Asha Bhosle: ମାତ୍ର ୧୦ ବର୍ଷ ବୟସରେ ୧୯୪୩ ମସିହାରେ ଆରମ୍ଭ ହୋଇଥିଲା ସଂଗୀତ ଯାତ୍ରା। ୧୨ ହଜାରରୁ ଅଧିକ ଗୀତ, ୨୦ରୁ ଅଧିକ ଭାଷାରେ କଣ୍ଠଦାନ। ଦଶନ୍ଧୀ ଦଶନ୍ଧୀ ଧରି ସଂଗୀତ ଦୁନିଆରେ ରାଜ୍ କରି ଆସିଥିବା ମେଲୋଡୀ କ୍ୱିନ ଆଶା ଭୋସ୍‌ଲେଙ୍କର ରବିବାର ବିୟୋଗ ହୋଇଛି। ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କାଣ୍ଡ ହସପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃସ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ତାଙ୍କର ବିୟୋଗ ହୋଇଥିବା ହସ୍ପିଟାଲର ଡାକ୍ତର ଘୋଷଣା କରିଛନ୍ତି। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିବାରୁ ଆଶାଙ୍କ ବିୟୋଗ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ଆଶା ଭୋସ୍‌ଲେଙ୍କ ବିୟୋଗରେ ସିନେମା ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ରାଜନୈତିକ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ପୋଷ୍ଟ କରି ଲେଖିଛନ୍ତି ଯେ ଆଶାଙ୍କର ଦଶନ୍ଧି ବ୍ୟାପୀ ଅନନ୍ୟ ସଙ୍ଗୀତ ଯାତ୍ରା ଆମର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି। ବିଶ୍ୱର ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଛି। ତାଙ୍କ ଗୀତଗୁଡ଼ିକ ଲୋକଙ୍କ ଜୀବନରେ ସବୁଦିନ ପାଇଁ ପ୍ରତିଧ୍ୱନିତ ହେବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ-

ତାଙ୍କ ସହ ଆଲୋଚନାର ଏକ ସମୟକୁ ମନେ ପକାଇ ମୋଦୀ ଲେଖିଛନ୍ତି “ଭାରତର ସବୁଠାରୁ ପ୍ରସିଦ୍ଧ ଏବଂ ଭର୍ସାଟାଇଲ ସ୍ୱର ମଧ୍ୟରୁ ଜଣେ ଶ୍ରୀମତୀ ଆଶା ଭୋଁସଲେ ଜୀଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ଦଶନ୍ଧି ଧରି ତାଙ୍କର ବ୍ୟାପକ ଅନନ୍ୟ ସଙ୍ଗୀତ ଯାତ୍ରା ଆମର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି ଏବଂ ବିଶ୍ୱର ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଛି। ହୃଦୟକୁ ଛୁଇଁଲା ଭଳି ଧୁନ୍ ଠାରୁ ନେଇ ଜୋଶଭରା ଗୀତ ପର୍ଯ୍ୟନ୍ତ ତାଙ୍କ ସ୍ୱରରେ କାଳଜୟୀ ଚମତ୍କାରିତା ଥିଲା। ତାଙ୍କ ସହ ମୋର କେଇପଦକୁ କଥାକୁ ମୁଁ ସ୍ମୃତି ପରି ମୁଁ ସର୍ବଦା ମନେ ରଖିବି। ତାଙ୍କ ପରିବାର, ପ୍ରଶଂସକ ଏବଂ ସଂଗୀତ ପ୍ରେମୀଙ୍କ ପ୍ରତି ମୋର ସମବେଦନା।”

ଆଶାଙ୍କ ସ୍ୱର ଯେ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଥିବା ସେ ପର୍ଯ୍ୟନ୍ତ ସେ ଭବିଷ୍ୟତ ପିଢ଼ିକୁ ଅନୁପ୍ରାଣିତ କରି ଚାଲିବେ। ସେ ଏବଂ ତାଙ୍କ ଗୀତଗୁଡ଼ିକ ସବୁବେଳେ ଲୋକଙ୍କ ଜୀବନରେ ପ୍ରତିଧ୍ୱନିତ ହେବ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି।

