ନୂଆଦିଲ୍ଲୀ ୨୫।୦୯; ପ୍ରକୃତିର କରାଳରୂପ ଦେଖିବାକୁ ମିଳିଛି ସିକ୍କିମରେ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ସିକ୍କିମର ଗ୍ୟାଲସିଂ ଜିଲ୍ଲା ସ୍ଥିତ ରିମ୍ବି ଗାଁରେ ଘଟିଛି ଏକ ଭୟଙ୍କର ଭୂସ୍ଖଳନ। ଗୁରୁବାର ରାତିର ଏହି ପ୍ରଳୟରେ ୩୦ରୁ ଅଧିକ ଘର ଓ ସରକାରୀ ଆବାସ ମାଟିରେ ମିଶିଯାଇଥିବା ବେଳେ ବହୁ ପରିବାର ବାସହରା ହୋଇପଡ଼ିଛନ୍ତି। ତେବେ ଖୁସିର କଥା ଏହା ଯେ, ଏତେ ବଡ଼ ବିପର୍ଯ୍ୟୟ ସତ୍ତ୍ୱେ କୌଣସି ଜୀବନହାନି ଘଟି ନାହିଁ। ପାହାଡ଼ ଉପରୁ ପ୍ରବଳ ପରିମାଣର ମାଟି, ପଥର ଓ ଆବର୍ଜନାର ସୁଅ ଛୁଟି ଆସି ରିମ୍ବି ଗାଁର ଜନବସତି ଅଞ୍ଚଳକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଛି।

୩୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏପରିକି ବିଦ୍ୟୁତ ବିଭାଗର ସରକାରୀ କ୍ୱାର୍ଟର୍ସଗୁଡ଼ିକ ମଧ୍ୟ ଏହି ଭୂସ୍ଖଳନର କବଳରେ ଆସିଛି। ଘଟଣାସ୍ଥଳରୁ ବିପଦପୂର୍ଣ୍ଣ ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନକୁ ହାଇଆଲର୍ଟରେ ରଖାଯାଇ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି। ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଏହି ଘଟଣାରେ ଗଭୀର ଚିନ୍ତା ପ୍ରକାଶ କରିବା ସହ ଲୋକଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଲଗାତାର ବର୍ଷା ଯୋଗୁଁ ଆଗକୁ ଆହୁରି ଭୂସ୍ଖଳନର ଆଶଙ୍କା ରହିଛି। ତେଣୁ ବିପଦପ୍ରବଣ ସ୍ଥାନଠାରୁ ଦୂରେ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଭୂସ୍ଖଳନ ସିକିମର ଏହି ଅଞ୍ଚଳଗୁଡ଼ିକ ପାଇଁ ଏକ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି। ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ପ୍ରକୃତିର କୋପ ଆଗରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆପଣ ମଧ୍ୟ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।