ପାଟନା, ୧୯/୧୨: ନୀତିଶ କୁମାରଙ୍କୁ ଧମକ । ଶତ୍ରୁ ଦେଶ ପାକିସ୍ତାନରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧମକ ମିଳିଛି । ହିଜାବ ମାମଲାରେ ବିହାର ସିଏମଙ୍କ ବୟାନକୁ ନେଇ ଏପରି ତେଚାବନୀ ଆସିଥିବା କୁହାଯାଉଛି । ତେବେ ମାମଲାକୁ ଗୁରୁତର ସହ ନେଇଛି ପାଟନା ପୋଲିସ । ଏଫଆଇଆର ରୁଜୁ ପରେ ପୋଲିସ ତଦନ୍ତଆରମ୍ଭ କରିଛି ।

ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ନୀତିଶ କୁମାର ସାର୍ବଜନୀନ ମଞ୍ଚରେ ଜଣେ ମୁସଲିମ ମହିଳାଙ୍କ ମୁହଁରୁ ହିଜାବ ଟାଣି ନେଉଥିବା ଦେଖିବାକୁ ମିଳିଥିଲା। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ଅନେକ ଏହାକୁ ବିରୋଧ କରିଥିଲେ। ଆରଜେଡି ମଧ୍ୟ ଭିଡିଓଟି ପୋଷ୍ଟ କରି ପ୍ରଶ୍ନ ଉଠାଇଥିଲା ।

ଆରଜେଡି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭିଡିଓଟି ପୋଷ୍ଟ କରି ଲେଖିଥିଲା ଯେ, ନୀତୀଶ ଜୀଙ୍କୁ କ'ଣ ହୋଇଛି ? ତାଙ୍କର ମାନସିକ ଅବସ୍ଥା କ'ଣ ଖରାପ ହୋଇଛି ନା ନୀତୀଶ ବାବୁ ଏବେ ୧୦୦% ସଂଘୀ ହୋଇଯାଇଛନ୍ତି ?’ ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜଣେ ମୁସଲିମ ମହିଳାଙ୍କୁ ନିଯୁକ୍ତି ପତ୍ର ଦେବା ସମୟରେ ତାଙ୍କ ମୁହଁରୁ ହିଜାବ ଟାଣି ନେଉଛନ୍ତି । ମଞ୍ଚରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସିଏମଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ତେବେ ଜଭେଦ ଅଖତରଙ୍କ ସମେତ ଅନେକ ସେଲିବ୍ରିଟି ନୀତିଶଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇବା ସହ କ୍ଷମା ମାଗିବାକୁ ଦାବି କିରଛନ୍ତି ।

ପାକିସ୍ତାନରୁ ଧମକ

ପାଟନା ଆଇଜି ଜିତେନ୍ଦ୍ର ରାଣା କହିଛନ୍ତି ଯେ, ଇନଷ୍ଟାଗ୍ରାମରେ ଜଣେ ପାକିସ୍ତାନୀ ୟୁଜର ନୀତିଶଙ୍କୁ ଧମକ ଦେଇଛନ୍ତି । ମେଟାକୁ ଇମେଲ୍ କରାଯାଇ ସେହି ବ୍ୟକ୍ତିଙ୍କ ଆକାଉଣ୍ଟ୍ ବ୍ଲକ୍ ପାଇଁ କୁହାଯାଇଛି । ସାଇବର ଥାନାରେ ମାମଲା ରୁଜୁ ହୋଇଛି । ୟୁଜରଙ୍କ ତଥ୍ୟ ମଗାଯାଇଛି ।

ଧମକ ଦେଇଥିବା ୟୁଜର ହେଲେ ଶେହଜାଦ୍ ଭଟ୍ଟି । ସେ ପାକିସ୍ତାନର ଜଣେ ଗ୍ୟାଙ୍ଗଷ୍ଟର । ସେ ଭିଡିଓ ପୋଷ୍ଟ୍ କରି ନୀତିଶଙ୍କୁ ଧମକ ଦେଇଥିଲା । ସେ କହିଥିଲା ଯେ, ବିହାରରେ କଣ ହେବେ ତାହା ସମସ୍ତେ ଦେଖିବେ । ଏବେବି ନୀତିଶଙ୍କ ପାଖରେ ସମୟ ଅଛି । ସେ କ୍ଷମା ପ୍ରାର୍ଥନା କରନ୍ତୁ । ଧମକ ପରେ ରାଜ୍ୟର ଡିଜିପି ମଧ୍ୟ ମାମଲା ଉପରେ ସିଧାସଲଖ ନଜର ରଖିଛନ୍ତି ।