ନୂଆଦିଲ୍ଲୀ: ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ ଏବଂ ନିର୍ଦ୍ଦେଶକ ବିଷ୍ଣୁ ମୋହନଙ୍କ ଆଗାମୀ ସିନେମାର ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ପୂର୍ବରୁ ଅସ୍ଥାୟୀ ଭାବେ ‘L367’ କୁହାଯାଉଥିବା ଏହି ଫିଲ୍ମର ନାମ ‘ଅପରେସନ୍ ଗଙ୍ଗା’ ରଖାଯାଇଛି। ଫିଲ୍ମର ପ୍ରଥମ ପୋଷ୍ଟର ସହ ଏହି ନୂଆ ଟାଇଟଲ୍‌ ସାମ୍ନାକୁ ଆସିଛି।

ଫିଲ୍ମର କାହାଣୀ

ଏହି ସିନେମାଟି ୨୦୨୨ ମସିହାରେ ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ଉଦ୍ଧାର ଅଭିଯାନ ‘ଅପରେସନ୍ ଗଙ୍ଗା’ ଉପରେ ଆଧାରିତ। ଯୁଦ୍ଧ ଭିତରେ ଫସିରହିଥିବା ହଜାର ହଜାର ଭାରତୀୟ ନାଗରିକ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବାରେ ଭାରତ ସେନା ଓ ପ୍ରଶାସନ ସାମ୍ନା କରିଥିବା ଆହ୍ୱାନକୁ ଏଥିରେ ଦେଖାଯିବ। ଫିଲ୍ମର ଟ୍ୟାଗଲାଇନ୍‌ ରହିଛି - ‘A Nation’s Promise’ (ଏକ ଦେଶର ପ୍ରତିଶ୍ରୁତି)।

କଳାକାରଙ୍କ ତାଲିକା 
ମୋହନଲାଲଙ୍କ ସହ ଏହି ସିନେମାରେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ , ଆଦିଲ ହୁସେନ, ଭାଗ୍ୟଶ୍ରୀ ବୋର୍ସେ ଏବଂ ସାଉଥ୍ ଅଭିନେତା ପାର୍ଥିବନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। 'ଶ୍ରୀ ଗୋକୁଲମ୍ ମୁଭିଜ୍' ବ୍ୟାନରରେ ଗୋକୁଲମ୍ ଗୋପାଳନ୍ ଏହାର ନିର୍ମାଣ କରୁଛନ୍ତି।

‘ପୁଷ୍ପା’ ଫିଲ୍ମର ସିନେମାଟୋଗ୍ରାଫର ମିରୋସ୍କୋ କୁବା ବ୍ରୋଜେକ୍  କ୍ୟାମେରା ଦାୟିତ୍ବରେ ଥିବା ବେଳେ, ପ୍ରସିଦ୍ଧ ପ୍ରଡକ୍ସନ୍ ଡିଜାଇନର ରାଜୀବନ୍ ଏହାର ସେଟ୍ ଡିଜାଇନ୍ କରୁଛନ୍ତି। ଫିଲ୍ମକୁ ଅଧିକ ବାସ୍ତବବାଦୀ କରିବା ପାଇଁ ପୂର୍ବତନ ସ୍କ୍ୱାଡ୍ରନ୍ ଲିଡର୍ ବାର୍ଲିନ୍ ପନୱାରଙ୍କୁ ସାମରିକ ପରାମର୍ଶଦାତା  ଭାବରେ ସାମିଲ କରାଯାଇଛି।

ସୁଟିଂ ଲୋକେସନ୍

ଫିଲ୍ମର ସୁଟିଂ ଜର୍ଜିଆରେ ଆରମ୍ଭ ହୋଇସାରିଛି ଏବଂ ମୋହନଲାଲ ଶୀଘ୍ର ଟିମ୍‌ରେ ଯୋଗଦେବେ। ପ୍ରାୟ ୧୮୦ ଦିନ ଧରି ଚାଲିବାକୁ ଥିବା ଏହି ବିଡ଼ ଫିଲ୍ମର ସୁଟିଂ ପୋଲାଣ୍ଡ, ଜର୍ଜିଆ, କାଜାଖସ୍ତାନ ସମେତ ଭାରତର ଦିଲ୍ଲୀ, ଡେରାଦୁନ୍ ଏବଂ କୋଚି ଭଳି ସ୍ଥାନରେ କରାଯିବ।