ବ୍ୟାଙ୍ଗକକ୍,୩୧ /୦୩ମାଟି ତଳୁ ବାହାରିଲା ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି । ଭାରତରେ ନୁହେଁ ବରଂ ବିଦେଶରେ । ଭାରତରୁ ହଜାର ହଜାର କିଲୋମିଟର ଦୂରରେ ଥିବା ଏକ ଦେଶରେ ମାଟିତଳୁ ହିନ୍ଦୁ ଦେବତା ବ୍ରହ୍ମାଙ୍କ ମୂର୍ତ୍ତି ଆବିଷ୍କାର କରାଯାଇଛି । ଯାହାକୁ ନେଇ ହିନ୍ଦୁ ଏବଂ ସନାତନର ପରମ୍ପରା କେତେ ବିଶାଳ ତାହା ସ୍ପଷ୍ଟ ହୋଇଛି ।

ରିପୋର୍ଟ ଅନୁସାରେ,୨୦୨୫ ମସିହା ଏପ୍ରିଲ ୨୧ ତାରିଖରେ ଥାଇଲାଣ୍ଡର ଓ୍ୱାଟ୍ ଥାମଚାକର ସେମା ରାମ ମନ୍ଦିର କମ୍ପ୍ଲେକ୍ସରେ ଥିବା ବୁଦ୍ଧଙ୍କ ଏକ ମୂର୍ତ୍ତିର ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିଲା । ରକ୍ଷଣାବେକ୍ଷଣ କାର୍ଯ୍ୟ ବେଳେ କାମ କରୁଥିବା ଶ୍ରମିକ ମୂର୍ତ୍ତି ତଳେ ଅର୍ଥାତ ମାଟିରେ ପୋତାଯାଇଥିବା ଏକ ବିରାଟ ବାକ୍ସ ପାଇଥିଲେ । ପ୍ରାୟ ୪ ଫୁଟ୍ ତଳେ ଏହି ବାକ୍ସ ସେମାନଙ୍କୁ ମିଳିଥିଲା । ଏହାକୁ ଖୋଲିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଶ୍ରମିକମାନେ ବାକ୍ସକୁ ଖୋଲିବା ପରେ ତା ଭିତରେ ଅନେକ ଦାମୀ ଧାତୁ ରହିଥିଲା । ଏପରିକି ସୁନା ରୁପାର ଅଳଙ୍କାର ସେମାନଙ୍କୁ ମିଳିଥିଲା । ଏହି ସବୁ ଜିନିଷ ପୂର୍ବରୁ ରାନୋଙ୍ଗ୍ ପ୍ରାନ୍ତରେ ମିଳିଥିବା ଅଳଙ୍କାର ସହ ସମାନ ଥିଲା । ଯାହା ପ୍ରାୟ ୧୩୦୦ ବର୍ଷ ପୁରୁଣା ବୋଲି ଗବେଷକ ଜାଣିବାକୁ ପାଇଥିଲେ ।

ଆହୁରି କ'ଣ ମିଳିଲା

ପ୍ରତ୍ନତତ୍ତ୍ୱ ବିଭାଗର କହିବାନୁସାରେ, ଅଧିକ ଖୋଳାଖୋଳି ପରେ ସେମାନଙ୍କୁ ଅନେକ କିଛି ଅଳଙ୍କାର ମିଳିଥିଲା । ଯାହା ସୁନା, ରୁପା, ବ୍ରୋଞ୍ଜ୍ ଏବଂ ଟିଣର ରହିଥିଲା । ଏହାପରେ ବୁଦ୍ଧଙ୍କ ଏକ ପ୍ରତିମା ମିଳିଥିଲା । ଯାହା ପ୍ରାୟ ୧୩ ସେଣ୍ଟିମଟର ହେବ । ଏହି ମୂର୍ତ୍ତିଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା । ସେହିପରି ୧୧ ସେଣ୍ଟି ମିଟରର ଅନ୍ୟ ଏକ ମୂର୍ତ୍ତି ମିଳିଥିଲା । ଯାହା ବୁଦ୍ଧଙ୍କର ହୋଇଥିବା କୁହାଯାଉଛି । ତେବେ ଏହି ମୂର୍ତ୍ତିଟି ଭାଙ୍ଗିରୁଜି ଯାଇଛି । ଏହି ମୂର୍ତ୍ତି ସହ ସଂଲଗ୍ନ ଆଉ ଏକ ମୂର୍ତ୍ତି ମଧ୍ୟ ରହିଛି । ଯାହାର କିଛି ଅଂଶ ମିଳିନି । ଏହା ହିନ୍ଦୁ ଦେବତା ତଥା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ବୋଲି କୁହାଯାଉଛି । ସେହିପରି ଏଠାରୁ ଆଉ କିଛି ମୂର୍ତ୍ତି ମିଳିଛି । କିନ୍ତୁ ଏହା କାହାର ମୂର୍ତ୍ତି ସେନେଇ ସ୍ପଷ୍ଟତା ମିଳିପାରି ନାହିଁ ।ଏହାକୁ ଏବେ ମ୍ୟୁଜିୟମରେ ରଖାଯାଇଛି ।

ସୂଚନାଯୋଗ୍ୟ, ବୁଦ୍ଧଙ୍କ ଯେଉଁ ମୂର୍ତ୍ତିର ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିଲା ତାହା୪୩ଫୁଟ୍ ଉଚ୍ଚ । ଏହା ଥାଇଲାଣ୍ଡର ଓ୍ୱାଟ୍ ଥାମଚକ୍ ପ୍ରାନ୍ତରେ ରହିଛି । ଏହାକୁ ୬୫୭ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା । ଏହା ଦେଶର ସବୁଠୁ ପୁରୁଣା ମୂର୍ତ୍ତି ଭାବେ ପରିଚିୟ ଲାଭ କରିଛି ।