ନୂଆଦିଲ୍ଲୀ: ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ବା ଏଫଡି (FD) କରୁଥିବା ଗ୍ରାହକମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଖବର ।  ୨୦୨୬ ଆସନ୍ତା ଅକ୍ଟୋବର ୧ରୁ ବଲ୍କ ଡିପୋଜିଟ୍ (Bulk Deposits) ବା ବଡ଼ ପରିମାଣର ଜମା ରାଶି ଉପରେ ସୁଧ ହାର ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) । ବ୍ୟାଙ୍କଗୁଡ଼ିକ ଯେପରି ଗ୍ରାହକଙ୍କୁ ସ୍ପଷ୍ଟ ଏବଂ ସ୍ଵଚ୍ଛ ତଥ୍ୟ ପ୍ରଦାନ କରିବେ, ସେଥିପାଇଁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯାଉଛି ।

ରିଜର୍ଭ ବ୍ୟାଙ୍କର ଏହି ସଂଶୋଧିତ ନିୟମ ସମସ୍ତ କମର୍ସିଆଲ୍ ବ୍ୟାଙ୍କ, ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (RRBs), ପେମେଣ୍ଟ ବ୍ୟାଙ୍କ ଏବଂ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ପାଇଁ ବାଧ୍ୟତାମୂଳକ ହେବ ।

ପ୍ରତି କାର୍ଯ୍ୟଦିବସରେ ଉଲ୍ଲେଖ କରାଯିବ ସୁଧ ହାର

ନୂଆ ନିୟମ ଅନୁଯାୟୀ, ଆସନ୍ତା ଅକ୍ଟୋବର ୧ରୁ ବ୍ୟାଙ୍କଗୁଡ଼ିକୁ ପ୍ରତ୍ୟେକ କାର୍ଯ୍ୟଦିବସରେ (Working Day) ସକାଳ ୧୦ଟା ସୁଦ୍ଧା ସେମାନଙ୍କର ଅଫିସିଆଲ୍ ୱେବସାଇଟରେ ବଲ୍କ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ହାର ସର୍ବସାଧାରଣରେ ପ୍ରକାଶ କରିବାକୁ ପଡ଼ିବ । ୱେବସାଇଟ୍ ଅପଡେଟ୍ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ସର୍ବାଧିକ ୧୦ ମିନିଟର ଗ୍ରେସ୍ ପିରିୟଡ୍ ମିଳିବ । ଅର୍ଥାତ୍ ସକାଳ ୧୦:୧୦ ସୁଦ୍ଧା ତଥ୍ୟ ଅପଡେଟ୍ ହେବା ଜରୁରୀ ।

ୱେବସାଇଟରେ ଉଲ୍ଲେଖ ଥିବା ସୁଧ ହାର ଆଧାରରେ ହିଁ ବ୍ୟାଙ୍କ ଗ୍ରାହକଙ୍କୁ ସୁଧ ପ୍ରଦାନ କରିବେ । ସାଧାରଣତଃ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକରେ ୩ କୋଟି ଟଙ୍କା କିମ୍ବା ତା'ଠାରୁ ଅଧିକ ଟଙ୍କାର ସିଙ୍ଗଲ୍ ଟର୍ମ ଡିପୋଜିଟକୁ 'ବଲ୍କ ଡିପୋଜିଟ୍' କୁହାଯାଏ । ତେବେ ଅନ୍ୟ ଶ୍ରେଣୀର ବ୍ୟାଙ୍କ ପାଇଁ ଏହି ସୀମା ଭିନ୍ନ ହୋଇପାରେ ।

ସମସ୍ତ ବ୍ରାଞ୍ଚରେ ସମାନ ରହିବ ସୁଧ ହାର, କିନ୍ତୁ ରହିଛି ସର୍ତ୍ତ:

ଏହି ସଂଶୋଧନରେ ଆଉ ଏକ ବଡ଼ ନିୟମ ଅଣାଯାଇଛି । ଯାହା ଅନୁଯାୟୀ କୌଣସି ବ୍ୟାଙ୍କ ଏକାଭଳି ବଲ୍କ ଡିପୋଜିଟ୍ ଉପରେ କେବଳ ଭିନ୍ନ ଭିନ୍ନ ବ୍ରାଞ୍ଚ ଆଧାରରେ ଅଲଗା ସୁଧ ହାର ଅଫର୍ କରିପାରିବେ ନାହିଁ । ଗୋଟିଏ ଦିନରେ ସମାନ ପରିମାଣର ଜମା ଉପରେ ସବୁ ବ୍ରାଞ୍ଚରେ ଏକାଭଳି ସୁଧ ମିଳିବ ।

ତେବେ ବ୍ୟାଙ୍କ ଚାହିଁଲେ ଗ୍ରାହକଙ୍କ ଜମା ରାଶିର 'ଲିକ୍ୱିଡିଟି କଭରେଜ୍ ରେସିଓ' (LCR) ଆଧାରରେ ସୁଧ ହାର ବଦଳାଇପାରିବେ । ଏଲସିଆର୍ (LCR) ଫ୍ରେମୱାର୍କ ଅଧୀନରେ ଥିବା ରନ୍- ଅଫ୍ ରେଟକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସୁଧ ହାରରେ ପରିବର୍ତ୍ତନ କରିବାକୁ ସ୍ଵାଧୀନତା ପାଇବେ । ଏହି ନିୟମ ଘରୋଇ ଜମା ସହ ଅଣ- ବାସିନ୍ଦା (Non-Resident) ମୁଦ୍ରା ଡିପୋଜିଟ୍ ଉପରେ ମଧ୍ୟ ଲାଗୁ ହେବ ।

Also Read: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ୟୁପିଆଇ ଚାର୍ଜ ଉପରେ ରୋକ୍ ଲଗାଇବାକୁ ମନା କଲେ ଅଦାଲତ​​​​​​​

ସାଧାରଣ ଖାତାଧାରୀଙ୍କ ଉପରେ କଣ ପ୍ରଭାବ ପଡ଼ିବ ?

ଯଦି ଆପଣ ଜଣେ ସାଧାରଣ ମଧ୍ୟବିତ୍ତ କିମ୍ବା ଖୁଚୁରା (Retail FD) ନିବେଶକ, ତେବେ ଆପଣଙ୍କୁ ବ୍ୟସ୍ତ ହେବାର ଆଦୌ ଆବଶ୍ୟକତା ନାହିଁ । ଏହି ନୂଆ ନିୟମ ଦ୍ଵାରା ଆପଣଙ୍କର ପୂର୍ବରୁ ଚାଲୁ ରହିଥିବା ଏଫଡି (FD) ସୁଧ ହାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହା କେବଳ କୋଟି କୋଟି ଟଙ୍କାର ବଡ଼ ଅଙ୍କର ଜମା ରାଶି ବା ବଲ୍କ ଡିପୋଜିଟ୍ କ୍ଷେତ୍ରରେ ଲାଗୁ ହେବ ।

ଏହି ନୂତନ ପଦକ୍ଷେପ ଫଳରେ ବଡ଼ ନିବେଶକମାନେ ଏଫଡି ବୁକ୍ କରିବା ପୂର୍ବରୁ ବିଭିନ୍ନ ବ୍ୟାଙ୍କର ସୁଧ ହାରକୁ ସହଜରେ ତୁଳନା କରି ସଠିକ୍ ନିଷ୍ପତ୍ତି ନେଇପାରିବେ ।