Also Read- Asha and Lata Age Difference: ଆଶା ଭୋସଲେ ଓ ଲତା ମଙ୍ଗେସକରଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ? ସମାନ ବୟସରେ ଚାଲିଗଲ ଦୁଇ ଭଉଣୀ…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ-
ଆଶାଙ୍କ ବିୟୋଗ ବ୍ୟକ୍ତିଗତ ଭାବେ ମୋପାଇଁ ଅତ୍ୟନ୍ତ ଦୁଃଖ ଦାୟକ ବୋଲି ରାଜନାଥ ଲେଖିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଭାରତର ମେଲୋଡୀ କ୍ୱିନ ଆଶା ଭୋଁସଲେ ଜୀଙ୍କ ପରଲୋକ ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଜଣେ ପ୍ଲେବ୍ୟାକ୍ ଗାୟିକା ଭାବରେ, ସେ ହଜାର ହଜାର ଚଳଚ୍ଚିତ୍ର ଏବଂ ସଂଗୀତ ଆଲବମରେ ନିଜର କଣ୍ଠଦାନ କରିଛନ୍ତି। ପିଢି ପଢ଼ି ଧରି ଭାରତର ଜନାତ ତାଙ୍କ ଗୀତ ଶୁଣିଛନ୍ତି ଓ ଗୁଣୁଗୁଣାଇଛନ୍ତି। ତାଙ୍କ ସୁମଧୁର ସ୍ୱରର ପ୍ରତିଧ୍ୱନି ସବୁଦିନ ପାଇଁ ପ୍ରତିଧ୍ୱନିତ ହେବ। ଆଶା ଭୋଁସଲେ ଜୀଙ୍କ ବିୟୋଗ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖର ମୁହୂର୍ତ୍ତରେ, ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି!”

ମମତା ବାନାର୍ଜୀ-

ମହାନ ସଂଗୀତ ପ୍ରତିଭା ଆଶା ଭୋଁସଲେଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ସେ ଜଣେ ପ୍ରେରଣାଦାୟକ ଏବଂ ମନ୍ତ୍ରମୁଗ୍ଧ ଗାୟିକା ଥିଲେ ଯିଏ ପିଢ଼ି ପରେ ପିଢ଼ି ଆମ ହୃଦୟରେ ରାଜ କରିଥିଲେ। ସେ ଅନେକ ବଙ୍ଗଳା ଗୀତ ମଧ୍ୟ ଗାଇଥିଲେ, ଏବଂ ବଙ୍ଗଳାରେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ। ଆମେ ୨୦୧୮ରେ ତାଙ୍କୁ ଆମର ସର୍ବୋଚ୍ଚ ନାଗରିକ ପୁରସ୍କାର 'ବଙ୍ଗବିଭୂଷଣ' ପ୍ରଦାନ କରିପାରିଥିଲୁ। ତାଙ୍କ ପରିବାର, ଫିଲ୍ମ ଜଗତ ଏବଂ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି।

ରାହୁଲ ଗାନ୍ଧୀ-

ମହାନ ଗାୟିକା ଆଶା ଭୋଁସଲେ ଜୀଙ୍କ ଦେହାନ୍ତ ଖବର ଅତ୍ୟନ୍ତ ହୃଦୟବିଦାରକ। ତାଙ୍କ କଣ୍ଠସ୍ୱର ମାଧ୍ୟମରେ, ତାଙ୍କ କଳା ଆମ ମଧ୍ୟରେ ସବୁଦିନ ପାଇଁ ଅମର ହୋଇ ରହିବ। ଏହି ଦୁଃଖର ମୁହୂର୍ତ୍ତରେ, ତାଙ୍କର ଶୋକସନ୍ତପ୍ତ ପ୍ରିୟଜନ ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ସମବେଦନା।

