ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛନ୍ତି ଜିଲ୍ଲା ପ୍ରଶାସନ। ହୀରାକୁଦ ଡ୍ୟାମରୁ ଆସନ୍ତକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ମୁଖ୍ୟ ବନ୍ଧ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ‘ନୋ-ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରିଛନ୍ତି। ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ

ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ବ୍ୟତିରେକ ଏହି ଅଧିସୂଚିତ ସୀମା ଭିତରେ କୌଣସି ପ୍ରକାରର ଡ୍ରୋନ୍, ମାଇକ୍ରୋଲାଇଟ୍ ବିମାନ କିମ୍ବା ମାନବଚାଳିତ ଓ ମାନବବିହୀନ ଆକାଶ ମାର୍ଗୀୟ ଉପକରଣ ଉଡ଼ାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗଣମାଧ୍ୟମ ଓ ସାଧାରଣ ଜନତାଙ୍କୁ ସହଯୋଗ ପାଇଁ ଅପିଲ୍

ଡ୍ୟାମରୁ ବନ୍ୟା ଜଳ ଛାଡ଼ିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନରୁହେ, ସେଥିପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ଏହି ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।