ଲଣ୍ଡନ: ବ୍ରିଟେନ ରାଜନୀତିରେ ଭାରତୀୟ ପୁଅ ତୁଷାର କୁମାର ନୂଆ ଇତିହାସ ରଚିଛନ୍ତି। ଲେବର ପାର୍ଟି କାଉନସିଲର ତୁଷାର (୨୩)ଙ୍କୁ ହର୍ଟଫୋର୍ଡସେୟାରର ଏଲଷ୍ଟ୍ରି ଓ ବୋରହମଉଡ ଟାଉନର ମେୟର ନିଯୁକ୍ତ କରାଯାଇଛି। ଏହା ସହିତ ବ୍ରିଟେନ ରାଜନୀତି ଇତିହାସରେ ସବୁଠୁ କମ ବୟଷ୍କ ଭାରତୀୟ ବଂଶୋଦଭବ ମେୟର ପାଲଟିଛନ୍ତି। ଏହି ନିଯୁକ୍ତି ଫେୟାର ୱେ ହଲରେ ଆୟୋଜିତ ‘ମେୟର ମେକିଂ ସେରିମନି’ରେ ହୋଇଛି, ଯେଉଁଠି ସ୍ଥାନୀୟ ନେତା ଓ ସମୂଦାୟର ଲୋକେ ତାଙ୍କୁ ସ୍ୱାଗତ କରିଛନ୍ତି।

ତୁଷାର କୁମାର ଖୁବ୍ କମ ବୟସରେ ରାଜନୀତିରେ ପାଦ ଥାପିଥିଲେ। ସେ ମାତ୍ର ୨୦ ବର୍ଷ ବୟସରେ ପ୍ରଥମ ଥର କାଉନସିଲର ନିର୍ବାଚିତ ହୋଇଥିଲେ। ପରେ ସେ ଡେପୁଟି ମେୟର ରୂପେ କାମ କରିଥିଲେ। ସେ କିଙ୍ଗସ କଲେଜ ଲଣ୍ଡନରୁ ପଲିଟିକାଲ ସାଇନ୍ସ ପଢିଛନ୍ତି। ତୁଷାର ତାଙ୍କ ସଫଳତାର ଶ୍ରେୟ ତାଙ୍କ ମା ପରବୀନ ରାନୀଙ୍କୁ ଦେଇଛନ୍ତି, ଯିଏ ତାଙ୍କୁ ସାର୍ବଜନିକ ଜୀବନ ଓ ରାଜନୀତିରେ ଆସିବାକୁ ପ୍ରେରିତ କରିଥିଲେ। ମେୟର ହେବା ପରେ ତୁଷାର କୁମାର ସୋସିଆଲମିଡିଆ ପ୍ଲାଟଫର୍ମ ଲିଙ୍କଡଇନ୍ ରେ ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି।

ସେ ଲେଖିଛନ୍ତି ୨୩ ବର୍ଷ ବୟସରେ ବ୍ରିଟେନ ଇତିହାସରେ ସବୁଠୁ ଯୁବ ମୂଳ ଭାରତୀୟ ମେୟର ହେବା ତାଙ୍କ ଲାଗି ଜୀବନର ସବୁଠୁ ବଡ଼ ସମ୍ମାନ। ସେ କହିଛନ୍ତି ଯେ ଜଣେ ସ୍ଥାନୀୟ ସ୍ୱୟଂ ସେବକରୁ ଆରମ୍ଭ କରି ମେୟର ହେବା ପର୍ଯ୍ୟନ୍ତ ଯାତ୍ରା ବେଶ୍ ରୋମାଞ୍ଚକର ରହିଛି। ତୁଷାର କୁମାର କେବଳ ରାଜନୀତି ପର୍ଯ୍ୟନ୍ତ ସୀମିତ ନାହାନ୍ତି। ସେ ବ୍ରିଟିଶ-ଇଣ୍ଡିଆନ ପିଲାଙ୍କ ଲାଗି ମାଗଣାରେ ହନ୍ଦୀ କ୍ଲାସ୍ ମଧ୍ୟ କରନ୍ତି। ଏହା ଛଡା ସେ ବୋରେହମଉଡରେ ଭାରତର ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବ, ଦିପାବଳୀ ଓ ହୋଲି ଆଦି ଉତ୍ସବ ଆୟୋଜନର ନେତୃତ୍ୱ ନିଅନ୍ତି।

ସେ କହିଛନ୍ତି ଯେ ତାଙ୍କ ପସନ୍ଦର ସହର ପାଇଁ ସେବା କରିବା ତାଙ୍କ ଲାଗି ଜୀବନର ସବୁଠୁ ବଡ଼ ସୌଭାଗ୍ୟ। ତୁଷାର କୁମାରଙ୍କ ସଫଳତା ବ୍ରିଟେନରେ ମୂଳ ଭାରତୀୟ ଯୁବକଙ୍କ ବଢୁଥିବା ପ୍ରଭାବକୁ ଦର୍ଶାଉଛି। ବ୍ରିଟେନର ରାଜନୀତି, ପ୍ରଶାସନ ଓ ସାମାଜିକ ସଂସ୍ଥାରେ ଭାରତୀୟ ସମୂଦାୟଙ୍କ ଭାଗିଦାରୀ ଲଗାତାର ମଜଭୁତ ହେବାରେ ଲାଗିଛି। ତୁଷାର କୁମାରଙ୍କ ନିଯୁକ୍ତିକୁ ଏହି ବଦଳୁଥିବା ସାମାଜିକ ଓ ରାଜନୈତିକ ପରିଦୃଶ୍ୟର ପ୍ରତୀକ ମନେ କରାଯାଉଛି।