୍ୟନ୍ତ ଶାହରଖୁଙ୍କ ଯାତ୍ରା ପାଦରେ ପାଦ ମିଶାଇ ଜାରି ରହିଛି।

ଶାହରୁଖଙ୍କ ସମୟରେ ଦିଲ୍ଲୀରେ ଆଉ ଜଣେ ଯୁବକଙ୍କ ପ୍ରୟାସ

୧୯୯୦ ମସିହାରେ ଶାହରୁଖ ଖାନ୍ ନିଜ କ୍ୟାରିୟର୍କୁ ଆଗକୁ ନେବାକୁ ସଂଘର୍ଷ କରୁଥିବା ସମୟରେ ଦିଲ୍ଲୀର ଆଉ ଜଣେ ଯୁବକ ଅଜୟ ବିଜଲି ଫିଲ୍ମ ଶିଳ୍ପରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିଲେ।ସେତେବେଳେ ୨୩ ବର୍ଷୀୟ ବିଜ୍ଲି ଦକ୍ଷିଣ ଦିଲ୍ଲୀରେ ନିଜ ପରିବାରର ମାଲିକାନାରେ ଥିବା ସିଙ୍ଗଲ୍-ସ୍କ୍ରିନ୍ ଥିଏଟର୍ ପ୍ରିୟା ସିନେମାକୁ ନୂଆ ରୂପ ଦେବାରେ ଲାଗିଥିଲେ। ସେ ସ୍ଥାନୀୟ ସରକାରଙ୍କ ନିକଟରେ ଫିଲ୍ମ ଟିକେଟ୍ର ଦରକୁ ନିୟନ୍ତ୍ରଣମୁକ୍ତ କରିବା ଏବଂ ଟିକେଟ୍ ଉପରେ ଲାଗୁଥିବା ୬୦ ପ୍ରତିଶତ ମନୋରଞ୍ଜନ କର କମାଇବା ପାଇଁ ଦାବି କରି ଆସୁଥିଲେ। ବିଜଲିଙ୍କ ଯୁକ୍ତି ଥିଲା ଯେ କର କମିଲେ ଥିଏଟର୍ ବ୍ୟବସାୟକୁ ଲାଭ ମିଳିବ। କାରଣ ସେତେବେଳେ ଭିଡିଓ ପାଇରେସି ଯୋଗୁ ଫିଲ୍ମ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହେଉଥିଲା। ଏପଟେ ଟ୍ୟାକ୍ସ ଆୟର ଭାଗକୁ କମ କରୁଥିଲା।

୧୯୯୧ରେ ଟିକେଟ୍ ଦର ନିୟନ୍ତ୍ରଣମୁକ୍ତ

୧୯୯୧ରେ ଦିଲ୍ଲୀ ସରକାର ଫିଲ୍ମ ଟିକେଟ୍ ଦରର ୮୦ ପ୍ରତିଶତ ଅଂଶକୁ ନିୟନ୍ତ୍ରଣମୁକ୍ତ କରିବାକୁ ଅନୁମତି ଦେଇଥିଲେ। ତେବେ ୧,୦୦୦ ସିଟ୍ରୁ ୨୦ ପ୍ରତିଶତ ସିଟ୍ ପାଇଁ ପ୍ରତି ଟିକେଟ୍ର ସର୍ବାଧିକ ଦର ୫ ଟଙ୍କା ରଖାଯାଇଥିଲା। ପ୍ରିୟା ଏବଂ ଅନ୍ୟ ସିଙ୍ଗଲ୍-ସ୍କ୍ରିନ୍ ଥିଏଟର୍ଗୁଡ଼ିକ ଭଲ ବ୍ୟବସାୟ କରିବା ପରେ ଭାରତରେ ମଲ୍ଟିପ୍ଲେକ୍ସ ସଂସ୍କୃତି ଆଣିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା।

ନୂଆ ନୂଆ ଉଦାରୀକରଣକୁ ଆପଣାଇଥିବା ଭାରତରେ କିନ୍ତୁ ମଲ୍ଟିପ୍ଲେକ୍ସର ରାସ୍ତା ସହଜ ନଥିଲା। ଭାରତରେ ଏଭଳି ଥିଏଟର୍ ଚଳାଇବାର ଅଭିଜ୍ଞତା ନଥିବାରୁ ଏଥିପାଇଁ ବିଦେଶୀ ଅଂଶୀଦାରଙ୍କ ଆବଶ୍ୟକତା ଥିଲା। ହେଲେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବା ଏଫ୍ଡିଆଇକୁ ଅନୁମତି ନଥିବାରୁ ବିଦେଶୀ ଅଂଶୀଦାର ଆଣିବା ବଡ଼ ସମସ୍ୟା ଥିଲା।

ବିଦେଶୀ ପୁଞ୍ଜିନିବେଶ ପାଇଁ ଖୋଲିଲା ବାଟ

ଅଜୟ ବିଜ୍ଲିଙ୍କ କହିବା ଅନୁସାରେ, ଏହି ସମସ୍ୟାର ସମାଧାନ ପାଇଁ ସେମାନେ ଅର୍ନ୍ସଟ୍ ଆଣ୍ଡ ୟଙ୍ଗ୍ (ବର୍ତ୍ତମାନ EY) ଏବଂ DPNC ନାମକ ଏକ କମ୍ପାନୀର ସହାୟତା ନେଇଥିଲେ। ସରକାରଙ୍କ ସମ୍ମୁଖରେ ଏଫ୍ଡିଆଇ ଅନୁମତିର ପ୍ରସଙ୍ଗ ଉଠାଯାଇଥିଲା। ୧୯୯୫ରେ ସେମାନଙ୍କ କମ୍ପାନୀ ଭାରତର ପ୍ରଥମ କମ୍ପାନୀ ଭାବେ ଅଷ୍ଟ୍ରେଲିଆର ଥିଏଟର୍ ଚେନ୍ ଭିଲେଜ ରୋଜଶୋକୁ ୪୦ ପ୍ରତିଶତ ଅଂଶଧନ ପାଇଁ ନିବେଶ କରିବାର ବିଶେଷ ଅନୁମତି ପାଇଥିଲା। ତେବେ କମ୍ପାନୀର ଅଧିକାଂଶ ମାଲିକାନା ଭାରତୀୟ ଅଂଶୀଦାରଙ୍କ ନିକଟରେ ରଖିବାର ବ୍ୟବସ୍ଥା ରହିଥିଲା।

Also Read- ‘ହନୁମାନ ଅଂଶ’ ପାଇଁ ନିର୍ମାତା ନେଇନାହାନ୍ତ ଫି’; ୫ ମାସ ଖାଇଛନ୍ତି କେବଳ ଫଳ, ପ୍ରତିଦିନ ପଢୁଥିଲେ ହନୁମାନ ଚାଳିଶା