Also Read- Asha Bhosle : ୮୦ ବର୍ଷରେ କ୍ୟାରିୟର, ୨୦୦ରୁ ୨୫୦ କୋଟି ଟଙ୍କା ମାଲିକାଣୀ 'ଆଶା'

ଯୋଗୀ ଆଦିତ୍ୟ ନାଥ-

ଭାରତୀୟ ସଙ୍ଗୀତ ଜଗତର ସୁର ସାମ୍ରାଜ୍ଞୀ, ସ୍ୱରର ମହାନ ସାରସ୍ୱତ ସାଧକ, 'ପଦ୍ମ ବିଭୂଷଣ' ଆଶା ଭୋଁସଲେ ଜୀଙ୍କ ବିୟୋଗ ଅତ୍ୟନ୍ତ ହୃଦୟବିଦାରକ ଏବଂ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଚମତ୍କାର ଗାୟନ ଭାରତୀୟ ସଙ୍ଗୀତକୁ ନୂତନ ଶିଖର ପ୍ରଦାନ କରିଥିଲା। ତାଙ୍କର ମଧୁର ସ୍ୱର ସବୁଦିନ ପାଇଁ ଦେଶର ଲୋକଙ୍କ ହୃଦୟରେ ପ୍ରତିଧ୍ୱନିତ ହେବ। ମୁଁ ପ୍ରଭୁ ଶ୍ରୀ ରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଦିବଙ୍ଗତ ମହାନ ଆତ୍ମାକୁ ଅନନ୍ତ ଶାନ୍ତି ମିଳୁ, ଏବଂ ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକମାନଙ୍କୁ ଏହି ବିଶାଳ ଦୁଃଖ ସହ୍ୟ କରିବାର ଶକ୍ତି ମିଳୁ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ-

ତାଙ୍କ ବିୟୋଗ ଅତ୍ୟନ୍ତ ହୃଦୟବିଦାରକ। ତାଙ୍କ ବିୟୋଗରେ, ଲତା ଦିଦିଙ୍କ ପରେ ମଙ୍ଗେସକର ବଂଶରୁ ଆଉ ଏକ ତାରା ଲିଭିଗଲା। ସୁରର ସୁନ୍ଦର ଉଦ୍ୟାନ ଆଜି ମରୁ ପାଲଟିଯାଇଛି।

ସୋମବାର ଶେଷ କୃତ୍ୟ

ଆଶାଙ୍କ ଜନ୍ମ ୮ ସେପ୍ଟେମ୍ବର ୧୯୩୫ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିବା ଭୋଁସଲେ ତାଙ୍କ ପିତା ଦିନାନାଥ ମଙ୍ଗେସକରଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ସେ ୧୦ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ୮ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ୧୨,୦୦୦ ରୁ ଅଧିକ ଗୀତ ରେକର୍ଡ କରିଥିଲେ। ସେ ପଦ୍ମ ବିଭୂଷଣ, ଦାଦା ସାହେବ ଫାଲକେ ପୁରସ୍କାର ଏବଂ ବହୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ସମ୍ମାନ ପାଇଥିଲେ। ସୋମବାର ଆଶା ଭୋସ୍ଲେଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଆନନ୍ଦ ଭୋଁସଲେ କହିଛନ୍ତି।

ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ଆନନ୍ଦ କହିଛନ୍ତି “ଫ୍ୟାନ ଆସନ୍ତାକାଲି ସକାଳ ୧୧ଟାରେ ଆଶା ରହୁଥିବା ଲୋୟର ପାରେଲର କାସା ଗ୍ରାଣ୍ଡେରେ ତାଙ୍କ ଶେଷ ଦର୍ଶନ କରିପାରିବେ। ତାଙ୍କର ଶେଷକୃତ୍ୟ ଆସନ୍ତାକାଲି ଅପରାହ୍ନ ୪ ଟାରେ ଶିବାଜୀ ପାର୍କରେ କରାଯିବ।”