କୋକସରା: ତାଣ୍ଡବ ରଚିଲା କାଳବୈଶାଖୀ। ମଙ୍ଗଳବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟରେ କାଳବୈଶାଖୀ ସହ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ହୋଇଥିବା ଏହି କାଳବୈଶାଖୀ ଯୋଗୁ କୋକସରା ବ୍ଲକର ଲଡୁଗାଁ, ବରାଡୋଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳ ପ୍ରଭାବିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଭଳି କୁଆ ପଥର ବର୍ଷା ବିଗତ ୨୦ ବର୍ଷ ମଧ୍ୟରେ ହୋଇନଥିଲା। ରାସ୍ତାରେ ୪-୫ ଇଞ୍ଚର କୁଆ ପଥର ଆସ୍ତରଣ ଦେଖିବାକୁ ମିଳିଥିଲା। କିଛି ସମୟ ଧରି ପ୍ରବଳ ବର୍ଷା ପବନ ସହ କୁଆ ପଥର ମାଡ଼ରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଗ୍ରାମବାସୀଙ୍କ କହିବା ଅନୁସାରେ, ବରାଡୋଙ୍ଗା ପଞ୍ଚାୟତ ଶିଉନି ଗାଁରେ ରାସ୍ତାରେ କୁଆ ପଥର ଆସ୍ତରଣ ଧଳା ଚାଦରର ଭ୍ରମ ସୃଷ୍ଟି କରିଥିଲା। ଜାତୀୟ ରାଜପଥ ରେ କୁଆ ପଥର ବର୍ଷା ଯୋଗୁ ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ଏସବୁ ଅଞ୍ଚଳରେ ମୁଗ, ବିରି, ସୂର୍ଯ୍ୟମୁଖୀ, ପନିପରିବା ଆଦି ଚାଷରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତକିଛିଦିନ ତଳେ କରଞ୍ଜିଆରେ ଘୂର୍ଣ୍ଣିଝଡ଼ର ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ କୋକସରା ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସହ ପ୍ରବଳ କୁଆ ପଥର ମାଡ଼ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।