ଭୋପାଳ: ସୋସିଆଲ ମିଡିଆରେ ୧୬ ଲକ୍ଷରୁ ଅଧିକ ଫଲୋୟର୍ସ । ଲକ୍ଷ ଲକ୍ଷ ଟଙ୍କା ରୋଜଗାର, ଲୋକପ୍ରିୟତା ବି କମ ନଥିଲା । କିନ୍ତୁ ଏମିତି କଣ ହେଲା ଯେ, ସୋସିଆଲ ମିଡିଆ ଇନଫ୍ଲୁଏପ୍ସର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ମଧ୍ୟପ୍ରଦେଶର ଜଣାଶୁଣା ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ନିଧି ତିୱାରୀଙ୍କ ଆତ୍ମହତ୍ୟା ଖବରକୁ ନେଇ ଚର୍ଚ୍ଚା ଲାଗିରହିଛି । ମାତ୍ର ୩୦ ବର୍ଷ ବୟସରେ ସେ ସିଙ୍ଗରୌଲି ଜିଲ୍ଲାର ଭୂସା ମୋଡ୍ ସ୍ଥିତ ନିଜ ଘରେ ଜୀବନ ହାରିଛନ୍ତି। ନିଧି ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ଥିଲେ । ସମୁଦାୟ ୧୬ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଥିଲେ। 

ଗତ ଶନିବାର ସନ୍ଧ୍ୟାରେ ତାଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଧି ବିନ୍ଧ୍ୟ ଅଞ୍ଚଳର ଜଣେ ପ୍ରମୁଖ ଡିଜିଟାଲ୍ କ୍ରିଏଟର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଫେସବୁକରେ ତାଙ୍କର ପ୍ରାୟ ୯ ଲକ୍ଷ ଏବଂ ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୭ ଲକ୍ଷ ଫଲୋୟର୍ସ ଥିଲେ। ତାଙ୍କ ଭିଡିଓଗୁଡ଼ିକୁ ଲକ୍ଷ ଲକ୍ଷ ଲୋକ ଦେଖୁଥିବା ବେଳେ ପ୍ରତ୍ୟେକ ପୋଷ୍ଟରେ ହଜାର ହଜାର ପ୍ରତିକ୍ରିୟା ମିଳୁଥିଲା। ୨୦୨୪ ମସିହାରେ ସେ 'ମିସ୍ ପ୍ରିଟି ଇଣ୍ଡିଆ' ପୁରସ୍କାର ଜିତିବା ପରେ ମଡେଲିଂ, ଉପସ୍ଥାପନା ଏବଂ ଅଭିନୟ କ୍ଷେତ୍ରରେ ନିଜର କ୍ୟାରିୟର୍ ଆଗକୁ ନେଉଥିଲେ ।  

ଚଳଚ୍ଚିତ୍ର ଜଗତରେ ସଫଳତା ପାଇବା ତାଙ୍କର ମୁଖ୍ୟ ସ୍ୱପ୍ନ ଥିଲା।ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଫୋନ୍‌ରେ କାହା ସହିତ କଥା ହେଉଥିଲେ। ସେପଟେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୋର୍ୱା ଥାନା ପ୍ରଭାରୀ ଡାକ୍ତର ଜ୍ଞାନେନ୍ଦ୍ର ସିଂହ ଜଣାଇଛନ୍ତି ଯେ, ନିଧିଙ୍କ ଫୋନ୍ କଲ୍ ରେକର୍ଡ, ଡିଜିଟାଲ୍ ଗତିବିଧି ଏବଂ ଅନ୍ୟାନ୍ୟ ପ୍ରମାଣଗୁଡ଼ିକୁ ଯାଞ୍ଚ କରାଯାଉଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ହେବନାହିଁ । 

ନିଧିଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ଦିନେ ତାଙ୍କ ସୌନ୍ଦର୍ଯ୍ୟ, ଆତ୍ମବିଶ୍ୱାସ ଓ କାର୍ଯ୍ୟର ପ୍ରଶଂସା କରୁଥିଲେ, ଆଜି ସେହିମାନେ ହିଁ ସୋସିଆଲ୍ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।