ସବୁଠାରୁ ବଡ଼ କଥା ହେଉଛି ସେତେବେଳେ ନୂଆ ଚିନ୍ତାଧାରା ପ୍ରତି ଏକ ଖୋଲା ମନୋଭାବ ଥିଲା। ଆପଣ ପ୍ରଦର୍ଶନ ବ୍ୟବସାୟରେ ଥାଆନ୍ତୁ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ, ଦେଶର ବିଭିନ୍ନ ସରକାରୀ ସଂସ୍ଥା ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଥିଲେ ବୋଲି ବିଜଲୀ କହିଛନ୍ତି। ସେତେବେଳର ସାଧାରଣ ଧାରଣା ଥିଲା ଯେ ବିଦେଶର ସିନେମା ଶିଳ୍ପରେ ଯାହା ହେଉଛି, ଭାରତରେ ମଧ୍ୟ ସେହି ପରିବର୍ତ୍ତନ ହେବା ଦରକାର। ସେହି ଅନୁସାରେ ଆମେ କାମ ଆରମ୍ଭ କରିଦେଲୁ ବୋଲି ବିଜଲୀ କହିଛନ୍ତି।

୧୯୯୭ରେ ଭାରତର ପ୍ରଥମ ମଲ୍ଟିପ୍ଲେକ୍ସ

ଏହି ପରିବର୍ତ୍ତନର ଏକ ବଡ଼ ପରିଣାମ ହେଲା ୧୯୯୭ରେ PVR Anupamର ଉଦଘାଟନ। ଦିଲ୍ଲୀରେ ଖୋଲିଥିବା ଏହି ମଲ୍ଟିପ୍ଲେକ୍ସ ଭାରତର ପ୍ରଥମ ମଲ୍ଟିପ୍ଲେକ୍ସ ଥିଲା ଏବଂ ଏଥିରେ ଚାରିଟି ସ୍କ୍ରିନ୍ ରହିଥିଲା। ଏହା ପରବର୍ତ୍ତୀ ବର୍ଷ, ୧୯୯୮ର ମଧ୍ୟଭାଗରେ ସିନେମା ଶିଳ୍ପକୁ ‘ଇଣ୍ଡଷ୍ଟ୍ରି’ର ମାନ୍ୟତା ଦେବାକୁ ଘୋଷଣା କରାଯାଇଥିଲା। ୨୦୦୦ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ଅଧିସୂଚିତ କରାଗଲା।

ଏହି ସମୟରେ ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ନେଇ ବାର୍ଷିକ ସମ୍ମିଳନୀ ଏଫ୍ଆଇସିସିଆଇ ଫ୍ରେମ୍ସ ଆରମ୍ଭ ହୋଇଥିଲା। ଖୁବ୍ ଶୀଘ୍ର ସିନେମା ଶିଳ୍ପରେ ୧୦୦ ପ୍ରତିଶତ ଏଫ୍ଡିଆଇକୁ ଅନୁମତି ମିଳିଥିଲା। ଏହା ସହିତ ଭାରତୀୟ ବ୍ୟାଙ୍କିଂ ସଂଘ ମଧ୍ୟ ଫିଲ୍ମ ଶିଳ୍ପକୁ ଋଣ ପ୍ରଦାନ ପାଇଁ ନିୟମ ଜାରି କରିଥିଲା। ଏହି ସମୟରେ ମୁକ୍ତା ଆର୍ଟ୍ସ, ଏଡଲାବ୍ସ ଫିଲ୍ମସ୍ ଏବଂ ବାଲାଜୀ ଟେଲିଫିଲ୍ମସ୍ ଭଳି ଅନେକ କମ୍ପାନୀ ଆଇପିଓ ଆଣିଥିଲେ। ପରବର୍ତ୍ତୀ ସମୟରେ ମୁକ୍ତା ଓ ଏଡ୍ଲାବ୍ସର ମିଶ୍ରଣ ମଧ୍ୟ ହୋଇଥିଲା।

ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟ ମଲ୍ଟିପ୍ଲେକ୍ସ ନିର୍ମାଣ ପାଇଁ ଟିକସ୍ ଛାଡ଼ ଭଳି ସୁବିଧା ଦେବା ଆରମ୍ଭ କରିଥିଲେ। ଫଳରେ ଦେଶରେ ମଲ୍ଟିପ୍ଲେକ୍ସ ନିର୍ମାଣକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ମୋଟାମୋଟି କହିବାକୁ ଗଲେ ୨୦୦୦ ମସିହା ପରେ ଭାରତୀୟ ସିନେମା ବ୍ୟବସାୟ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା। ଏହି ପରିବର୍ତ୍ତନ ସହ ଶାହରୁଖ ଖାନ୍ଙ୍କ ଷ୍ଟାରଡମ୍ ମଧ୍ୟ ବଢ଼ିଥିଲା ଏବଂ ବଦଳୁଥିବା ଭାରତର ଆର୍ଥିକ ଉଦାରୀକରଣ ସହ ବଲିଉଡ୍ର ବିକାଶର ଏକ ନୂଆ ଅଧ୍ୟାୟ ଲେଖାଯାଉଥିଲା।

ମଲ୍ଟିପ୍ଲେକ୍ସର ଯୁଗ

ଶଶୀ କପୁର ବାସ୍ତବ ଜୀବନ ଏବଂ ପ୍ରକୃତ ଘଟଣା ଉପରେ ଆଧାରିତ ଫିଲ୍ମକୁ ପ୍ରୋତ୍ସାହନ ଦେବା ପାଇଁ ବେଶ୍ ଜଣାଶୁଣା ଥିଲେ। ଶ୍ୟାମ ବେନେଗଲଙ୍କ ‘କଲିୟୁଗ’ (୧୯୮୧) ଏବଂ ଗୋବିନ୍ଦ ନିହାଲାନୀଙ୍କ ‘ବିଜେତା’ (୧୯୮୨) ଭଳି ଅନେକ ଉତ୍କୃଷ୍ଟ ଫିଲ୍ମର ସେ ନିର୍ମାତା ଥିଲେ। ସେହିପରି ରମେଶ ଶର୍ମାଙ୍କ ରାଜନୈତିକ ଥ୍ରିଲର୍ ‘ନ୍ୟୁ ଦିଲ୍ଲୀ ଟାଇମ୍ସ’ (୧୯୮୬) ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ।

ଏହି ଫିଲ୍ମଗୁଡ଼ିକ ମଧ୍ୟରୁ ଅନେକ ଫିଲ୍ମ ଅଜୟ ବିଜ୍ଲିଙ୍କ ପିଲାଦିନର ପସନ୍ଦର ଫିଲ୍ମ ଥିଲା। ବିଜ୍ଲି କୁହନ୍ତି, “କିନ୍ତୁ ଏହି ଫିଲ୍ମଗୁଡ଼ିକ କେବେ ବି ଠିକ୍ ଭାବେ ପ୍ରଦର୍ଶିତ ହେଉନଥିଲା। ସେଗୁଡ଼ିକ ଆର୍ଟ ଫିଲ୍ମ ନଥିଲା। ବରଂ କମ୍ ବଜେଟ୍ରେ ତିଆରି ହୋଇଥିବା ଭଲ ଫିଲ୍ମ ଥିଲା, ଯାହା ଏକ ନିର୍ଦ୍ଦିଷ୍ଟ ଦର୍ଶକ ବର୍ଗ ପାଇଁ ତିଆରି ହେଉଥିଲା। ହଠାତ୍ ଏଭଳି ସିନେମା ତିଆରି କରିବାର କ୍ଷମତା ଓ ଥିଏଟର୍ ଗଢ଼ି ଉଠଇବା ଦେଖି ମୁଁ ବହୁତ ଖୁସି ହୋଇଥିଲି, ଏହି ଫିଲ୍ମଗୁଡ଼ିକ ଦର୍ଶକଙ୍କୁ ବାନ୍ଧି ରଖିଲା ଭଳି ତିଆରି ହେଉଥିଲା ବୋଲି ବିଜଲୀ କହିଛନ୍ତି।

ହଲିଉଡ୍ ଷ୍ଟୁଡିଓ ମଧ୍ୟ ମଲ୍ଟିପ୍ଲେକ୍ସକୁ ନେଇ ଉତ୍ସାହିତ ଥିଲେ

ବିଜନେଶ ଷ୍ଟାଣ୍ଡାର୍ଡକୁ ସାକ୍ଷାତ୍କାର ଦେଇ ବିଜଲୀ କହିଛନ୍ତି ଯେ ମଲ୍ଟିପ୍ଲେକ୍ସକୁ ନେଇ ପ୍ରଥମେ ଉତ୍ସାହ ପ୍ରକାଶ କରିଥିବା ସଂସ୍ଥାମାନଙ୍କ ମଧ୍ୟରେ ହଲିଉଡ୍ ଷ୍ଟୁଡିଓ ଥିଲା ପ୍ରଥମ। ଏନେଇ ଅଜୟ ବିଜ୍ଲି କହିଛନ୍ତି, “ସେମାନେ କହିଥିଲେ ଯଦି ଆପଣଙ୍କ ପାଖରେ ୨୦୦-୩୦୦ ସିଟ୍ର ସିନେମା ହଲ୍ ଅଛି, ତେବେ ଆମେ ସେହି ଫିଲ୍ମଗୁଡ଼ିକୁ ଭାରତକୁ ଆଣିପାରିବୁ, ଯାହା ପୂର୍ବରୁ ଏଠାରେ ପ୍ରଦର୍ଶିତ ହେଉନଥିଲା। ଏହା ପୂର୍ବରୁ ସେମାନେ କେବଳ ବ୍ଲକବଷ୍ଟର୍ ଫିଲ୍ମ ହିଁ ଭାରତରେ ରିଲିଜ୍ କରୁଥିଲେ।”

୧,୦୦୦ ସିଟ୍ର ବଡ଼ ଥିଏଟର୍ଗୁଡ଼ିକ ପାଇଁ ‘ତେଜାବ’ (୧୯୮୮), ‘ରାମ ଲଖନ’ (୧୯୮୯) କିମ୍ବା ‘ଜୁରାସିକ୍ ପାର୍କ’ (୧୯୯୪) ଭଳି ବଡ଼ ଫିଲ୍ମ ଆବଶ୍ୟକ ହେଉଥିଲା। କିନ୍ତୁ ଭିଡିଓ ପାଇରେସି ସହିତ ୧୯୯୦ ଦଶକର ମଧ୍ୟଭାଗରେ ସାଟେଲାଇଟ୍ ଟିଭିର ଆଗମନ ହେବା ପରେ ଏହି ବଡ଼ ଫିଲ୍ମଗୁଡ଼ିକ ମଧ୍ୟ ପୂର୍ବଭଳି ବ୍ୟବସାୟ କରିପାରିନଥିଲା।

ସାଟେଲାଇଟ୍ ଟିଭି ହେଲା ଆୟର ବିକଳ୍ପ ମାଧ୍ୟମ

ତେବେ ଟିଭି ଫିଲ୍ମ ଶିଳ୍ପ ପାଇଁ ଆୟର ଏକ ବିକଳ୍ପ ଉତ୍ସ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ସିନେମା ହଲ୍କୁ ଯାଉଥିବା ଦର୍ଶକଙ୍କ ସଂଖ୍ୟା କ୍ରମାଗତ ଭାବେ କମୁଥିବା ସମୟରେ ଟିଭି ଏହି ବ୍ୟବସାୟକୁ ତିଷ୍ଟି ରଖିବାରେ ସହାୟକ ହୋଇଥିଲା। ଏହା ସହିତ ଭାରତୀୟ ସିନେମା ପାଇଁ ବିଦେଶୀ ବଜାରର ଦ୍ୱାର ମଧ୍ୟ ଖୋଲିବାକୁ ଲାଗିଥିଲା। ୧୯୯୦ ଦଶକର ମଧ୍ୟଭାଗରେ ସୂରଜ ବଡ଼ଜାତ୍ୟାଙ୍କ ‘ହମ୍ ଆପକେ ହୈଁ କୌନ୍’, ଆଦିତ୍ୟ ଚୋପ୍ରାଙ୍କ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’, କରଣ ଜୋହରଙ୍କ ‘କଭି ଖୁସି କଭି ଗମ୍’ ଏବଂ ୟଶ ଚୋପ୍ରାଙ୍କ ‘ଦିଲ୍ ତୋ ପାଗଲ୍ ହୈ’ ଭଳି ଫିଲ୍ମ ଯୋଗୁ ଏହି ମାର୍କେଟ୍ ଦ୍ରୁତ ଗତିରେ ବଢ଼ିଥିଲା।

ସେତେବେଳେ ଆମେରିକା, ୟୁରୋପ ଏବଂ ବିଶ୍ୱର ଅନ୍ୟ ଅଞ୍ଚଳରେ ରହୁଥିବା ଭାରତୀୟ ପ୍ରବାସୀ ସମୁଦାୟ ନିଜ ଦେଶ ସହିତ ଯୋଡ଼ି ହୋଇ ରହିବାକୁ ଚାହୁଁଥିଲେ। ଭିଡିଓ କଲିଂ ଓ ବିଦେଶ ଯାତ୍ରା ଆଜି ଭଳି ସହଜ ହୋଇନଥିବା ସେହି ସମୟରେ ଭାରତୀୟ ସିନେମା ଏହି ପ୍ରବାସୀ ସମୁଦାୟ ପାଇଁ ନିଜ ଦେଶ ସହିତ ଯୋଡ଼ି ରହିବାର ଏକ ନୂଆ ମାଧ୍ୟମ ହୋଇଥିଲା।

