ମୁମ୍ୱାଇ: ବଲିଉଡ୍ ସହ ଜଡ଼ିତ ଅନେକ ବ୍ୟକ୍ତି ଏବଂ ଫିଲ୍ମ କମ୍ପାନି ଉପରେ ଆୟକର ବିଭାଗ ଚଢାଉ କରିଛି । ଆୟକର ବିଭାଗର ମୁମ୍ବାଇ ଟିମ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ପ୍ରାୟ ୧୨ଟି ଠିକଣାରେ ଏକାସାଙ୍ଗରେ ଚଢାଉ କରିଛି । ସୂଚନା ଅନୁସାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ଫିଲ୍ମ ପ୍ରଯୋଜକ ଭାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓଜର ଠିକଣାରେ ରେଡ୍ ହୋଇଛି । ବିଭାଗୀୟ ଟିମ୍ ଏହି ସମସ୍ତ ସ୍ଥାନରେ କାଗଜପତ୍ର ଏବଂ ଆର୍ଥିକ କାରବାର ସମ୍ବନ୍ଧୀୟ ସୂଚନା ଯାଞ୍ଚ କରୁଛନ୍ତି ।

କ’ଣ ରହିଛି ପୂରା ମାମଲା ?

'ଆଜ୍ ତକ୍'ର ରିପୋର୍ଟ ଅନୁସାରେ, ଫିଲ୍ମ ପ୍ରୋଜେକ୍ଟ ପାଇଁ ବିଦେଶ ପଠାଯାଇଥିବା କଥିତ ଅର୍ଥରାଶିର ଯାଞ୍ଚ ପାଇଁ ଏହି ତଦନ୍ତ କରାଯାଉଛି । ଫିଲ୍ମ ଶୁଟିଂ, ଓଭରସିଜ୍ ଡିଷ୍ଟ୍ରିବ୍ୟୁସନ୍ ଏବଂ ପ୍ରଡକ୍ସନ୍ ସହ ଜଡ଼ିତ କାରବାରରେ ବିଦେଶକୁ ଟଙ୍କା ପଠାଯାଇଥିବା ନେଇ ଆୟକର ବିଭାଗକୁ କିଛି ସୂଚନା ମିଳିଥିଲା । ଏହି ଆଧାରରେ ମୁମ୍ବାଇର ଭିନ୍ନ ଭିନ୍ନ ଟିମ୍ ଅନେକ ଠିକଣାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ।

ଏହି ଅଭିଯାନରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ତାଙ୍କ ଶ୍ୱଶୂର ତଥା ଫିଲ୍ମ ପ୍ରଯୋଜକ ଭାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓଜ୍ ସହ ଜଡ଼ିତ ଠିକଣାର ନାଁ ସାମ୍ନାକୁ ଆସୁଛି । ତେବେ ଏହି ସମସ୍ତଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରାଯାଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ଏବଂ ଆୟକର ବିଭାଗ ପକ୍ଷରୁ ଏହି ସମ୍ପୂର୍ଣ୍ଣ ସର୍ଚ୍ଚ ଅପରେସନ୍ ନେଇ କୌଣସି ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିନାହିଁ । ତେଣୁ ଏହି ରେଡ୍ ପଛର କାରଣ ଏବଂ ଯାଞ୍ଚରୁ ସାମ୍ନାକୁ ଆସିଥିବା ତଥ୍ୟକୁ ନେଇ ଆନୁଷ୍ଠାନିକ ବୟାନକୁ ଅପେକ୍ଷା କରାଯାଇଛି ।

ରକୁଲ ପ୍ରୀତ ସିଂହଙ୍କ ଫିଲ୍ମ କ୍ୟାରିୟର୍

ରକୁଲ ପ୍ରୀତ ସିଂହ ନିଜର ଅଭିନୟ କ୍ୟାରିୟର୍ ସାଉଥ୍ ସିନେମାରୁ ଆରମ୍ଭ କରିଥିଲେ । ଏହାପରେ ସେ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ଅଭିନୀତ ଫିଲ୍ମ 'ରାମାୟଣ'ର ମଧ୍ୟ ନଜର ଆସିବେ ।

ଭାସୁ ଭଗନାନୀ ଏବଂ ପାନୋରାମା ଷ୍ଟୁଡିଓଜ୍

ଭାସୁ ଭଗନାନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ପ୍ରଯୋଜକ ଏବଂ ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଅନେକ ଫିଲ୍ମ ନିର୍ମାଣ କରିସାରିଛନ୍ତି । ଅନ୍ୟପଟେ, ପାନୋରମା ଷ୍ଟୁଡିଓଜ୍ ଫିଲ୍ମ ପ୍ରଡକ୍ସନ୍ ଏବଂ ଡିଷ୍ଟ୍ରିବ୍ୟୁସନ୍ ସହ ଜଡ଼ିତ ପ୍ରମୁଖ କମ୍ପାନିଗୁଡ଼ିକ ମଧ୍ୟରେ ସାମିଲ ଅଛି । ଏହି କମ୍ପାନି 'ଦୃଶ୍ୟମ୍' ଫ୍ରାଞ୍ଚାଇଜ୍ ସମେତ ଅନେକ ଚର୍ଚ୍ଚିତ ଫିଲ୍ମ ସହ ଜଡ଼ିତ ରହିଛି ।