ଚମୋଲୀ: ବଦ୍ରିନାଥରୁ ଡେରାଡୁନ ଫେରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କୁହାଯାଉଛି ବଦ୍ରିନାଥ-ଜ୍ୟୋତିର୍ମଠ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରଟି ଟ୍ରାନ୍ସ ଭାରତ କମ୍ପାନୀର ହୋଇଥିବା ବେଳେ ଏଥିରେ ପାଇଲଟ ଓ ୫ଜଣ ଯାତ୍ରୀ ଥିଲେ। ଏହି ହେଲିକପ୍ଟର ଶହସ୍ରଧାରା ହେଲିପ୍ୟାଡରେ ଅବତରଣ କରିବାର ଥିଲା, ଏହା ପାହାଡ ଉପରେ ଖସିପଡିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ସୂଚନା ମିଳିବାମାତ୍ରେ ଏନଡିଆରଏଫ ଓ ଏସଡିଆରଏଫ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି।

ଡିଏସପି ମଦନ ସିଂହ ବିଷ୍ଟ କହିଛନ୍ତି ଯେ ଦୁର୍ଘଟଣା ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି। ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ନନ୍ଦ କିଶୋର ଯୋଶୀ କହିଛନ୍ତି ଯେ ଜେ.ପି. ଡ୍ୟାମ ଉପର ଜଙ୍ଗଲରେ କୌଣସି ଏକ ଧଳା ରଙ୍ଗର ବସ୍ତୁ ଜଳୁଥିବାର ସୂଚନା ଆସୁଛି। ଘଟଣାସ୍ଥଳ ରେକି କରିବା ପାଇଁ ଅନ୍ୟ ଏକ ହେଲିକପ୍ଟରକୁ ପଠାଯାଇଛି। ତେବେ ପାଇଲଟଙ୍କ ସହ ସମ୍ପର୍କ କରିବା ପାଇଁ ଉଦ୍ୟମ କରାଯାଉଥିବା ୟୁସିଏଡିଏ ସିଇଓ କହିଛନ୍ତି। ଘଟଣାସ୍ଥଳକୁ ଏକ ଟିମ ବାହାରିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଇଣ୍ଟରନେଟ୍ ମିଡିଆରେ ପୋଷ୍ଟ ସେୟାର କରି ଦୁର୍ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି। ସେ କହିଛନ୍ତି ଯେ ‘ଚାଇ ଗାଁବ’ ଯୋଶୀ ମଠ ନିକଟରେ ହେଲିକପ୍ଟର କ୍ରାସ ହୋଇଥିବାର ସୂଚନା ଆସୁଛି। ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଓ ଏସଡିଆରଏଫ ମିଳିତ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଏହି ପୋଷ୍ଚରେ ମୁଖ୍ୟମନ୍ତ୍ରୀ ଯାତ୍ରୀଙ୍କ କୁଶଳ କାମନା କରିଛନ୍ତି। ଏଥିରେ ଯଦି କେହି ଆହତ ହୋଇଥାନ୍ତି ତେବେ ତାଙ୍କୁ ତୁରନ୍ତ ଏୟାର ଲିଫ୍ଟ କରି ହସ୍ପିଟାଲ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ହେଲିକପ୍ଚରରେ ଯାତ୍ରା କରୁଥିବା ଯାତ୍ରୀ ଓ ପାଇଲଟଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ହେଲିକପ୍ଟରକୁ କ୍ୟାପ୍ଟେନ ହିମାଂଶୁ ଉଡାଉଥିବା ବେଳେ ଏଥିରେ ପ୍ରଥପା, ଅଋଣ, ଶଙ୍କର ଗୌଡ଼, ସୁଧିର କେ. ଓ ଏସ୍.ଏସ୍. ନଟରାଜନ ଯାତ୍ରା କରୁଥିଲେ। ଉତ୍ତରାଖଣ୍ଡରେ ଏବେ ପାଗ ଖରାପ ରହିଛି। ଖରାପ ପାଗ ସତ୍ତ୍ୱେ ଶୁକ୍ରବାର ବଦ୍ରିନାଥ ଲାଗି ହେଲିକପ୍ଟର ଉଡାଣ ଜାରି ଥିଲା। ମଧ୍ୟାହ୍ନ ଗୋଟାଏ ୫ ମିନିଟ୍ ପର୍ଯ୍ୟନ୍ତ ହେଲିକପ୍ଟରଟି ଉଡାଣ କରୁଥିଲା। ଏଥିରେ ଏହା ଡେରାଡୁନ ପହଞ୍ଚିଥିଲା। ତେବେ ମଧ୍ୟାହ୍ନ ଗୋଟାଏ ୧୨ ମିନିଟ୍ ରେ ଆଉ ଏକ ଉଡାଣରେ  ନିଖୋଜ ହୋଇଯାଇଛି।