୨୦୦୪ ପରେ ମଲ୍ଟିପ୍ଲେକ୍ସ ଆଣିଲା ବଡ଼ ପରିବର୍ତ୍ତନ

ପ୍ରାୟ ୨୦୦୪ ମସିହା ବେଳକୁ ମଲ୍ଟିପ୍ଲେକ୍ସଗୁଡ଼ିକ ଭାରତୀୟ ସିନେମା ବ୍ୟବସାୟରେ ବଡ଼ ପରିବର୍ତ୍ତନ ଆଣିବା ଆରମ୍ଭ କରିଥିଲା। ‘ଅସ୍ତିତ୍ୱ’ (୨୦୦୦) ଏବଂ ‘ଇକବାଲ୍’ (୨୦୦୫) ଠାରୁ ‘କଲ୍ ହୋ ନା ହୋ’ (୨୦୦୩) ଏବଂ ‘ହମ୍ ତୁମ୍’ (୨୦୦୪) ପର୍ଯ୍ୟନ୍ତ ବିଭିନ୍ନ ଧରଣର ଫିଲ୍ମକୁ ପ୍ରଦର୍ଶିତ କରିବାର କ୍ଷମତା ବଢ଼ିଥିଲା।

ଶୋ’ର ସଂଖ୍ୟା ଏବଂ ଟିକେଟ୍ର ଦରକୁ ବଢ଼ାଇବା କିମ୍ବା କମାଇବାର ସୁବିଧା ଯୋଗୁ ଭିନ୍ନ ଧରଣର ଫିଲ୍ମରୁ ସର୍ବାଧିକ ଆୟ କରିବା ସମ୍ଭବ ହୋଇଥିଲା। ଉଦାହରଣ ସ୍ୱରୂପ, ‘ଓମ୍ ଶାନ୍ତି ଓମ୍’ (୨୦୦୭) ଭଳି ଫିଲ୍ମକୁ ୩୦୦-୪୦୦ ସିଟ୍ର ବଡ଼ ଥିଏଟର୍ରେ ସ୍କ୍ରିନ୍ ମିଳୁଥିବା ବେଳେ ‘ପିପ୍ଲି ଲାଇଭ୍’ (୨୦୧୦) ଭଳି ଫିଲ୍ମ ୧୦୦-୧୫୦ ସିଟ୍ର ଛୋଟ ଥିଏଟର୍ରେ ପ୍ରଦର୍ଶିତ ହେଉଥିଲା।

ପାରଦର୍ଶିତା ଆଣିଲା ମଲ୍ଟିପ୍ଲେକ୍ସ

ମଲ୍ଟିପ୍ଲେକ୍ସର ସବୁଠାରୁ ବଡ଼ ପରିବର୍ତ୍ତନ ଥିଲା ପାରଦର୍ଶିତା। ପ୍ରତ୍ୟେକ ବିକ୍ରି ହେଉଥିବା ଟିକେଟ୍ର କମ୍ପ୍ୟୁଟରୀକରଣ ଆରମ୍ଭ ହୋଇଥିଲା ଏବଂ ତାହାର ସମ୍ପୂର୍ଣ୍ଣ ହିସାବ ରେକର୍ଡ ହେବାକୁ ଲାଗିଥିଲା। ଏହା ପୂର୍ବରୁ ଦୀର୍ଘ ସମୟ ଧରି ଅନେକ ଥିଏଟର୍ ନିଜର ପ୍ରକୃତ ଆୟକୁ କମ୍ ଦେଖାଉଥିବା ଅଭିଯୋଗ ରହିଥିଲା। ବିଶେଷକରି ହିନ୍ଦୀ ଭାଷୀ ଅଞ୍ଚଳରେ ଦର୍ଶକଙ୍କୁ ଟିକେଟ୍ ଦିଆଯାଉନଥିଲା। କେବଳ ହାତରେ ଏକ ଷ୍ଟାମ୍ପ ଲଗାଇ ଦିଆଯାଉଥିଲା ଏବଂ ସେହି ଷ୍ଟାମ୍ପ ହିଁ ହଲ୍ରେ ପ୍ରବେଶର ପ୍ରମାଣ ହେଉଥିଲା।

୨୦୦୪-୦୫ ବେଳକୁ ମଲ୍ଟିପ୍ଲେକ୍ସର ବିସ୍ତାର ସହିତ ଫିଲ୍ମରୁ ହେଉଥିବା ଆୟକୁ ଟ୍ରେଡ୍ ଏବଂ ପ୍ରଡକ୍ସନ୍ କମ୍ପାନୀ ମଧ୍ୟରେ ବାଣ୍ଟିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହା ସହିତ ମିନିମମ୍ ଗ୍ୟାରେଣ୍ଟି ଭିତ୍ତିକ ଚୁକ୍ତିଗୁଡ଼ିକ ମଧ୍ୟ ଧୀରେ ଧୀରେ ଶେଷ ହେବାକୁ ଲାଗିଥିଲା।

ନୂଆ ପିଢ଼ିର ଫିଲ୍ମ ନିର୍ମାତାଙ୍କୁ ମିଳିଲା ସୁଯୋଗ

ଫିଲ୍ମ ଶିଳ୍ପକୁ ଆସୁଥିବା ନୂଆ ପୁଞ୍ଜି, ସୁବିଧା ଅନୁସାରେ ସ୍କ୍ରିନ୍ ବ୍ୟବସ୍ଥା, ଅଧିକ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଥିବା ସାଟେଲାଇଟ୍ ଚ୍ୟାନେଲ୍ ଏବଂ ଫକ୍ସ ଷ୍ଟାର୍, ସୋନି, ୱାର୍ଣ୍ଣର, ଡିଜନୀ ଭଳି ନୂଆ ନିବେଶକ ଓ ବିଦେଶୀ ଷ୍ଟୁଡିଓରୁ ଆସିଥିବା ଅର୍ଥ ଫିଲ୍ମ ନିର୍ମାତାଙ୍କ ଏକ ନୂଆ ପିଢ଼ିକୁ ଆଗକୁ ବଢ଼ିବା ଓ ସଫଳ ହେବାର ସୁଯୋଗ ଦେଇଥିଲା।

ଏହି ପିଢ଼ିରେ ଭେଟ୍ରିମାରନ୍ (‘ପୋଲ୍ଲାଧବନ୍’), ବିଶାଲ ଭାରଦ୍ୱାଜ (‘ଓମ୍କାରା’, ‘କମିନେ’), ଜୋୟା ଅଖତର (‘ଲକ୍ ବାୟ ଚାନ୍ସ’, ‘ଜିନ୍ଦଗୀ ନା ମିଲେଗୀ ଦୋବାରା’), ଶ୍ରୀରାମ ରାଘବନ୍ (‘ଜନି ଗଦ୍ଦାର୍’, ‘ବଦଲାପୁର୍’), ଫରହାନ୍ ଅଖତର୍ (‘ଦିଲ୍ ଚାହତା ହୈ’, ‘ଲକ୍ଷ୍ୟ’) ଏବଂ ଅନ୍ୟ ଅନେକ ନିର୍ମାତା ସାମିଲ ଥିଲେ।

