ଭୁବନେଶ୍ୱର ୧୯।୦୫ : ଦିନରେ ନିର୍ଘାତ୍ ଝାଞ୍ଜି ମାଡ଼। ରାତିରେ ଘର ଭିତରେ ଅଣନିଃଶ୍ୱାସୀ କରୁଛି ତତଲା ହୁଳା । ତାତି ଆହୁରି ବଢ଼ିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ଝାଞ୍ଜି ମାଡ଼ରେ ଜଳିବ ।

ଗତ ୨/୩ ଦିନ ହେବ ରାଜ୍ୟରେ ତାପମାତ୍ରା ବଢ଼ିଛି । ରାତିରେ ବି ତାତି ଖସୁନି । ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ଡେଇଁଥିବା ବେଳେ ରାତି ପାରଦ ୨୮-୨୯ ଡିଗ୍ରୀ ଉପରେ ରହୁଛି । ତା’ ସାଙ୍ଗକୁ ଜାରି ରହିଛି ଗୁଳୁଗୁଳି ।

Also Read:-Horoscope Today : ମେ'୧୯ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଗରମ ଏବେ କମିବନି । ୨ ଦିନ ଭିତରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ତା’ ପରେ ୫ ଦିନ ଯାଏଁ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ଅଧିକ ରହିବ ଆସନ୍ତା ୨୨ ଯାଏଁ । ଗୁଳୁଗୁଳି ବି ଜାରି ରହିବ । ଅର୍ଥାତ୍ ନା ଦିନରେ ପଦାକୁ ବାହାରି ହେବ,ନା ରାତିବେଳା ଘରେ ଶାନ୍ତିରେ ଶୋଇ ପାରିବେ । ଗ୍ରୀଷ୍ମ ଜ୍ୱାଳାରେ ସନ୍ତୁଳି ହେବେ ରାତିଦିନ ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଜଳବାୟୁ ଓ ପରିବର୍ତ୍ତନ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁସାରେ ୨୦ରୁ ତାତି ଆହୁରି ବଢ଼ିବ । ୨୦ରେ ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ । ଆସନ୍ତା ୨୪/୨୫ ତାରିଖବେଳକୁ ଉପକୂଳ ଅଞ୍ଚଳରେ ବି ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍ ରହିପାରେ । ଆସନ୍ତା ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ତାତିରୁ ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି । ଏହା ପରେ ବି ଗରମ କମିବା ନେଇ ଏବେ କିଛି କହିହେବନି । ମଝିରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି । ଯେଉଁଠି ବର୍ଷା ହେବ, ସେଇ ଅଞ୍ଚଳରେ ସାମୟିକ ଭାବେ ତାତି ସାମାନ୍ୟ କମିପାରେ ।

ସୋମବାର ରାଜ୍ୟର ୧୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ଝାରସୁଗୁଡ଼ା ୪୩.୪, ବୌଦ୍ଧ ୪୨.୮, ଅନୁଗୁଳ ୪୨.୩, ସମ୍ବଲପୁର ୪୨.୩, ହୀରାକୁଦ ୪୨ ଡିଗ୍ରୀ ଥିବାବେଳେ ଅନେକ ସ୍ଥାନରେ ପାରଦ ୩୯ରୁ ୪୧ ଡିଗ୍ରୀ ପାଖାପାଖି ଥିଲା । ଉପକୂଳରେ ବି ପାରଦ ୩୯-୪୦ ଡିଗ୍ରୀ ଛୁଇଁଥିଲା । ଅନ୍ୟପଟେ ଆର୍ଦ୍ରତା ପରିମାଣ ସକାଳେ ୭୦ରୁ ୮୫% ପର୍ଯ୍ୟନ୍ତ ରହିଥିବାବେଳେ ସନ୍ଧ୍ୟାରେ ୬୦-୭୦% ଥିଲା । ଭୀଷଣ ଖରା ଯୋଗୁ କାନ୍ଥ, ଚଟାଣ, ଛାତ ତାତି ନିଆଁ ହୋଇଯାଉଥିବାବେଳେ ରାତିରେ ବି ବାତାବାରଣ ଥଣ୍ଡା ପଡ଼ୁନି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୮-୨୯ ଡିଗ୍ରୀ ସେଲସିୟସ୍ ରହୁଛି । ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼ରେ ରାତି ତାପମାତ୍ରା ୨୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପୁରୀରେ ୨୯.୪ ଡିଗ୍ରୀ, ଭୁବନେଶ୍ୱର ୨୮.୬, ଚାନ୍ଦବାଲି ୨୮.୨, ପାରାଦୀପରେ ୨୮.୫ ଡିଗ୍ରୀ ଥିଲା ।

ବିଶେଷଜ୍ଞଙ୍କ କହିବାନୁସାରେ ରାତିରେ ବାହାର ବାୟୁମଣ୍ଡଳ ତାପମାତ୍ରା ଯେତିକି ଥାଏ, ଘର ଭିତରେ ତା’ଠାରୁ ଅଧିକ ୩ ଡିଗ୍ରୀ ରହିଥାଏ । ଅର୍ଥାତ୍ ରାତିରେ ଘର ଭିତରେ ୩୧-୩୨ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି । ବିଭିନ୍ନ ସମୟରେ ଲୋଭୋଲଟେଜ ଓ ବାରମ୍ବାର ବିଜୁଳି କାଟ ଯୋଗୁ ଏ ଯନ୍ତ୍ରଣା ଆହୁରି ବଢ଼ିଯାଉଛି । ଗତ କିଛିଦିନ ହେବ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି କାଟ ଯୋଗୁ ଗରମ ଜ୍ୱାଳା ଅସମ୍ଭାଳ ହୋଇପଡ଼ିଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବଜ୍ରପାତ ସହ ବର୍ଷା ଓ ସ୍ଥାନେ ସ୍ଥାନେ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ । ୨୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ ।