ଭୁବନେଶ୍ବର ୧୩।୪: ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

- ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରତ୍ୱ

- ଏମ୍ଜିକ୍ୟୁ ବଦଳରେ ଏମ୍ଜିଇଆର୍ ବ୍ୟବସ୍ଥା ଲାଗୁ

- ଲଟେରୀ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସରଳୀକରଣ ଉପରେ ଆଲୋଚନା

ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା କେବେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ନୁହେଁ । ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡ଼ିକ୍ସନ୍ ସେସ୍ ଲଗାଇବା ପାଇଁ ଯୋଜନା କରିଛନ୍ତି । ଏହାଦ୍ୱାରା ମଦ୍ୟପାନ ନ କରିବା ପାଇଁ ଏକ ସଚେତନତା ବାର୍ତ୍ତା ପ୍ରସାର କରିହେବ । ଏଥି ସହିତ ପୂର୍ବରୁ ଥିବା ଏମ୍‌ଜିକ୍ୟୁ ବ୍ୟବସ୍ଥାକୁ ଉଚ୍ଛେଦ କରି ଏମ୍ଜିଇଆର୍ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଫଳରେ ସର୍ବନିମ୍ନ ମଦ ବିକ୍ରି ପାଇଁ ଡିଲରଙ୍କ ଉପରେ ଥିବା ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

Also Read:- 5kg Cylinders at Railway Station: ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି, ପେଟ୍ରୋଲ ପମ୍ପ୍‌ ପରେ ଏଣିକି ଷ୍ଟେସନରେ ମିଳିବ

ସେହିପରି ବେଆଇନ ମଦ କାରବାର ଯୋଗୁଁ କେବଳ ଧନଜୀବନ ହାନି ହେଉ ନାହିଁ, ବରଂ ରାଜସ୍ୱ ହାନି ହେଉଛି । ତେଣୁ ଏହି ବେଆଇନ ନିଶା ତଥା ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ମଦ ଦୋକାନ ଆବଣ୍ଟନ ବେଳେ ଇ-ଲଟେରୀ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅବକାରୀ ବ୍ୟବସ୍ଥାରେ ସୁଧାର ଦ୍ୱାରା ବେଆଇନ କାରବାର ରୋକାଯିବା ସହ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ବୋଲି ପୃଥ୍ବୀରାଜ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ ।

ଏହି ବୈଠକରେ ଆବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଆର୍. ଏସ୍. ଗୋପାଳନ୍, ଅବକାରୀ କମିଶନ ପି. ଅନ୍ବେଷା ରେଡ୍ଡୀ, ଅତିରିକ୍ତ ଶାସନ ସଚିବ ଦେବାଶିଷ ପଟ୍ଟନାୟକଙ୍କ ସମେତ ଏନଆଇସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।