୧୯୮୦ ଓ ୧୯୯୦ ଦଶକରେ ଏମାନଙ୍କ ଭଳି ଫିଲ୍ମର ମଧ୍ୟ ଶଶୀ କପୁରଙ୍କ ଫିଲ୍ମ ଭଳି ଅବସ୍ଥା ହୋଇଥାନ୍ତା। ସେଗୁଡ଼ିକୁ କମ୍ ସ୍କ୍ରିନିଂ ମିଳୁଥିବା ଆର୍ଟହାଉସ୍ ଫିଲ୍ମ ଶ୍ରେଣୀରେ ରଖାଯାଇଥାନ୍ତା। କିନ୍ତୁ ମଲ୍ଟିପ୍ଲେକ୍ସ ଏହି ନିର୍ମାତାମାନଙ୍କୁ ନୂଆ ଉଡ଼ାଣ ଦେଇଥିଲା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଭଳି ଫିଲ୍ମ ତିଆରି କରିବାକୁ ପ୍ରେରଣା ଦେଇଥିଲା।

Also Read- ମୋହନଲାଲଙ୍କ ନୂଆ ସିନେମା L367ର ଟାଇଟଲ୍ ଘୋଷଣା, ଫିଲ୍ମରେ ନଜର ଆସିବେ ଅର୍ଜୁନ ରାମପାଲ

ଏହିଠାରୁ ଜନ୍ମ ନେଲା ‘ମଲ୍ଟିପ୍ଲେକ୍ସ ଫିଲ୍ମ’

ଏହି ପରିବର୍ତ୍ତନ ସହିତ ମଲ୍ଟିପ୍ଲେକ୍ସ ଫିଲ୍ମ’ର ଜନ୍ମ ହୋଇଥିଲା। କେବଳ ସହରାଞ୍ଚଳର ଭାରତ ଏବଂ ବିଦେଶୀ ବଜାରକୁ ଲକ୍ଷ୍ୟ କରି ତିଆରି ହେଉଥିବା ଫିଲ୍ମରୁ ଟଙ୍କା ରୋଜଗାର କରିବା ତୁଳନାମୂଳକ ଭାବେ ସହଜ ହୋଇଥିଲା। ଏହାର ପ୍ରଭାବ ଛୋଟ ସହର ଓ ଗ୍ରାମୀଣ ଭାରତ ଉପରେ ପଡ଼ିଥିଲା। ଏହି ଅଞ୍ଚଳରେ ସିଙ୍ଗଲ୍-ସ୍କ୍ରିନ୍ ଥିଏଟର୍ର ପ୍ରଭାବ ରହିଥିବାରୁ ଅନେକ ଫିଲ୍ମର ରିଲିଜ୍ ମାନଚିତ୍ରରୁ ଏହି ବଜାରଗୁଡ଼ିକ ଧୀରେ ଧୀରେ ବାହାରିବାକୁ ଲାଗିଥିଲା। ଫିଲ୍ମ ଶିଳ୍ପର ବିଭିନ୍ନ ମଞ୍ଚରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା ଯେ ମଲ୍ଟିପ୍ଲେକ୍ସ କ’ଣ ଫିଲ୍ମର ସୃଜନଶୀଳତା ଉପରେ ପ୍ରଭାବ ପକାଉଛି?

ଛୋଟ ସହର ଓ ସିଙ୍ଗଲ୍-ସ୍କ୍ରିନ୍ ଥିଏଟର୍ରେ କିଛି ବଡ଼ ହିଟ୍ ଫିଲ୍ମ ଭଲ ବ୍ୟବସାୟ କରିଥିଲା। ଉଦାହରଣ ଭାବେ ସୂରଜ ବଡ଼ଜାତ୍ୟାଙ୍କ ‘ବିବାହ’ (୨୦୦୬) ମଲ୍ଟିପ୍ଲେକ୍ସରେ ଖୁବ୍ କମ୍ ପ୍ରଦର୍ଶିତ ହୋଇଥିଲା। ଅନ୍ୟପଟେ ‘ଶିବାଜୀ: ଦ ବସ୍’ (୨୦୦୭) ଏବଂ ‘୩ ଇଡିଅଟ୍ସ’ (୨୦୦୯) ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ହିନ୍ଦୀ ଭାଷାର ଅଧିକାଂଶ ହିଟ୍ ଫିଲ୍ମ ସେହି ସହରଗୁଡ଼ିକରୁ ଆସୁଥିଲା, ଯେଉଁଠାରେ ମଲ୍ଟିପ୍ଲେକ୍ସ ଥିଲା।

ଦକ୍ଷିଣ ଭାରତରେ ସିଙ୍ଗଲ୍-ସ୍କ୍ରିନର ପ୍ରଭାବ ଜାରି ରହିଲା

ଭାରତୀୟ ସିନେମାର ଅନ୍ୟ ବଡ଼ ବଜାର ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଦୀର୍ଘ ସମୟ ଧରି ଦୃଢ଼ ଭାବେ ସିଙ୍ଗଲ୍-ସ୍କ୍ରିନ୍ ବଜାର ହୋଇ ରହିଥିଲେ। ଏହି ଅଞ୍ଚଳଗୁଡ଼ିକ ସାଧାରଣ ଦର୍ଶକଙ୍କ ପାଇଁ ତିଆରି ହେଉଥିବା ଫିଲ୍ମକୁ ଜୀବନ୍ତ ରଖିଥିଲେ।

ସେଠାକାର ସିନେମା ହଲ୍ଗୁଡ଼ିକ କର୍ପୋରେଟ୍ ବ୍ୟବସ୍ଥା ଓ ସଂଗଠିତ ଫାଇନାନ୍ସିଂର ପ୍ରଭାବରୁ ଅନେକ ମାତ୍ରାରେ ମୁକ୍ତ ରହିଥିଲେ। ତେଲୁଗୁ ସିନେମାର ମୁଖ୍ୟ କେନ୍ଦ୍ର ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଅନେକ ଥିଏଟର୍ର ମାଲିକାନା ବଡ଼ ଫିଲ୍ମ ନିର୍ମାତାଙ୍କ ପାଖରେ ରହିଛି।

ଏହା ପୁଞ୍ଜିର ପ୍ରବାହକୁ ଜାରି ରଖିବାରେ ସହାୟକ ହୋଇଛି। ଏହାର ପରିଣାମ ହେଉଛି ‘ପୁଷ୍ପା ୧’, ‘ପୁଷ୍ପା ୨’ ଏବଂ ‘ଆର୍ଆର୍ଆର୍’ ଭଳି ବଡ଼ ଲୋକପ୍ରିୟ ଫିଲ୍ମର ନିର୍ମାଣ, ଯେଉଁଗୁଡ଼ିକ ୧,୦୦୦ ସିଟ୍ର ଥିଏଟର୍କୁ ମଧ୍ୟ ଦର୍ଶକରେ ଭରିପାରିଥିଲା।

