ନୂଆଦିଲ୍ଲୀ: ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ମନ୍ତ୍ରୀ ପରଭେଶ ବର୍ମାଙ୍କ ଚାପୁଡ଼ା ମରା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାରେ ପୂର୍ତ୍ତ ମନ୍ତ୍ରୀ ପରଭେଶ ବର୍ମାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣାଧୀନ ରାସ୍ତାର ଯାଞ୍ଚ କରି କେଜ୍ରିୱାଲ୍ ମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ କରିବା ସହ ତୁରନ୍ତ ଗିରଫ କରିବା ପାଇଁ ଦାବି ଦୋହରାଇଛନ୍ତି।

ସୂଚନା ଅନୁଯାୟୀ, ଗତ ରବିବାର ଦିନ ମନ୍ତ୍ରୀ ପରଭେଶ ବର୍ମା ପଶ୍ଚିମ ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ନୂବନିର୍ମିତ ରାସ୍ତାର ଯାଞ୍ଚ କରୁଥିଲେ। ଏହି ସମୟରେ ଭିଡିଓ ସୁଟିଂ କରୁଥିବା ଜଣେ ଯୁବକଙ୍କୁ ମନ୍ତ୍ରୀ ସାଧାରଣରେ ଚାପୁଡ଼ା ମାରିଥିଲେ। ସେପଟେ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ ପରଭେଶ ବର୍ମା କହିଛନ୍ତି ଯେ, ସମ୍ପୃକ୍ତ ଯୁବକଜଣକ ତାଙ୍କ ପରିବାରକୁ ଗାଳିଗୁଲଜ କରିଥିଲେ। ସେ କହିଛନ୍ତି, ‘ବିଧାୟକଙ୍କ ସମର୍ଥକ ମୋ ପରିବାର ପ୍ରତି ଅଶାଳୀନ ଭାଷା ବ୍ୟବହାର କରିବାରୁ କ୍ରୋଧାନ୍ୱିତ ହୋଇ ଜଣେ ସାଧାରଣ ମଣିଷ ଭାବରେ ମୁଁ ପ୍ରତିକ୍ରିୟା ପ୍ରକାଶ କରିଥିଲି।’ ଏହାସହିତ ସେ ଆପ୍ ବିଧାୟକ ଜରନେଲ ସିଂହଙ୍କ ବିରୋଧରେ ରାସ୍ତା ମରାମତି କାମରୁ କମିଶନ୍ ମାଗିବା ଅଭିଯୋଗ ଆଣିଛନ୍ତି ଏବଂ ଏନେଇ ଏଫ୍‌ଆଇଆର୍ (FIR) ରୁଜୁ କରାଯିବ ବୋଲି ଜଣାଇଛନ୍ତି। 

ଅନ୍ୟପଟେ, ମନ୍ତ୍ରୀ ଚାପୁଡ଼ା ମାରିଥିବା ଯୁବକଜଣକ ନିଜକୁ ସାହେବ ସିଂହ ବୋଲି ପରିଚୟ ଦେଇଛନ୍ତି, ଯିଏ କି ବିଧାୟକ ଜରନେଲ ସିଂହଙ୍କ ସୋସିଆଲ୍ ମିଡିଆ କାମ ବୁଝାବୁଝି କରନ୍ତି। ସାହେବ ସିଂହଙ୍କ ଅଭିଯୋଗ ଅନୁଯାୟୀ, ସେ ଯାଞ୍ଚ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରୁଥିବା ବେଳେ ମନ୍ତ୍ରୀ ପରଭେଶ ବର୍ମା ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ ଏବଂ ମାଡ଼ ମାରିଥିଲେ। ଏପରିକି ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ତାଙ୍କ ହାତ ଓ ବେକ ଧରି ଘୋଷାଡ଼ି ନେଇଯାଇଥିଲେ। ଏହି ଘଟଣାକୁ ନେଇ ସାହେବ ସିଂହ ବିକାଶପୁରୀ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ଏହି ପ୍ରସଙ୍ଗରେ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତାମାନେ ବିଜେପିକୁ ଘେରିଛନ୍ତି। ଆପ୍ ଦିଲ୍ଲୀ ସଭାପତି ସୌରଭ ଭରଦ୍ୱାଜ ଏବଂ ବିରୋଧୀ ଦଳ ନେତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ, ସାଧାରଣ ଜନତାଙ୍କ ଟଙ୍କାରେ ନିମ୍ନମାନର ରାସ୍ତା ତିଆରି ନେଇ ପ୍ରଶ୍ନ ପଚରାଯିବାରୁ ମନ୍ତ୍ରୀ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ। ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏହି ପ୍ରସଙ୍ଗରେ କେଜ୍ରିୱାଲ ସରକାରଙ୍କ ୧୦ ବର୍ଷର ଶାସନକୁ ତୁଳନା କରି କହିଛନ୍ତି ଯେ, ଆପ୍ ମନ୍ତ୍ରୀମାନେ ସଦାସର୍ବଦା ଜନସାଧାରଣଙ୍କ ସମସ୍ୟା ଶୁଣି ତାର ସମାଧାନ କରୁଥିଲେ, କିନ୍ତୁ ବିଜେପି ମନ୍ତ୍ରୀମାନେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି।