ଭୁବନେଶ୍ବର ୧୩।୪: ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି । ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନ ପାଖରେ ମିଳିବ ଗ୍ୟାସ୍ । ସରକାର ନେଲେ ବଡ଼ ପଦକ୍ଷେପ । ପ୍ରବାସୀଙ୍କ ପାଇଁ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରିଛନ୍ତି ସରକାର । ଇରାନ ସହ ଆମେରିକାର ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା ।

ଦେଶରେ ଗ୍ୟାସ୍ର ସାମୟିକ ଅଭାବ ଦେଖାଦେବା ଫଳରେ ସବୁଠୁ ଅଧିକ ହନ୍ତସନ୍ତ ହୋଇଥିଲେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ । ସ୍ଥାୟୀ ଠିକଣା ପ୍ରମାଣପତ୍ର ନଥିବାରୁ ଏହି ଶ୍ରମିକ ମାନେ ୧୪ କେଜିଆ ବଡ଼ ସିଲିଣ୍ଡର ପାଇବାରେ ଅସମର୍ଥ ହୋଇଥାନ୍ତି । ସେମାନଙ୍କ ପାଇଁ ଏକମାତ୍ର ସାହା ହେଉଛି ୫ କେଜିଆ ଛୋଟ ସିଲିଣ୍ଡର । କିନ୍ତୁ ଯୋଗାଣ କମ୍ ଥିବାରୁ କିଛି ଅସାଧୁ ବ୍ୟବସାୟୀ ଏହାର କଳାବଜାରୀ କରି ଅଧିକ ଦାମ୍‌ରେ ବିକ୍ରି କରୁଥିଲେ । ଅନେକ ପ୍ରବାସୀ ଶ୍ରମିକ ଅତିଷ୍ଠ ହୋଇ ରୋଷେଇ ପାଇଁ ପୁଣି କାଠ ଚୁଲିକୁ ଆପଣେଇଥିଲେ ତ କିଛି ଶ୍ରମିକ ସହର ଛାଡ଼ି ନିଜ ଗାଁକୁ ଫେରିବା ଆରମ୍ଭ କରିଥିଲେ । ତେବେ ଏମାନେ ଏଣିକି ଆଧାର କାର୍ଡ ଏବଂ ଶ୍ରମ କାର୍ଡ ଦେଖାଇ ଷ୍ଟେସନରୁ ୫ କେଜିଆ ଗ୍ୟାସ୍ ନେଇପାରିବେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରିଛନ୍ତି ସରକାର ।

Also Read:- ଆତଙ୍କୀ ଲିଙ୍କ୍‌ରେ ଗିରଫ ଇମ୍ରାନର ସାଙ୍ଗକୁ STFର ଜେରା, ସୋସିଆଲ ମିଡିଆ ଆକାଉଣ୍ଟ ଫ୍ରିଜ୍

ରାଜ୍ୟରେ ନାହିଁ ଆଉ ଗ୍ୟାସ୍ ସଙ୍କଟ । ପୂର୍ବରୁ ୫ କେଜିଆ ଗ୍ୟାସ୍‌କୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରାଯାଇଛି । ପେଟ୍ରୋଲ ପମ୍ପ୍‌ରେ ଗ୍ୟାସ୍ ଉପଲବ୍ଧ ହେଲାଣି । ଏହାସହିତ ଷ୍ଟେସନରେ ଗ୍ୟାସ୍ ମିଳିବା ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ୟାସ୍ ଷ୍ଟେସନ ଖୋଲିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ଘରୋଇ ହଷ୍ଟେଲରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକ ନିଜର ପରିଚୟ ପତ୍ର ଦେଖାଇଲେ ୫ କେଜିଆ ଗ୍ୟାସ୍ ସିଲିଣ୍ଡର ନେଉଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ୧୫୭୪ ଟଙ୍କା ଦେବାକୁ ପଡ଼ିବ ।