ମଲୟାଲମ୍ ସିନେମା ହେଲା ଭିନ୍ନ ଧାରାର ଉଦାହରଣ

ଅନ୍ୟପଟେ, କେରଳ ଛୋଟ ବଜେଟ୍ର କିନ୍ତୁ ଲୋକପ୍ରିୟ ଏବଂ ଦର୍ଶକଙ୍କୁ ଚିନ୍ତା କରାଇପାରୁଥିବା ଫିଲ୍ମର ଏକ ବଡ଼ କେନ୍ଦ୍ର ଭାବେ ରହିଆସିଛି। ‘ମଞ୍ଜୁମ୍ମେଲ୍ ବଏଜ୍’, ‘ଦୃଶ୍ୟମ୍’, ‘ଭାଜା’ ଏବଂ ‘କାଠଲ୍: ଦ କୋର୍’ ଭଳି ଫିଲ୍ମ ଏହାର ଉଦାହରଣ। ଏଥିରେ ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଆଜି ଏଭଳି ଫିଲ୍ମକୁ ଷ୍ଟ୍ରିମିଂ ପ୍ଲାଟଫର୍ମ ସହିତ ସିନେମା ହଲ୍ରେ ମଧ୍ୟ ଦର୍ଶକ ମିଳୁଛନ୍ତି।

ଗତ ଚାରି ବର୍ଷ ମଧ୍ୟରେ ଭାରତୀୟ ବକ୍ସ ଅଫିସ୍ରେ ମାଲାୟାଲମ୍ ସିନେମାର ଅଂଶଧନ ପ୍ରାୟ ଦୁଇଗୁଣ ହୋଇଛି। ଏହା ଦର୍ଶାଉଛି ଯେ ଭାରତୀୟ ସିନେମାର ବିକାଶ କେବଳ ମଲ୍ଟିପ୍ଲେକ୍ସ କିମ୍ବା ବଡ଼ ବଜେଟ୍ର ଫିଲ୍ମ ଉପରେ ନିର୍ଭରଶୀଳ ନୁହେଁ; ଅଞ୍ଚଳୀୟ ସିନେମା ଓ ବିଭିନ୍ନ ଧାରାର କାହାଣୀ ମଧ୍ୟ ଆଜି ଦର୍ଶକଙ୍କ ମନ ଜିତୁଛି।

ଗୋଟିଏ ଜାଗାରେ ସବୁ ପ୍ରକାର ଫିଲ୍ମର ଉପଲବ୍ଧତା

ସବୁ ପ୍ରକାରର ଫିଲ୍ମକୁ ମୁଖ୍ୟଧାରାରେ ସ୍ଥାନ ମିଳିବା ହେଉଛି ଷ୍ଟ୍ରିମିଂ ଯୁଗ ଆଣିଥିବା ସବୁଠାରୁ ବଡ଼ ପରିବର୍ତ୍ତନ ମଧ୍ୟରୁ ଗୋଟିଏ। ଏହା ସହିତ ଭାରତକୁ ଏକ ଏକୀକୃତ ସିନେମା ବଜାରରେ ପରିଣତ କରିବାର ପ୍ରକ୍ରିୟା ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଦୀର୍ଘ ବର୍ଷ ଧରି ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମ ନିର୍ମାତାମାନେ ଏଭଳି ଫିଲ୍ମ ତିଆରି କରିବାକୁ ପ୍ରୟାସ କରୁଥିଲେ, ଯାହାକୁ ସାରା ଦେଶର ଦର୍ଶକ ପସନ୍ଦ କରିବେ। କିନ୍ତୁ ସେତେବେଳେ କାହାଣୀକାର ଓ ଦର୍ଶକ ଉଭୟ ଏଥିପାଇଁ ପୂରାପୂରି ପ୍ରସ୍ତୁତ ନଥିଲେ। ତେବେ ‘ଅନ୍ଧା କାନୁନ୍’ (୧୯୮୩, ରଜନୀକାନ୍ତ ଓ ଅମିତାଭ ବଚ୍ଚନ) ଏବଂ ‘ସଦମା’ (୧୯୮୩, କମଲ ହାସନ୍ ଓ ଶ୍ରୀଦେବୀ) ଭଳି କିଛି ଫିଲ୍ମ ଏହାର ବ୍ୟତିକ୍ରମ ଥିଲା।

ଟିଭିରୁ ଆରମ୍ଭ ହେଲା ଭାଷାର ସୀମା ଭାଙ୍ଗିବା

ନୂଆ ଶତାବ୍ଦୀ ଆରମ୍ଭ ହେବା ବେଳକୁ ହିନ୍ଦୀର ସାଧାରଣ ମନୋରଞ୍ଜନ ଚ୍ୟାନେଲଗୁଡ଼ିକ ତାମିଲ୍ ଓ ତେଲୁଗୁ ଫିଲ୍ମର ଡବ୍ ଭର୍ସନ୍ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଫଳରେ ଏହି ଫିଲ୍ମଗୁଡ଼ିକ ହିନ୍ଦୀଭାଷୀ ଅଞ୍ଚଳରେ ବହୁ ସଂଖ୍ୟାରେ ଦର୍ଶକ ପାଇଥିଲା। ପରେ ୨୦୧୬ରେ ଷ୍ଟ୍ରିମିଂର ଚଳଣ ବଢ଼ିବା ପରେ ହିନ୍ଦୀ, ତାମିଲ୍, ବଙ୍ଗାଳୀ, ତେଲୁଗୁ, ମରାଠୀ ସମେତ ବିଭିନ୍ନ ଭାଷାର ଫିଲ୍ମ ନିଜ ପାରମ୍ପରିକ ବଜାର ବାହାରେ ମଧ୍ୟ ଦର୍ଶକ ପାଇବାକୁ ଲାଗିଥିଲା।

ଖୁବ୍ କମ୍ ବର୍ଷ ମଧ୍ୟରେ ଏହାର ପ୍ରଭାବ ବକ୍ସ ଅଫିସ୍ ସଫଳତାରେ ମଧ୍ୟ ଦେଖାଯାଇଥିଲା। ବିଶେଷକରି ତେଲୁଗୁ ଫିଲ୍ମଗୁଡ଼ିକ ଏଥିରୁ ବଡ଼ ଲାଭ ପାଇଥିଲେ। ଏବେ ଭାରତୀୟ ଦର୍ଶକ ଦେଶର ବିଭିନ୍ନ ଅଞ୍ଚଳର ଫିଲ୍ମ ଦେଖିବା ସହିତ ସେଗୁଡ଼ିକୁ ପସନ୍ଦ ମଧ୍ୟ କରୁଛନ୍ତି।

ଷ୍ଟ୍ରିମିଂ: ଚ୍ୟାଲେଞ୍ଜ ନା ସୁଯୋଗ?

ଷ୍ଟ୍ରିମିଂ ଫିଲ୍ମ ବ୍ୟବସାୟକୁ ନଷ୍ଟ କରିଦେଇଛି କି ଏହା ଦର୍ଶକଙ୍କୁ ଆହୁରି ଭଲ କଣ୍ଟେଣ୍ଟ ଦେବାର ସୁଯୋଗ ସୃଷ୍ଟି କରିଛି ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଟେଲିଭିଜନ୍ ଭଳି ଷ୍ଟ୍ରିମିଂ ମଧ୍ୟ ଏକ ସୁଯୋଗ ଏବଂ ନିର୍ମାତାମାନଙ୍କୁ ନିଜ କାମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଦେଉଥିବା ଏକ ମାଧ୍ୟମ।

ଷ୍ଟ୍ରିମିଂରେ ଲୋକପ୍ରିୟ ହୋଇଥିବା ପ୍ରାୟ ପ୍ରତ୍ୟେକ ହିଟ୍ ଶୋ’—ଯେପରିକି ‘ସ୍କାମ୍ ୧୯୯୨’, ‘ପ୍ରୀତମ୍ ଆଣ୍ଡ ପେଡ୍ରୋ’ କିମ୍ବା ‘ମିର୍ଜାପୁର୍’ ସେହି ଫିଲ୍ମ ନିର୍ମାତା କିମ୍ବା ଷ୍ଟୁଡିଓ ସହ ଜଡ଼ିତ, ଯେଉଁମାନେ ପୂର୍ବରୁ ଲୋକପ୍ରିୟ ଫିଲ୍ମ ତିଆରି କରିଛନ୍ତି। ଯେଉଁ ଦେଶରେ ପ୍ରତିବର୍ଷ ପ୍ରାୟ ୧,୭୦୦ଟି ଫିଲ୍ମ ନିର୍ମାଣ ହୁଏ, ସେଠାରେ ଫିଲ୍ମର ଗୁଣବତ୍ତା ନେଇ ଚର୍ଚ୍ଚା ହେବା ସ୍ୱାଭାବିକ।

ସିନେମା ହଲ୍ ଏବେ ବି ସର୍ବୋପରି

ବାସ୍ତବତା ହେଉଛି, ଭାରତୀୟ ଫିଲ୍ମ ବ୍ୟବସାୟର ଦୁଇ-ତୃତୀୟାଂଶରୁ ଅଧିକ ରାଜସ୍ୱ ଏବେ ବି ସିନେମା ହଲ୍ରୁ ଆସୁଛି। ଷ୍ଟ୍ରିମିଂ କିମ୍ବା ଅନ୍ୟ କୌଣସି ମାଧ୍ୟମ ଏହାର ସମ୍ପୂର୍ଣ୍ଣ ବିକଳ୍ପ ହୋଇପାରିବ ନାହିଁ। ଏହି କାରଣରୁ ସିନେମା ହଲ୍ ଆଜି ବି ଫିଲ୍ମର ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତ ସମସ୍ୟା କଣ୍ଟେଣ୍ଟ ନୁହେଁ, ବରଂ ବିଶାଳ ବ୍ୟବଧାନ ଥିବା ବିତରଣ ଓ ସିନେମା ଭିତ୍ତିଭୂମି।

ଭାରତରେ ସିନେମା ହଲର ଅଭାବ ବଡ଼ ସମସ୍ୟା

ଭାରତୀୟ ସିନେମାର ବିକାଶର କାହାଣୀରେ ସବୁଠାରୁ ଅଧିକ କ୍ଷତି ବିତ୍ତୀୟ କିମ୍ବା କଣ୍ଟେଣ୍ଟର ଅଭାବରୁ ନୁହେଁ, ବରଂ ସିନେମା ଭିତ୍ତିଭୂମିର ଅଭାବରୁ ହୋଇଛି। ପ୍ରାୟ ୨୦ ବର୍ଷ ପୂର୍ବେ ୨୪ କୋଟିରୁ ଅଧିକ ଲୋକ ନିୟମିତ ଭାବେ ସିନେମା ହଲ୍ରେ ଫିଲ୍ମ ଦେଖୁଥିଲେ। ୧୯୯୦ ଦଶକର ଆରମ୍ଭରେ ସାରା ଦେଶରେ ପ୍ରାୟ ୧୨,୦୦୦ ସ୍କ୍ରିନ୍ ଥିଲା। ଏବେ ଏହା କମି ୯,୦୦୦ରୁ ମଧ୍ୟ ତଳକୁ ଆସିଛି।

ବିଶ୍ୱରେ ସର୍ବାଧିକ ଫିଲ୍ମ ନିର୍ମାଣ କରୁଥିବା ଦେଶ ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ପ୍ରାୟ ୬ଟି ସ୍କ୍ରିନ୍ ରହିଛି। ତୁଳନା କଲେ ଆମେରିକାରେ ଏହି ସଂଖ୍ୟା ୧୦୯ ଏବଂ ଚୀନ୍ରେ ୬୪। ଭାରତର ଅନେକ ଅଞ୍ଚଳ ରହିଛି ଯେଉଁଠାରେ ବର୍ଷ ବର୍ଷ ଧରି ଗୋଟିଏ ବି ସିନେମା ହଲ୍ ନାହିଁ।

ଏପରିକି ଦେଶର ସମସ୍ତ ୧୫.୭ କୋଟି ସିନେମା ଦର୍ଶକ ‘ଧୁରନ୍ଧର’କୁ ବଡ଼ ପରଦାରେ ଦେଖିଥିଲେ ମଧ୍ୟ, ଏହାକୁ ଦେଶର ମାତ୍ର ପ୍ରାୟ ୧୧ ପ୍ରତିଶତ ଲୋକ ଦେଖିଥିବେ। ଦେଶର ପ୍ରାୟ ୧୯,୦୦୦ ପିନ୍ କୋଡ୍ ମଧ୍ୟରୁ ୧୬,୩୫୦ଟି ପିନ୍ କୋଡ୍ରେ ଗୋଟିଏ ବି ସିନେମା ସ୍କ୍ରିନ୍ ନାହିଁ।

ଏଗୁଡ଼ିକ ଏଭଳି ଅଞ୍ଚଳ ନୁହେଁ, ଯେଉଁଠାରେ ଇଣ୍ଟରନେଟ୍ର ବ୍ୟାପକ ପହଞ୍ଚ ରହିଛି କିମ୍ବା ହାଇ-ବ୍ୟାଣ୍ଡୱିଡ୍ଥ ଡିଭାଇସ୍ ସହଜରେ ଉପଲବ୍ଧ। ଏଠାରେ ଲୋକମାନେ ପୁରୁଣା ଫିଲ୍ମ ଦେଖିବା ପାଇଁ ସାଧାରଣ ସ୍ମାର୍ଟଫୋନ୍ରେ ୟୁଟ୍ୟୁବ୍ ବ୍ୟବହାର କରନ୍ତି କିମ୍ବା ଡିଡି ଫ୍ରି ଡିସ୍ ଲଗାନ୍ତି। କାରଣ ଏହା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ।

ଭିତ୍ତିଭୂମି ବଢ଼ିଲେ ସିନେମାର ଅନୁଭୂତି ମଧ୍ୟ ବଦଳିବ

ଯେତେବେଳେ ବି ଫିଲ୍ମ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଛି ଯେପରି ମଲ୍ଟିପ୍ଲେକ୍ସ କ୍ଷେତ୍ରରେ ହୋଇଥିଲା ସେତେବେଳେ ଫିଲ୍ମ ନିର୍ମାଣ ଏବଂ ଦର୍ଶକଙ୍କ ଫିଲ୍ମ ଦେଖିବାର ଅନୁଭୂତି, ଉଭୟରେ ଉନ୍ନତି ହୋଇଛି। ଭାରତୀୟ ସିନେମା ପାଇଁ ଏବେ ସବୁଠାରୁ ବଡ଼ ସୁଯୋଗ ହେଉଛି ନିଜର ବିଶାଳ ଘରୋଇ ବଜାର। ଭାରତୀୟ ସିନେମାର ବିଶ୍ୱସ୍ତରୀୟ ‘ସଫ୍ଟ ପାୱାର୍’କୁ ନେଇ ବହୁ ଚର୍ଚ୍ଚା ହୁଏ। କିନ୍ତୁ ହଲିଉଡ୍ କିମ୍ବା କୋରିଆର ସିନେମା ତୁଳନାରେ ବିଶ୍ୱ ବଜାରରେ ଭାରତୀୟ ସିନେମାର ଉପସ୍ଥିତି ଏବେ ବି ଅତ୍ୟନ୍ତ କମ୍।

୫-୧୦ ବିଲିୟନ୍ ଡଲାରର ବଜାର ହେବା ଦରକାର

ଭାରତୀୟ ଫିଲ୍ମ ବ୍ୟବସାୟ ଦୀର୍ଘ ବର୍ଷ ଧରି ୧.୫ରୁ ୨ ବିଲିୟନ୍ ଡଲାର ମଧ୍ୟରେ ରହିଛି। ଏହି ଆୟର ୯୦ ପ୍ରତିଶତରୁ ଅଧିକ ଭାଗ ଭାରତୀୟମାନେ ଭାରତୀୟ ଫିଲ୍ମ ଦେଖିବାରୁ ଆସିଥାଏ। କିନ୍ତୁ ୮୩.୨ କୋଟି ଟିକେଟ୍ ବିକ୍ରି କିମ୍ବା ଏହି ପରିମାଣର ମୋଟ ରାଜସ୍ୱ ଭାରତ ଭଳି ଏକ ବିଶାଳ ସିନେମା ଦେଶ ପାଇଁ ଯଥେଷ୍ଟ ନୁହେଁ। ବିଶେଷକରି ଏଭଳି ଏକ ଶିଳ୍ପ ପାଇଁ, ଯିଏ ଶହେ ବର୍ଷରୁ ଅଧିକ ସମୟ ଧରି ହଲିଉଡ୍ର ପ୍ରଭାବକୁ ସାମ୍ନା କରିଆସିଛି ଏବଂ ଏହି ସମୟରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଅନ୍ୟ ଦେଶର ସିନେମା ଶିଳ୍ପ ଦୁର୍ବଳ ହୋଇପଡ଼ିଛି, ସେହିଭଳି ଏକ ଶିଳ୍ପ ପାଇଁ ଏହା ନିହାତି ଏକ ଚିନ୍ତାର ବିଷୟ।

୨୦,୦୦୦ରୁ ୩୦,୦୦୦ ସ୍କ୍ରିନ୍ ଏବଂ ୫ରୁ ୧୦ ବିଲିୟନ୍ ଡଲାରର ବଜାର ଆକାର ହାସଲ କରିପାରିଲେ ହିଁ ଭାରତୀୟ ଫିଲ୍ମ ବ୍ୟବସାୟ ଏତେ ବଡ଼ ହୋଇପାରିବ, ଯେଉଁଠାରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଆବଶ୍ୟକ ସୃଜନଶୀଳତା ଓ ବିତରଣ କ୍ଷମତା ବିକଶିତ ହୋଇପାରିବ।

ସିନେମା ଭିତ୍ତିଭୂମି ବଢ଼ାଇବା ପାଇଁ ପ୍ରୟାସ

ଏହି ଦିଗରେ କିଛି ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ସ୍ଥାନୀୟ ଷ୍ଟୁଡିଓ ଏଭିଏପ୍ ଜରାଜୀର୍ଣ୍ଣ ହୋଇପଡ଼ିଥିବା ସିନେମା ହଲ୍ଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା, ଲିଜ୍ରେ ନେବା, ପରିଚାଳନା କରିବା କିମ୍ବା ମାଲିକାନା ହାସଲ କରିବା ଭଳି ପଦକ୍ଷେପ ନେଇଛି। ଏହା ତାଙ୍କ ରାଜସ୍ୱକୁ ଦୁଇଗୁଣ କରିବା ସହିତ ଲୋକଙ୍କୁ ପୁଣି ସିନେମା ହଲ୍କୁ ଫେରାଇ ଆଣିବାରେ ସହାୟତା କରିଛି।

ସେହିପରି, ପିଭିଆର ଏହି ସପ୍ତାହରେ ବିହାରର ମୁଜଫରପୁରରେ ନିଜର ପ୍ରଥମ ‘ସ୍ମାର୍ଟ ସ୍କ୍ରିନ୍’ ଆରମ୍ଭ କରିଛି। କମ୍ପାନୀ ଆଗାମୀ ୫ ବର୍ଷରେ ଛୋଟ ଓ ମଧ୍ୟମ ସହରଗୁଡ଼ିକରେ ୧,୦୦୦ ସ୍ମାର୍ଟ ସ୍କ୍ରିନ୍ ଆରମ୍ଭ କରିବାର ଯୋଜନା ରଖିଛି। ଏହା ସହିତ ସିନେମା ହଲ୍ ନିର୍ମାଣକୁ ଭିତ୍ତିଭୂମିର ମାନ୍ୟତା ଦେବା ପାଇଁ ମଧ୍ୟ ଅନେକ ଦାବି ହୋଇଛି।

ଅନ୍ୟପଟେ, ସମସ୍ତ ସିନେମା ଟିକେଟ୍କୁ ବର୍ତ୍ତମାନର ୧୮ ପ୍ରତିଶତ ଜିଏସ୍ଟି ପରିବର୍ତ୍ତେ ୫ ପ୍ରତିଶତ ଜିଏସ୍ଟି ସ୍ଲାବ୍ ମଧ୍ୟରେ ଆଣିବା ପାଇଁ ମଧ୍ୟ ଦାବି ହୋଇଛି। ବର୍ତ୍ତମାନ କେବଳ କିଛି ଟିକେଟ୍ ଏହି ୫ ପ୍ରତିଶତ କର ସ୍ଲାବ୍ରେ ଆସୁଛି।

ଉଦାରୀକରଣ ପରବର୍ତ୍ତୀ ଦଶକରେ ଯେଉଁଭଳି ପରିବର୍ତ୍ତନ ପାଇଁ ନୀତିଗତ ଇଚ୍ଛାଶକ୍ତି ଦେଖାଯାଇଥିଲା, ଯଦି ସେହି ଇଚ୍ଛାଶକ୍ତି ପୁଣି ଫେରିଆସେ, ତେବେ ଭାରତୀୟ ସିନେମା ଶିଳ୍ପର ଭିତ୍ତିଭୂମି, ବଜାର ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା କ୍ଷମତାରେ ବଡ଼ ପରିବର୍ତ୍ତନ ଆଣିବା ସମ୍ଭବ।